ବ୍ୟାଗ୍‌ ପୋଡିଲେ ବିଜେପି ନେତା ଓ କର୍ମୀ : ଲାଗିଲା ସଙ୍ଗୀନ୍ ମାମଲା

ଫୁଲବାଣୀ: ସରକାରୀ ସୁଲଭ ମୂଲ୍ୟ ଖାଉଟି କେନ୍ଦ୍ରରୁ ବିଜେପି ନେତା ଏବଂ କର୍ମୀମାନେ ଆମ ଓଡ଼ିଶା ନବୀନ ଓଡିଶା ବ୍ୟାଗ ଗୁଡ଼ିକୁ ଲୁଟିନେଇ ରାସ୍ତାରେ ନିଆଁ ଲଗାଇ ପୋଡି ଦେଇଛନ୍ତି । ଏ ନେଇ ଥାନାରେ ମାମଲା ରୁଜୁ ହୋଇଥିବାବେଳେ ନେତା ଓ କର୍ମୀଙ୍କ ନାମରେ ସଙ୍ଗିନ ମାମଲା ଲାଗିଛି । ଏହାକୁ ନେଇ ଏବେ ବିଜେପି – ବିଜେଡି ମୁହାଁମୁହିଁ ହୋଇଛନ୍ତି । କେନ୍ଦ୍ର ସରକାର ଗରିବ ହିତାଧିକାରୀଙ୍କୁ ମାଗଣାରେ ଚାଉଳ ଦେଉଥିବାବେଳେ ରାଜ୍ୟ ସରକାର ହିତାଧିକାରୀଙ୍କୁ ୫-ଟି ,ଆମ ଓଡ଼ିଶା ନବୀନ ଓଡ଼ିଶା ଏବଂ ଶଙ୍ଖ ଚି଼ହ୍ନ ଥିବା ବ୍ୟାଗ ଦେଇ ମିଛରେ ବାହାବା ନେବାକୁ ଚେଷ୍ଟା କରୁଛି ବୋଲି ଅଭିଯୋଗ କରିଛି ବିଜେପି । ଏହାକୁ ନେଇ ରବିବାର ସ୍ଥାନୀୟ ଏକ ସରକାରୀ ସୁଲଭ ମୂଲ୍ୟ ଖାଉଟି କେନ୍ଦ୍ରରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି । ଘଟଣା ଥାନାରେ ପହଞ୍ଚିଛି। ସୂଚନା ଅନୁଯାୟୀ ରବିବାର ଫୁଲବାଣୀ ସହରର ମାଷ୍ଟ୍ରପଡା ଠାରେ ଥିବା ଏକ ବିକ୍ରୟ କେନ୍ଦ୍ରରେ ହିତାଧିକାରୀଙ୍କୁ ରାଜ୍ୟ ସରକାରଙ୍କ ପ୍ରଦତ ବ୍ୟାଗରେ ଚାଉଳ ବଣ୍ଟନ କରାଯାଉଥିଲା । ଏହି ସମୟରେ କିଛି ବିଜେପି ନେତା ଏବଂ କର୍ମୀ ସେଠାରେ ପହଞ୍ଚି ଏହାକୁ ବିରୋଧ କରିଥିଲେ। କେନ୍ଦ୍ର ସରକାର ଚାଉଳ ଦେଉଥିବାବେଳେ ନବୀନ ଓଡିଶା ଚିହ୍ନ ଥାଇ ବ୍ୟାଗରେ ଏହି ଚାଉଳ କାହିଁକି ଦିଆଯାଉଛି ବୋଲି ପ୍ରଶ୍ନ କରିଥିଲେ ବିଜେପି ନେତା । ପରେ କିଛି ବ୍ୟାଗ ନେଇ ରାସ୍ତାରେ ପକାଇ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି।  ବହୁ ବିଜେପି କର୍ମୀ ଏଥିରେ ସାମିଲ ଥିବା ଅଭିଯୋଗ ହୋଇଛି । ପରେ ଏ ସମ୍ପର୍କରେ ରାସନ ବଣ୍ଟନ କେନ୍ଦ୍ରର ବିକ୍ରେତା, ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଏବଂ ବିଜେଡ଼ି କର୍ମୀ ମାନେ ମିଳିତ ଭାବେ ଯାଇ ଫୁଲବାଣୀ ଟାଉନରେ ଏକ ମାମଲା ରୁଜୁ କରିଥିବା ଜଣାପଡ଼ିଛି । ଏ ନେଇ ଟାଉନ ଥାନାରେ ଏକ ମାମଲା ରୁଜ୍ଜୁ କରାଯାଇ ତଦନ୍ତ ଚାଲିଥିବା ବେଳେକିଛି  ବିଜେପି ନେତା ଓ କର୍ମି ମାନଙ୍କ ନାମରେ ସଙ୍ଗୀନ୍ ମାମଲା ଲାଗିଚି  ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି।

Comments are closed.