ଆଠଗଡରେ ବିଜେପିର ସଂଯୁକ୍ତ ମୋର୍ଚ୍ଚା ସମ୍ମିଳନୀ
ଆଠଗଡ : ଆଠଗଡ ବିଧାନସଭାସ୍ତରୀୟ ବିଜେପିର ସଂଯୁକ୍ତ ମୋର୍ଚ୍ଚା ସମ୍ମିଳନୀ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଜେପିର ୭ଟି ଛାମୁଆ ମୋର୍ଚ୍ଚାର ସମସ୍ତ ପଦାଧିକାରୀ ଓ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ। ବରିଷ୍ଠ ବିଜେପି ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବ୍ରଜେନ୍ଦ୍ର କୁମାର ରାୟଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସମ୍ମିଳନୀରେ ପୂର୍ବତନ ସାଂସଦ ତଥା ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚାର ରାଜ୍ୟ ସଭାପତି ଡଃ ବିଭୂପ୍ରସାଦ ତରାଇ ଯୋଗଦେଇ ବିଗତ ୯ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧିନ ସରକାରଙ୍କର ବିଭିନ୍ନ ବିକାଶମୂଳକ ଓ ଜନହିତକର ଯୋଜନା ସଂପର୍କରେ ଆଲୋକପାତ କରିବା ସହ ଏହି ସମୟ ମଧ୍ୟରେ ଭାରତ ବିଶ୍ୱରେ ଏକ ଶକ୍ତିଶାଳୀ ରାଷ୍ଟ୍ର ଭାବେ ଉଭା ହୋଇଛି ବୋଲି ମତବ୍ୟକ୍ତ କରିଥିଲେ । ବିଶ୍ୱରେ ବିଭିନ୍ନ ଦେଶର ଅର୍ଥନୈତିକ ସ୍ଥିତି ଦୁର୍ବଳ ହେଉଥିବା ବେଳେ ଭାରତବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁଶାସନ ଏବଂ ସଠିକ୍ ଆର୍ଥିକ ପରିଚାଳନା ଯୋଗୁଁ ବିଶ୍ୱରେ ୧୦ମ ସ୍ଥାନରୁ ଉଠି ୫ମ ସ୍ଥାନରେ ପହଞ୍ଚିଛି ଏବଂ ଆଗାମୀ ୫ବର୍ଷ ମଧ୍ୟରେ ଏହା ୩ୟ ସ୍ଥାନରେ ପହଞ୍ଚିବ ବୋଲି ପ୍ରକାଶ କରିଥିଲେ।
ରାଜ୍ୟର ବିଜେଡି ସରକାରକୁ ତୀବ୍ର ସମାଲୋଚନା କରି ଡଃ ତରାଇ କେନ୍ଦ୍ର ସରକାରଙ୍କର ବିଭିନ୍ନ ଯୋଜନାକୁ ରାଜ୍ୟ ସରକାର ହଡପ କରି ନିଜ ନାମରେ ପ୍ରଚାର କରି ଭୂଆଁ ବୁଲାଉଛନ୍ତି । ଏଠାରେ ନିର୍ବାଚିତ ବିଧାୟକ, ସାଂସଦ, ଏପରିକି ମନ୍ତ୍ରୀଙ୍କ ଉପରେ ମୁଖ୍ୟମନ୍ତ୍ରୀ ଭରସା ନକରି ନିଜ ଅମଲାତନ୍ତ୍ର ଉପରେ ଅଧିକ ଆସ୍ଥା ପ୍ରକଟ କରିବା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ବୋଲି ଡଃ ତରାଇ ମତବ୍ୟକ୍ତ କରିଥିଲେ। କେନ୍ଦ୍ର ସରକାରଙ୍କର ୯ବର୍ଷର ସଫଳତା ଓ ଉପଲବ୍ଧିକୁ ନେଇ କାର୍ଯ୍ୟକର୍ତ୍ତାମାନେ ଘରକୁ ଘର ବୁଲି ଲୋକଙ୍କୁ ଅବଗତ କରାଇବା ପାଇଁ ଡଃ ତରାଇ ପରାମର୍ଶ ଦେଇଥିଲେ । ବରିଷ୍ଠ ନେତା ବିକ୍ରମ କେଶରୀ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକରେ କଟକ ଲୋକସଭା ସଂଯୋଜକ ସୁକାନ୍ତ ବିଶ୍ୱାଳ, ବିସ୍ତାରକ ମୃତ୍ୟୁଞ୍ଜୟ ଜେନା, ବିଧାନସଭା ପ୍ରଭାରୀ ଜ୍ଞାନେନ୍ଦ୍ର ସ୍ୱାଇଁ, କଟକ ଜିଲ୍ଲା ସାଧାରଣ ସଂପାଦକ ରାମନାରାୟଣ ମହାନ୍ତି, ଜିଲ୍ଲା ମହିଳା ମୋର୍ଚ୍ଚା ସଂପାଦିକା ହେମମଞ୍ଜରୀ ଭଞ୍ଜଦେଓ, ବରିଷ୍ଠ ମହିଳା ମୋର୍ଚ୍ଚା ନେତ୍ରୀ ଇଲାପଣ୍ଡା, ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ ସଂଯୋଜକ ସତ୍ୟଜିତ୍ ମଲ୍ଲିକ, ରାଜ୍ୟ ଯୁବମୋର୍ଚ୍ଚା ସଂଯୋଜକ ଅଶ୍ୱିନୀ ସାହୁ ପ୍ରମୁଖ ଉଦ୍ବୋଧନ ଦେଇଥିଲେ। ସମସ୍ତ ମଣ୍ଡଳ ସଭାପତି, ତପନ ଲେଙ୍କା, ଉମେଶ ସାମଲ, ନିର୍ମଳ କୁମାର, ସନ୍ତୋଷ ରାଉତ, ଚିନ୍ମୟ ମଲ୍ଲିକ, ନଗର ମଣ୍ଡଳ ସଭାପତି ହେମନ୍ତ କୁମାର ମହାନ୍ତିଙ୍କ ସମେତ ବରିଷ୍ଠ ନେତା କ୍ୟାପଟେନ ପ୍ରଫୁଲ୍ଲ ପରିଡା, ଡଃ ହରିହର ସାହୁ, ବିବେକାନନ୍ଦ ବେଉରା, ଶଶଧର ମିଶ୍ର, ପଦ୍ମଲୋଚନ ବେଉରା, କଳ୍ପନା ମହାପାତ୍ର, ସସ୍ମିତା ସାହୁ, ପ୍ରମୋଦ କୁମାର ରାୟ, ମିଡିଆ ସଂଯୋଜକ ପରେଶ ରଞ୍ଜନ ସାହୁ ପ୍ରମୁଖ ଆଲୋଚନାରେ ଅଶଂଗ୍ରହଣ କରିଥିଲେ । ଜିଲ୍ଲା ଉପସଭାପତି ବିଚିତ୍ରାନନ୍ଦ ଜେନା ଧନ୍ୟବାଦ ଅର୍ପଣ କରିଥିଲେ।
Comments are closed.