ପରଜଙ୍ଗ : ବ୍ରାହ୍ମଣୀ ନଦୀରେ ଡଙ୍ଗା ବୁଡିି ଘଟଣାରେ ନିଖୋଜ ୪ ଜଣଙ୍କର ପତ୍ତା ୨୪ ଘଣ୍ଟା ପରେ ବି ମିଳିପାରି ନାହିଁ। ଓଡ୍ରାଫ ଟିମ୍ ଓ ଢେଙ୍କାନାଳ ଅଗ୍ନିଶମ ବାହିନୀ ମିଳିତ ଅପରେସନ ଜାରି ରଖିଛନ୍ତି। ରବିବାର ଦିନ ତମାମ ବ୍ରାହ୍ମଣୀ ନଦୀରେ ଖୋଜାଖୋଜି ଚଳାଇଥିଲେ। ଏନଡିଆରଏଫ୍ର ୨୯ ଜଣିଆ ଏକ ଏକ ଟିମ ରବିବାର ଅପରାହ୍ନରେ ଢେଙ୍କାନାଳରେ ପହଞ୍ଚିଛନ୍ତି। ସେମାନେ ଢେଙ୍କାନାଳ ବିବି ହାଇସ୍କୁଲରେ ରାତ୍ର ବିଶ୍ରାମ କରି ସୋମବାର ସକାଳୁ କମଗରା ନଦୀ ଘାଟରୁ ଖୋଜାଖୋଜି କରିବେ ବୋଲି ଗଣମାଧ୍ୟମକୁ ସୂଚନା ଦିଆଯାଇଛି।
ନିଖୋଜ ଥିବା ୪ଜଣ ବ୍ୟକ୍ତି ହେଲେ କୁନ୍ଦନଦେଇପୁର ଶାସନ ଗାଁର ପ୍ରଫୁଲ ଆଚାର୍ଯ୍ୟଙ୍କ ପୁଅ ବିଶ୍ୱଜିତ ଆଚାର୍ଯ୍ୟ (୩୧), ରୋଡ ଗ୍ରାମର ରାଜକିଶୋର ନାୟକଙ୍କ ପୁଅ ବିଜୟ କୁମାର ନାୟକ (୩୬), ବସନ୍ତ ସାହୁଙ୍କ ପୁଅ ସୁଶାନ୍ତ ସାହୁ (୩୦) ଓ ବିନୋଦ ସାହୁଙ୍କ ପୁଅ ରମେଶ ଚନ୍ଦ୍ର ସାହୁ (୪୬)। ଏପଟେ ନିଖୋଜ ମାନଙ୍କ ପତ୍ତା ମିଳି ପାରି ନଥିବାରୁ ପରିବାର ଏବଂ ଅଞ୍ଚଳବାସୀ ନାନା ଆଶଙ୍କାରେ ରହିଛନ୍ତି।
ପ୍ରକାଶ ଶନିବାର ରାତି ୮ଟା ୪୦ମିନିଟ ଓଡାପଡା ବ୍ଲକ ମୋଟଙ୍ଗା ଥାନା ଅନ୍ତର୍ଗତ ଭୂଷଣ, ଜିଏମ୍ଆର୍ ଭଳି କମ୍ପାନୀକୁ କାମ କରିବାକୁ ଯ।।ଇ ଡଙ୍ଗାଯୋଗେ ବ୍ରାହ୍ମଣୀ ନଦୀ ପାରହୋଇ ୯ଜଣ ବ୍ୟକ୍ତି ରାତିରେ ଆସୁଥିବା ବେଳେ ଡଙ୍ଗାଟି ହଠାତ ମଝିନଈରେ ବୁଡି ଯାଇଥିଲା। ଏକ ଟିଭିଷ୍ଟାର କେବୁଲ ତାରରେ ଛନ୍ଦି ହୋଇ ଦୁର୍ଘଟଣା ହୋଇଥିଲା। ୯ଜଣଙ୍କ ମଧ୍ୟରୁ ପହଁରା ଶିଖିଥିବା ୫ଜଣ ବ୍ୟକ୍ତି ପହଁରି ପହଁରି କୂଳରେ ଲାଗିଥିଲେ। ସେମାନେ ଗାଁକୁ ଆସି ଖବରଦେବା ପରେ ଗାଁଲୋକେ ବ୍ରହ୍ମଣୀ ନଦୀ ଘାଟରେ ପହଞ୍ଛି ଖୋଜାଖୋଜି ଆରମ୍ଭ କରିଥିଲେ। ଏହାସହ ପ୍ରଶାସନକୁ ଜଣାଇଥିଲେ।
ଖବରପାଇ ପରଜଙ୍ଗ ବ୍ଲକ ତହସିଲଦାର ଜୟନ୍ତ କୁମାର ଜୟସିଂହ, ମହାବିରୋଡ ବନାଞ୍ଛଳ ଅଧିକାରୀ ହରମୋହନ ନାୟକ, ଅଗ୍ନିଶମ ସେବା ସଂସ୍ଥା ଅଧିକାରୀ ବିଜୟ କୁମାର ଦାଶ, ସାନ୍ଦା ଫାଣ୍ଡି ଅଧିକାରୀ ସୁରେଶ ମହାପାତ୍ର, ପରଜଙ୍ଗ ଥାନା ଅଧିକାରୀ ଆନନ୍ଦ କୁମାର ଡୁଙ୍ଗଡୁଙ୍ଗ, ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ସମେତ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଛି ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ। ଘଟଣା ଘଟିବା ପରଠାରୁ ବ୍ରାହ୍ମଣୀ ନଦୀକୂଳ ଲୋକାରଣ୍ୟ ହୋଇପଡିଛି। ପରିବାର ସଦସ୍ୟଙ୍କୁ ହରାଇ ସମ୍ପର୍କୀୟମାନେ ଲୁହଭରା କୋହକୁ ସମ୍ଭାଳି ପାରୁ ନ ଥିବା ଦୃଶ୍ୟ ସାମ୍ନାକୁ ଆସଛି। ନିଖୋଜଙ୍କ ପତା ମିଳି ନଥିବାରୁ ଗାଁର ପ୍ରତିଟି ପରିବାରରେ ଶୋକାକୁଳ ପରିବେଶ ସୃଷ୍ଠି ହୋଇଛି।
ବ୍ରାହ୍ମଣୀ ନଦୀର ଯେଉଁ ସ୍ଥାନଦେଇ ଡଙ୍ଗା ଅତିକ୍ରମ କରେ ସେହି ନିକଟରେ ବ୍ରାହ୍ମଣୀର ଦକ୍ଷିଣପାର୍ଶ୍ୱରୁ-ବାମପାର୍ଶ୍ବକୁ ପ୍ରାୟ ଏକ କିମିରୁ ଅଧିକ ଲମ୍ବାର ଷ୍ଟାର କେବୁଲ ତାର ଏପାଖସେପାଖକୁ ଲମ୍ବିଛି। ସେହି ତାରରେ ଡଙ୍ଗାଟି ଛନ୍ଦିହୋଇ ଏଭଳି ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଆକଳନ କରାଯାଇଛି। ଏଥିସହିତ ଯେଉଁ ଡଙ୍ଗାଟି ଯାତ୍ରୀଙ୍କୁ ନେଇ ପାର କରୁଥିଲା ସେହି ଡଙ୍ଗାଟି ନିଲାମଧାରୀ ନୁହେଁ। ଏହାଜଣେ ବ୍ୟକ୍ତିଙ୍କ ଡଙ୍ଗା। ବେଆଇନ ଭାବେ ଏହା ଚାଲୁଥିଲା ବୋଲି ଅଭିଯୋଗ ହୋଇଛି। ଏନେଇ କେବୁଲ ସଂଯୋଗ କରିଥିବା ବ୍ୟକ୍ତି ଓ ବେଆଇନ ଡଙ୍ଗା ଚଳାଉଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢକାର୍ଯ୍ୟାନୁଷ୍ଠାନ ନେବା ପାଇଁ ସାଧାରଣରେ ଦାବି ହୋଇଛି।
କାମାଖ୍ୟାନଗର ଉପଜିଲାପାଳ ଶ୍ରୀ ଆଚାର୍ଯ୍ୟଙ୍କୁ ଏ ସମ୍ପର୍କରେ ପଚରାଯିବାରେ ନିୟମ କି ବେନିୟମ ସେନେଇ ତାଙ୍କ ପାଖରେ ଠୋସ ପ୍ରମାଣ ବା ଖବର ନାହିଁ। ଘଟଣାର ତଦନ୍ତ କରାଯିବ। ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଚାଲୁରହିଛି। ବ୍ରାହ୍ମଣୀରେ ସେତୁପାଇଁ ସ୍ଥାନୀୟ ଲୋକଙ୍କ ପକ୍ଷରୁ ବାରମ୍ବାର ଦାବିହେଉଛି। ରାଜ୍ୟସରକାର ସେଥିପ୍ରତି ଗୁରୁତ୍ୱ ଦେଉନାହାନ୍ତି। ଏନ୍ଏଚ୍ଏଆଇ ପକ୍ଷରୁ ବିଗତ ଦିନରେ ଖଡଗ୍ପ୍ରସାଦ-ବଡକମର ବ୍ରାହ୍ମଣୀ ନଦୀରେ ସେତୁପାଇଁ ପ୍ରସ୍ତାବ ଦିଆଯାଇଥିଲା। ରାଜ୍ୟ ସରକାରଙ୍କ ଅବହେଳା ଯୋଗୁଁ ସେତୁ ହୋଇ ପାରୁନାହିଁ। ଏଥିପାଇଁ ଏଭଳି ଦୁଃଖଦ ଘଟଣା ଘଟିଲା ବୋଲି ପୂର୍ବତନ ରାଜ୍ୟସଭା ସାଂସଦ ରୁଦ୍ରନାରାୟଣ ପାଣି, ଢେଙ୍କାନାଳ ଜିଲା ବିଜେପି ସଭାପତି ବିଭୁତି ଭୁଷଣ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ରାଜ୍ୟ ସରକାରଙ୍କ ଅବହେଳାକୁ ଦାୟୀ କରିଛନ୍ତି।
ବ୍ରାହ୍ମଣୀ ନଦୀରେ ଡଙ୍ଗାବୁଡି ଘଟଣା : ୪ ନିଖୋଜଙ୍କ ପତ୍ତା ମିଳୁନି
Popular Categories



