ବୌଦ୍ଧ: ଜିଲାରେ ଚାଲିଥିବା ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷିରେ ଗୋଟିଏପଟେ ଭୋଟ ପାଇଁ ପ୍ରାର୍ଥୀମାନେ ଦ୍ୱାର ଦ୍ୱାର ବୁଲି ଭୋଟରମାନଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଉଥିବାବେଳେ ଅନ୍ୟପଟେ ନିଜର ମୌଳିକ ଅଧିକାର ପାଇଁ ବୌଦ୍ଧ ବ୍ଲକ ଟିକରପଡ଼ା ପଞ୍ଚାୟତର ୧୩ ନମ୍ବର ୱାର୍ଡର ତିନୋଟି ଗ୍ରାମର ପ୍ରାୟ ୬୦୦ ଭୋଟର ନିଜର ଗଣତାନ୍ତ୍ରିକ ଅଧିକାରକୁ ବର୍ଜନ କରିଛନ୍ତି।
ସୂଚନା ମୁତାବକ ବୌଦ୍ଧ ବ୍ଲକର ବଣ ପାହାଡ ଘେରା ଟିକରପଡ଼ା ପଞ୍ଚାୟତର ଅନେକ ଗ୍ରାମକୁ ସବୁଦିନିଆଁ ରାସ୍ତା ନଥିବାବେଳେ ଶିକ୍ଷା,ସ୍ୱାସ୍ଥ୍ୟ ଭଳି ମୌଳିକ ସେବା ପାଇଁ ଲୋକମାନେ ନାହିଁନଥିବା ସମସ୍ୟାର ସମ୍ମୁଖିନ ହେଉଛନ୍ତି। ସ୍ୱାଧୀନତାର ସାତଦଶନ୍ଧି ପରେ ମଧ୍ୟ ଗ୍ରାମର ଶିଶୁମାନଙ୍କ ପାଇଁ ଉତ୍ତମ ଶିକ୍ଷା ବ୍ୟବସ୍ଥା ନଥିବାବେଳେ ସ୍ୱାସ୍ଥ୍ୟ ସେବାତ ଦୂରର କଥା ଅନେକ ଗ୍ରାମକୁ ଆମ୍ବୁଲେନସ ଯିବା ଭଳି ରାସ୍ତାଟିଏ ମଧ୍ୟ ନାହିଁ। ଫଳରେ ଲୋକମାନେ ସ୍ୱାସ୍ଥ୍ୟସେବା ପାଇଁ କେତେବେଳେ ଖଟିଆରେ ବୁହା ହୋଇ ଆସୁଛନ୍ତିତ ଆଉ କେତେବେଳେ ଚିକିତ୍ସା ନପାଇ ମୃତ୍ୟୁର ଶିକାର ହେଉଛନ୍ତି। ବର୍ଷା ଦିନରେ ଏହି ଗ୍ରାମବାସୀଙ୍କ ଦୁର୍ଦ୍ଦଶା ଆହୁରି ବଢ଼ିଯାଇଥାଏ। ଅନେକ ନାଳରେ ପୋଲଟିଏ ନିର୍ମାଣ ହୋଇପାରିନଥିବା ବେଳେ ଲୋକମାନେ ଦିନ ଦିନ ଧରି ପାଣି ଘେରରେ ଭୋଗ ଉପବାସରେ ବିତାଇବାକୁ ପଡ଼ିଥାଏ।
ସେହିପରି ଗ୍ରାମରେ ନଳକୁଅ ନାହିଁ କି କୁଅ ନାହିଁ ତେଣୁ ପାନୀୟଜଳ ପାଇଁ ମଧ୍ୟ ବହୁ ଦୂରକୁ ଯିବାକୁ ପଡୁଅଛି। ତେଣୁ ଅଞ୍ଚଳର ବିକାଶ ନାହିଁ ତ ଭୋଟ ଦେବୁନାହିଁ ବୋଲି ପଞ୍ଚାୟତର ୧୩ ନମ୍ବର ୱାର୍ଡର ତିନୋଟି ଗ୍ରାମ ଦମଣ୍ଡା,ସାଲଦରଙ୍ଗା ଓ ଲକଡପାଜୁ ର ପ୍ରାୟ ୬୦୦ ଭୋଟର ପୂର୍ବରୁ ଜିଲାପ୍ରଶାସନକୁ ଅବଗତ କରାଇବା ସହିତ ଆଜି ଭୋଟଦାନ କେନ୍ଦ୍ର ସମ୍ମୁଖରେ ବସି ରହିଥିଲେ। ନିର୍ବାଚନ ଦାୟିତ୍ୱରେ ଥିବା ସେକ୍ଟର ଅଫିସର ଓ କର୍ମଚାରୀମାନେ ବୁଝାସୁଝା କରିଥିଲେ ମଧ୍ୟ ସେମାନଙ୍କ ମୌଳିକ ସମସ୍ୟାର ସମାଧାନ ପାଇଁ ଲିଖିତ ଭାବରେ ଦିଆନଗଲେ ସେମାନେ ଭୋଟ ଦେବେ ନାହିଁ ବୋଲି ଗ୍ରାମବାସୀମାନେ ରୋକଠୋକ ଜଣାଇ ଦେଇଥିଲେ। ନିଜର ମୌଳିକ ଅଧିକାର ପାଇଁ ଗ୍ରାମବାସୀ ନିଜର ଗଣତାନ୍ତ୍ରିକ ଅଧିକାର ଭୋଟ ବର୍ଜନ କରିବା ଜିଲାର ବୁଦ୍ଧଜିବୀ ମହଲରେ ଆଲୋଡନ ସୃଷ୍ଟି କରିଛି। ଜିଲା ପ୍ରଶାସନ ପକ୍ଷରୁ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ମତପ୍ରକାଶ ପାଉଅଛି।



