କଟକ : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଆସନ୍ତା ଜୁନ୍ ୨୨ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଆରମ୍ଭ ହୋଇ ୨୯ତାରିଖରେ ଶେଷ ହେବ। ୨୨ରେ ପ୍ରଥମ ଭାଷା (ଓଡ଼ିଆ, ବଙ୍ଗଳା, ହିନ୍ଦୀ, ଉର୍ଦ୍ଦୁ, ତେଲଗୁ), ୨୩ରେ ଦ୍ୱିତୀୟ ଭାଷା ଇଂରାଜୀ, ୨୪ (ରବିବାର)ରେ ଭିଜୁଆଲ୍ ଆର୍ଟ୍ସ ପ୍ରାକ୍ଟିକାଲ , ୨୫ରେ ତୃତୀୟ ଭାଷା (ହିନ୍ଦୀ, ଓଡ଼ିଆ, ପାର୍ଶୀ ଭିଜୁଆଲ ଆର୍ଟ୍ସ), ୨୬ରେ ତୃତୀୟ ଭାଷା ସଂସ୍କୃତ, ୨୭ରେ ଗଣିତ, ୨୮ରେ ସାଧାରଣ ବିଜ୍ଞାନ ଓ ୨୯ରେ ସାମାଜିକ ବିଜ୍ଞାନ ପରୀକ୍ଷା ଅନୁଷ୍ଠିତ ହେବ। ବୋର୍ଡ ୱେବସାଇଟ୍ରେ ଏ ସମ୍ପର୍କିତ ସମସ୍ତ ତଥ୍ୟ ଉପଲବ୍ଧ ରହିଛି। ପରୀକ୍ଷା
ପ୍ରତିଦିନ ସକାଳ ୮ଟାରୁ ୧୧ଟା ୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। କେବଳ ଗଣିତରେ ଅଧିକ ୧୫ ମିନିଟ୍ ସମୟ ଦିଆଯିବ। ଏଥର ତୃତୀୟ ଭାଷା ହିନ୍ଦୀ ଓ ସଂସ୍କୃତ ପରୀକ୍ଷା ଅଲଗାଅଲଗା ଦିନରେ କରାଯିବାକୁ ସ୍ଥିର ହୋଇଛି।
ଗୁରୁବାର ସକାଳ ୮ଟାରୁ ମେ ୩୧ ତାରିଖ ମଧ୍ୟରାତ୍ରି ଯାଏ ବୋର୍ଡ ୱେବସାଇଟ୍ www.bseodisha.ac.in ଜରିଆରେ ଅନ୍ଲାଇନ୍ ଫର୍ମ ପୂରଣ କରାଯିବ। ଫର୍ମ ପୂରଣର ଆବଶ୍ୟକ ଦେୟ ଦାଖଲ ନିମନ୍ତେ ମେ ୩୦ ତାରିଖ ରାତି ୧୧.୪୫ ମିନିଟ୍ ଯାଏ ସମୟ ଧାର୍ଯ୍ୟ ହୋଇଛି। ରେଗୁଲାର ପରୀକ୍ଷାର୍ଥୀଙ୍କ ପାଇଁ ଦେୟ ୩୮୩ ଟଙ୍କା ଓ ପତ୍ର ବିନିମୟ, ଏକ୍ସ-ରେଗୁଲାର ସମେତ ଅନ୍ୟ ସମସ୍ତ ପରୀକ୍ଷାର୍ଥୀଙ୍କ ପାଇଁ ୪୭୫ଟଙ୍କା ଦେୟ ରଖାଯାଇଛି। ପତ୍ରମାଧ୍ୟମ ପରୀକ୍ଷାର୍ଥୀମାନେ ବୋର୍ଡର ଆଞ୍ଚଳିକ କାର୍ଯ୍ୟାଳୟରେ ଡେପୁଟି ସେକ୍ରେଟାରୀଙ୍କ ନିକଟରେ ଅଫଲାଇନରେ ଫର୍ମପୂରଣ କରିବେ। ଯେଉଁ କେନ୍ଦ୍ରରେ ଭିଜୁଆଲ୍ ଆର୍ଟର ଥିଓରି ପରୀକ୍ଷା ଥିବ ସେହି କେନ୍ଦ୍ରରେ ପ୍ରାକ୍ଟିକାଲ ପରୀକ୍ଷା ହେବ। ସେହିପରି ଧନ୍ଦାମୂଳକ ପାଠ୍ୟକ୍ରମର ପ୍ରାକ୍ଟିକାଲ ପରୀକ୍ଷା ୧୮ ଜୁନ୍ରୁ ୨୧ ଜୁନ୍ ମଧ୍ୟରେ ନିଜ ହାଇସ୍କୁଲରେ ହେବ ବୋଲି ବୁଧବାର ଅପରାହ୍ଣରେ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପରୀକ୍ଷା ନିୟନ୍ତ୍ରକ ଡ. ନୀହାର ରଞ୍ଜନ ମହାନ୍ତି, ବୋର୍ଡ ସଭାପତି ଡ. ଜହାନ୍ଆରା ବେଗମ ଓ ସମ୍ପାଦକ ରାମାଶିଷ ହାଜରା ପ୍ରମୁଖ ସୂଚନା ଦେଇଛନ୍ତି।
ଜୁନ ୨୨ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା
Popular Categories



