ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ: ବିଜେପି ପ୍ରାର୍ଥିତାଲିକାରୁ ବାଦ ପଡ଼ିଲେ ୩ ମନ୍ତ୍ରୀଙ୍କ ସମେତ ୩୪ ବିଧାୟକ

0

ଭୋପାଳ : ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଶୁକ୍ରବାର ବିଜେପି ପକ୍ଷରୁ ପ୍ରାର୍ଥିତାଲିକା ପ୍ରକାଶ ପାଇଛି। ପ୍ରଥମ ପର୍ଯ୍ୟାୟ ପ୍ରାର୍ଥିତାଲିକାରେ ୧୭୭ ଜଣଙ୍କ ନାମ ଘୋଷଣା କରାଯାଇଛି। ତେବେ ଏହି ତାଲିକାରୁ ୩ ମନ୍ତ୍ରୀଙ୍କ ସମେତ ୩୪ ବିଧାୟକ ବାଦ୍‍ ପଡ଼ିଛନ୍ତି।
ପ୍ରକାଶିତ ପ୍ରାର୍ଥିତାଲିକା ଅନୁସାରେ ୨୦୧୩ ନିର୍ବାଚନରେ ପରାଜୟ ଭୋଗିଥିବା କେତେକ ନେତାଙ୍କୁ ପୁନଃ ସୁଯୋଗ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ପୁଣିଥରେ ବୁଧନି ଆସନରୁ ନିର୍ବାଚନ ଲଢିବେ। ପୂର୍ବତନ ମୁଖ୍ୟମନ୍ତ୍ରୀ ବାବୁଲାଲ ଗୌରଙ୍କ ଗୋବିନ୍ଦପୁର ବିଧାନସଭା ଆସନ ଏବଂ ପୂର୍ବତନ ମନ୍ତ୍ରୀ କୈଳାସ ବିଜୟଭାର୍ଗୀୟଙ୍କ ମହୁ ବିଧାନସଭା ଆସନ ନେଇ ଏହି ତାଲିକାରେ କିଛି ଉଲ୍ଲେଖ କରାଯାଇ ନାହିଁ। ମଧ୍ୟପ୍ରଦେଶରେ ମୋଟ ୨୩୦ଟି ବିଧାନସଭା ଆସନ ଅଛି। ୫୩ ଜଣିଆ ପ୍ରାର୍ଥିତାଲିକା କିଛି ଦିନ ପରେ ପ୍ରକାଶ ପାଇବ ବୋଲି ରାଜ୍ୟ ବିଜେପିର ନେତା ପ୍ରକାଶ କରିଛନ୍ତି। କଂଗ୍ରେସ ଦଳ ଛାଡ଼ି ବିଜେପିରେ ଯୋଗଦେଇଥିବା ପୂର୍ବତନ ସାଂସଦ ପ୍ରେମଚାନ୍ଦ ଗୁଡ୍ଡୁଙ୍କୁ ବି ଟିକେଟ ମିଳିବାର ସମ୍ଭାବନା ରହିଛି।
ସୂଚନା ଅନୁସାରେ ଶିବରାଜଙ୍କ ସରକାରରେ ନଗର ପ୍ରଶାସନ ମନ୍ତ୍ରୀ ଥିବା ମାୟା ସିଂହଙ୍କ ପୂର୍ବତନ ଗ୍ୱାଲିୟର ବିଧାନସଭା ଆସନ ଟିକେଟ୍‍ କଟିଯାଇଛି। ତାଙ୍କ ସ୍ଥାନରେ ସତୀଶ ସିକାରୱାରଙ୍କୁ ଟିକେଟ ମିଳିଛି। ସେହିପରି ସତୀଶଙ୍କ ଭାଇ ତଥା ବର୍ତ୍ତମାନର ବିଧାୟକ ସତ୍ୟପାଳ ସିକାରୱାରଙ୍କ ସୁମାୱାଲି ବିଧାନସଭା ଆସନ ଟିକେଟ୍‍ କଟିଯାଇଛି। ଅର୍ଥ ମନ୍ତ୍ରୀ ଗୌରୀଶଙ୍କର ଶେଜୱାରଙ୍କ ଜାଗାରେ ତାଙ୍କ ପୁଅ ମୁଦିତ ଶେଜୱାରଙ୍କୁ ସାଞ୍ଚି ବିଧାନସଭା ଆସନରେ ପ୍ରାର୍ଥୀ କରାଯାଇଛି। ବ୍ୟାପମ ଦୁର୍ନୀତି ଅଭିଯୁକ୍ତ ପୂର୍ବତନ ମନ୍ତ୍ରୀ ଲକ୍ଷ୍ମୀକାନ୍ତ ଶର୍ମାଙ୍କ ଭାଇ ଉମାକାନ୍ତଙ୍କୁ ସିରୋଞ୍ଜ ବିଧାନସଭା ଆସନରେ ପ୍ରାର୍ଥୀ କରାଯାଇଛି। ରାମପୁର ବାଘେଲାନ ବିଧାୟତ ତଥା ମନ୍ତ୍ରୀ ହର୍ଷ ସିଂହଙ୍କ ଟିକେଟ୍‍ କଟିଯାଇଛି। ତାଙ୍କ ସ୍ଥାନରେ ତାଙ୍କ ପୁଅ ବିକ୍ରମ ସିଂହଙ୍କୁ ପ୍ରାର୍ଥୀ କରାଯାଇଛି। ଦେୱାସ-ଶାଜାପୁର ଲୋକସଭା ସାଂସଦ ମନୋହର ଉଁଟୱାଲଙ୍କୁ ଆଗର ବିଧାନସଭା ଆସନରୁ ପ୍ରାର୍ଥୀ କରାଯାଇଛି। ପନ୍ନା-ଖଜୁରାହୋ ଲୋକସଭା ସାଂସଦ ନାଗେନ୍ଦ୍ର ସିଂହଙ୍କୁ ନାଗୋଦ ବିଧାନସଭା ଆସନରୁ ପ୍ରାର୍ଥୀ କରାଯାଇଛି।

Leave A Reply