ସୁନ୍ଦରଗଡ଼ : ପ୍ରାକ୍ ପଞ୍ଚାୟତ ନିର୍ବାଚନ କସରତରେ ବିଜେପି ମାଡ଼ି ଚାଲୁଥିବାର ରାଜନୈତିକ ସମୀକ୍ଷକମାନେ ମତ ଦେବାରେ ଲାଗିଛନ୍ତି । କିଛି ଦିନ ପୂର୍ବରୁ ସୁନ୍ଦରଗଡ଼ ସଦର ବିଧାୟିକା କୁସୁମ ଟେଟେଙ୍କ ଆହ୍ୱାନରେ ସଦର ପଞ୍ଚାୟତ ସମିତିର ଅଧ୍ୟକ୍ଷା ପଦ୍ମ ଦଳରେ ସାମିଲ ହେବା ଘଟଣା ରାଜନୈତିକ ମହଲରେ ବେଶ ଚର୍ଚ୍ଚା ଘେରାକୁ ଆସିଥିବା ବେଳେ ଆଜି ପୁଣି ବଡ଼ଗାଁ ପଞ୍ଚାୟତ ସମିତିର ଅଧ୍ୟକ୍ଷା ଓ ସମିତି ସଭ୍ୟାମାନେ ପଦ୍ମ ଦଳରେ ସାମିଲ ହେବା ଘଟଣା ଏହି ଚର୍ଚ୍ଚାକୁ ଦ୍ୱିଗୁଣିତ କରିଦେଇଛି । ପଞ୍ଚାୟତ ନିର୍ବାଚନର ଫଳାଫଳ କଣ ହେବ ତାହା ତ ସମୟ କହିବ ମାତ୍ର ପଦ୍ମ ଦଳ ପଞ୍ଚାୟତ କସରତରେ ଏକ ପ୍ରକାର ମାଡ଼ି ଚାଲିବା ବିରୋଧିଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ସାଜିଛି ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେବା ଆରମ୍ଭ କରିଦେଲେଣି । ଦଳୀୟ ସୂତ୍ରରୁ ପ୍ରକାଶ, ଆଜି ସ୍ଥାନୀୟ ଭାଜପା କାର୍ଯ୍ୟାଳୟରେ ଜିଲା ସଭାପତି ତଥା ତଳସରା ବିଧାୟକ ଭବାନୀ ଶଙ୍କର ଭୋଇଙ୍କ ନେତୃତ୍ୱରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ମିଶ୍ରଣ ପର୍ବରେ ତଳସରା ନିର୍ବାଚନ ମଣ୍ଡଳୀର ବଡ଼ଗାଁ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ମିଞ୍ଜ, ଇତମା ପଞ୍ଚାୟତ ସମିତି ସଭ୍ୟା ପୁଷ୍ପଲତା ସାହୁ, ଦାଣ୍ଡଜମିରା ପଞ୍ଚାୟତ ସମିତି ସଭ୍ୟା ସୌଦାମିନୀ ହାହା, ପାମରା ସମିତି ସଭ୍ୟା ନନ୍ଦିନୀ ସିଂ, ଫୁଲବାରି ସମିତି ସଭ୍ୟା ସନ୍ତୋଷୀ ଚାନ୍ଦ ପ୍ରମୁଖ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦେଇଛନ୍ତି। ଜିଲା ସଭାପତି ତଥା ତଳସରା ବିଧାୟକ ଶ୍ରୀ ଭୋଇ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ମିଞ୍ଜ ଓ ସମସ୍ତ ସମିତି ସଭ୍ୟା ମାନଙ୍କୁ ଦଳୀୟ ଉତ୍ତରୀୟ, ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ। ଭାରତୀୟ ଜନତା ପାର୍ଟିର ନୀତି ଓ ଆଦର୍ଶ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡାଙ୍କ ଦୃଢ଼ ସଂଗଠନରେ ଅନୁପ୍ରାଣିତ ହୋଇ ଭାଜପାରେ ଯୋଗଦେଇଛୁ ବୋଲି ବ୍ଲକ ଅଧ୍ୟକ୍ଷା ଓ ତାଙ୍କ ସମସ୍ତ ସମର୍ଥକ ସମିତି ସଭ୍ୟା ପ୍ରମୁଖ ନିଜ ବକ୍ତବ୍ୟରେ ସ୍ପଷ୍ଟ କରିଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଟକିଶୋର ମିଶ୍ର, କୃଷକ ମୋର୍ଚ୍ଚାର ରାଜ୍ୟ ସଂପାଦକ ଉପାଧ୍ୟାୟ ପାଣିଗ୍ରାହୀ, ମହିଳା ମୋର୍ଚ୍ଚାର ଜିଲା ସଭାନେତ୍ରୀ ଶାନ୍ତି ସରାଫ, ବରିଷ୍ଠ ବିଜେପି ନେତା ଭେଷଜ ରଥ, ପ୍ରତାପ ମହାପାତ୍ର, ପଦ୍ମନାଭ ପଣ୍ଡା, ବଡ଼ଗାଁ ବ୍ଲକ ବିଧାୟକ ପ୍ରତିନିଧି ଶିଶିର ରାଉତରାୟ, ମଣ୍ଡଳ ସଭାପତି ବାବୁଲି ଖରସେଲ, ହୀରାଧର ମାଝୀ, ସୁଜିତ ପଟେଲ, ଦେବେନ୍ଦ୍ର ଦାସ, ଅଖିଳ ବେହେରା, ଅକ୍ଷୟ ଦେଓ, ଅଚ୍ୟୁତାନନ୍ଦ ସାହୁ ସମେତ ବହୁ ଭାଜପା କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ।
Popular Categories



