ନୂଆଦିଲ୍ଲୀ: ‘ଗୋଟିଏ ଦେଶ, ଗୋଟିଏ ଆଇନ’ର ନାରା ଦେଉଥିବା ବିଜେପି ଶାସିତ କେନ୍ଦ୍ର ସରକାରଙ୍କ ପାଇଁ ନୂଆ ମୋଟର ଯାନ ଆଇନ ଅଡୁଆ ପରିସ୍ଥିତି ସୃଷ୍ଟି କରିବାରେ ଲାଗିଛି। ଟ୍ରାଫିକ ନିୟମର ପାଳନ କରିବା ଲାଗି ଲାଗୁ ହୋଇଥିବା ଏହି ଆଇନରେ ଜରିମାନା ଅର୍ଥ ବହୁ ପରିମାଣରେ ବୃଦ୍ଧି କରାଯାଇଛି। ଗତ ସେପ୍ଟେମ୍ବର ୧ ତାରିଖରୁ ଲାଗୁ ହୋଇଥିବା ଏହି ଆଇନ ଅଧୀନରେ ହଜାର ହଜାର ଟଙ୍କାର ଚାଲାଣ କରାଯାଉଛି, କିନ୍ତୁ ଅନେକ ରାଜ୍ୟ ସରକାର ଏହି ନିଷ୍ପତ୍ତିରେ ଅସନ୍ତୋଷ ପ୍ରକାଶ କରିଛନ୍ତି। କେତେକ ରାଜ୍ୟ ଆଇନକୁ ପୂର୍ଣ୍ଣ ସମର୍ଥନ କରୁ ନ ଥିବାବେଳେ ଏଥିରେ ସଂଶୋଧନ କରି ଜରିମାନା ରାଶି ହ୍ରାସ କରିଦେଇଛନ୍ତି। ଏହି ରାଜ୍ୟ ତାଲିକାରେ ବିଜେପି ଶାସିତ ରାଜ୍ୟଗୁଡ଼ିକ ଆଗରେ ରହିଛନ୍ତି।
କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡ଼କରୀଙ୍କ ଏହି ନୂଆ ଆଇନରେ ଜରିମାନା ଅର୍ଥ ୧ ହଜାର ଟଙ୍କାରୁ ବୃଦ୍ଧି ପାଇ ୫ ହଜାର ଅଥବା ୧୦ ହଜାର କରିଦିଆଯାଇଛି। ନୂଆ ଆଇନ ଲାଗୁ ହେବା ପରେ ୨୫ ହଜାର, ୫୦ ହଜାର ଟଙ୍କାର ଚାଲାଣ କଟୁଛି। ଏହାକୁ ନେଇ ଦେଶବ୍ୟାପୀ ଅସନ୍ତୋଷ ପ୍ରକାଶ ପାଇଥିବାବେଳେ ବିଜେପି ଶାସିତ ଗୁରାଜଟ ସରକାର ପ୍ରଥମ କରି ଏହି ଆଇନରେ ସଂଶୋଧନ ଆଣି ୯୦ ପ୍ରତିଶତ ପର୍ଯ୍ୟନ୍ତ ଜରିମାନା ରାଶି ହ୍ରାସ କରିଛନ୍ତି। ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଘରୋଇ ରାଜ୍ୟରେ ବିଜେପି ସରକାରଙ୍କ ଏପରି ନିଷ୍ପତ୍ତି କେନ୍ଦ୍ର ସରକାରଙ୍କ ଆଇନ ପ୍ରତି ଏକ ପ୍ରକାର ଚ୍ୟାଲେଞ୍ଜ ବୋଲି କୁହାଯାଉଛି।
ଗୁଜରାଟର ଏହି ପଦକ୍ଷେପ ପରେ ଅନ୍ୟ ରାଜ୍ୟଗୁଡ଼ିକ ମଧ୍ୟ ଅନୁରୂପ ପଦକ୍ଷେପ ନେବାକୁ ଚିନ୍ତା କରୁଛନ୍ତି। ବିଶେଷ କରି ଯେଉଁ ରାଜ୍ୟଗୁଡ଼ିକରେ ଆଗାମୀ କିଛି ଦିନରେ ନିର୍ବାଚନ ହେବାର ଅଛି, ସେଠାରେ ରାଜ୍ୟ ସରକାର ଆଇନ ସଂଶୋଧନ କରିବାକୁ ତତ୍ପରତା ଦେଖାଉଛନ୍ତି। ଗୁଜରାଟ ପରେ ବିଜେପି ଶାସିତ ମହାରାଷ୍ଟ୍ର ସରକାର ନିତିନ ଗଡ଼କରୀଙ୍କୁ ଚିଠି ଲେଖି ଚିନ୍ତା ପ୍ରକଟ କରିଛନ୍ତି। ସେହିପରି ଝାଡ଼ଖଣ୍ଡ ଏବଂ ହରିୟାଣାରେ ମଧ୍ୟ ରାଜ୍ୟ ସରକାର ଏ ଦିଗରେ ବିଶେଷ ଅଧିବେଶନ ଡକାଇ ଆଇନରେ ସଂଶୋଧନ କରିପାରନ୍ତି। ହରିୟାଣା ସରକାର ଏବେ ୪୫ ଦିନର ସଚେତନତା ଅଭିଯାନ ଆରମ୍ଭ କରିଛନ୍ତି।



