ବଲାଙ୍ଗିର: ଗତ ୧୬ ତାରିଖ। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଟଣାଗଡ଼, ଖପ୍ରାଖୋଲ ଓ ବେଲପଡ଼ା ପଞ୍ଚାୟତ ସମିତିରେ ହୋଇଥିଲା। ନିର୍ବାଚନ ପରିଚାଳନାକାରୀ ଦଳ ଓ ପୁଲିସ ପାଇଁ ଜିଲା ସଡକ ପରିବହନ ବିଭାଗ(ଆର୍ଟିଓ) ପକ୍ଷରୁ ଚାରି ଚକିଆ ଓ ଯାତ୍ରୀବାହି ବସ୍ଗୁଡ଼ିକୁ ପୂର୍ବରୁ ନିଜସ୍ୱ ଅକ୍ତିଆରକୁ ଅଣାଯାଇଥିଲା। ପ୍ରଥମ ପର୍ଯ୍ୟାୟ ପାଇଁ ପାଟଣାଗଡ଼, ଖପ୍ରାଖୋଲ ଓ ବେଲପଡ଼ାକୁ ପଠାଯାଇଥିଲା। ୧୬ ତାରିଖ ସନ୍ଧ୍ୟାରେ ଜବାହାର କଲେଜ ପାଟଣାଗଡ଼ କେନ୍ଦ୍ରରେ ନିର୍ବାଚନ ପରିଚାଳନାକାରୀମାନେ ସାମଗ୍ରୀ ହସ୍ତାନ୍ତର କରୁଥିଲେ। ସେହି ସମୟରେ ଜଣେ ଗାଡି ଚାଳକ ବାହା ଘର କାର୍ଡ ଧରି ଏପଟ ସେପଟ ହେଉଥିଲେ। ଜଣେ ବରିଷ୍ଠ ପୁଲିସ ଅଧିକାରୀ ଗାଡି ଚାଳକଙ୍କୁ ଡାକି ବାହା ଘର କାର୍ଡ ଧରି ଏଠି କାହିଁକି ବୁଲୁଛ ବୋଲି ପଚାରିଥିଲେ।
ଗାଡି ଚାଳକ ଜଣଙ୍କ ମହେନ୍ଦ୍ର ସାହୁ। ତାଙ୍କ ବାହା ଘର ଆସନ୍ତା ୨୧ ତାରିଖରେ ଅଛି। ପ୍ରଥମ ପର୍ଯ୍ୟାୟ ପରେ ଦ୍ୱିତୀୟ ପର୍ଯ୍ୟାୟ, ତୃତୀୟ ପର୍ଯ୍ୟାୟ ଏଭଳି ଶେଷ ଯାଏ ଆର୍ଟିଓ ଗାଡି ନିଜସ୍ୱ ନିୟନ୍ତ୍ରଣକୁ ନେଇଛନ୍ତି। ସେଥିରେ ତାଙ୍କ ଗାଡି ବି ରହିଛି। ୨୧ ତାରିଖରେ ବାହା ଘର ଓ ଏପଟେ ନିର୍ବାଚନ ପାଇଁ ଗାଡି ଦାୟିତ୍ୱ। ସେ କ’ଣ କରିବେ କିଛି ବୁଝି ପାରୁ ନାହାନ୍ତି କହିଥିଲେ ବରିଷ୍ଠ ପୁଲିସ ଅଧିକାରୀଙ୍କୁ। ଏସଂପର୍କରେ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଜଣାଅ ଓ କେମିତି ବାହା ଘର ହୋଇପାରିବ ସେ ଦିଗରେ ଉଦ୍ୟମ କର ବୋଲି ପୁଲିସ ଅଧିକାରୀ ପରାମର୍ଶ ଦେଇଥିଲେ। ଏହି ଖବର ଏବେ ଚର୍ଚ୍ଚାର ବିଷୟ ଓ ଦ୍ୱନ୍ଦ୍ୱରେ ମହେନ୍ଦ୍ର ବୋଲି ଆଲୋଚନା ହେଉଛି।



