ନାବାଳିକା ଦୁଷ୍କର୍ମ ମାମଲା, ବଡ଼ବାପା ଗିରଫ
ବଲାଙ୍ଗିର: ପୁଇଁନ୍ତଳା ଥାନା ଅନ୍ତର୍ଗତ ସର୍ଗିବାହାଲ ଗ୍ରାମର ଜଣେ ୧୪ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ସ୍ଥାନୀୟ ଥାନାରେ ହୋଇଥିଲା । ଘଟଣାର ୪ ମାସ ପରେ ଅଭିଯୁକ୍ତ ସମ୍ପର୍କୀୟ ବଡ଼ବାପା ରଙ୍କନିଧି ମହାକୁରକୁ ପୁଲିସ ଗିରଫ କରିଛି । ଆଇପିସିର ଦଫା ୩୭୨/୩୭୬ (୨)(ଏଫ)(ଏନ) ସହ ୬ ପକ୍ସୋ ଧାରାରେ ପୁଇଁନ୍ତଳା ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବା ବଲାଙ୍ଗିର ସଦର ଏସଡିପିଓ ତୋଫାନ ବାଗ ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ, ସର୍ଗିବାହାଲ ଗ୍ରାମର ନାବାଳିକା ଶୌଚ ହେବାକୁ ଯାଇଥିବା ସମୟରେ ଅଭିଯୁକ୍ତ ବଡ ବାପା ତାଙ୍କୁ ଦୁଷ୍କର୍ମ କରିଥିଲେ । ଏନେଇ ପୀଡ଼ିତା ଜଣକ ଗତ ଜୁନ୍ ୨୦ତାରିଖ ଦିନ ପୁଇଁନ୍ତଳା ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଘଟଣା ପରଠାରୁ ଅଭିଯୁକ୍ତ ବଡ ବାପା ରଙ୍କନିଧି ମହାକୁର ଗ୍ରାମରୁ ଫେରାର୍ ହୋଇଯାଇଥିଲେ । ବଲାଙ୍ଗିର ଆରକ୍ଷୀ ଅଧିକ୍ଷକ(ଏସ୍ପି) ନୀତିନ କୁଶଲକର୍ଙ୍କ ନିର୍ଦ୍ଦେଶକ୍ରମେ ଅଭିଯୁକ୍ତକୁ ଗିରଫ କରିବାକୁ ପୁଲିସ କର୍ଣ୍ଣାଟକ ଓ ତାମିଲନାଡୁ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲେ ବି ଧରିପାରି ନଥିଲେ ।
ତେବେ ଅଭିଯୁକ୍ତ ରଙ୍କନିଧି ପାଟଣାଗଡ ଉଲବା ଗ୍ରାମରେ ଆତ୍ମଗୋପନ କରିଥିବା ପୁଲିସ ସୂଚନା ପାଇଁ ଶୁକ୍ରବାର ରାତିରେ ରଙ୍କନିଧିଙ୍କୁ ଗିରଫ କରିଥିଲା । ସେ ପ୍ରାୟ ୨ମାସ ହେଲା ଉଲବାରେ ରହି ମୂଲ ଲାଗୁଥିବା ସୂଚନା ମିଳିଥିଲା । ପରେ ପୁଇଁନ୍ତଲା ପୁଲିସ ଉଲବାରେ ଚଢ଼ଉ କରି ଅଭିଯୁକ୍ତକୁ ଗିରଫ କରିଥିଲା । ବଲାଙ୍ଗିର ଭୀମ ଭୋଇ ଡାକ୍ତରଖାନାରେ ସ୍ୱାସ୍ଥ୍ୟ ପରୀକ୍ଷା ପରେ ତାକୁ କୋର୍ଟ ଚାଲାଣ କରାଯାଇଛି । ଥାନାଧିକାରୀ ଯଶୋବନ୍ତ ପଧାନୀଙ୍କ ନେତୃତ୍ୱରେ ଏସ୍ଆଇ କିରଟୀ ଚୌଧୁରୀ ମାମଲାର ତଦନ୍ତ କରୁଥିବା ଏସଡିପିଓ ଶ୍ରୀ ବାଗ କହିଛନ୍ତି ।
Comments are closed.