www.samajalive.in
Monday, December 15, 2025
15.1 C
Bhubaneswar

କରୋନା ମୁକାବିଲାରେ ରାଜ୍ୟସରକାର, ଗଂଜାମ ଜିଲା ପ୍ରଶାସନ ସମ୍ପୂର୍ଣ୍ଣ ବିଫଳ : ବିଜେପି

ଭୂବନେଶ୍ୱର : ସାରା ରାଜ୍ୟରେ କରୋନା ବର୍ତ୍ତମାନ ଏକ ଭୟଙ୍କର ରୂପ ନେଇସାରିଲାଣି। ଓଡିଶାରେ ଆଜି ସୁଦ୍ଧା ସର୍ବମୋଟ ୧୩ ହଜାର କରୋନା ପଜିଟିଭି ବାହାରିଲାଣି । ଯେଉଁଥିରୁ ଗଂଜାମ ଜିଲାରୁ କେବଳ ୪ ହଜାରରୁ ଉର୍ଦ୍ଧ୍ବ। ବର୍ତ୍ତମାନ ରାଜ୍ୟରେ ଆକ୍ଟିଭ ଥିବା ୪,୮୯୬ କେସରୁ ଗଂଜାମରେ କେବଳ ହେଉଛି ୧୯୧୭। ଏଥିରୁ ଅନୁମାନ କରାଯାଇପାରେ ଯେ, ଗଂଜାମରେ କରୋନାର ସ୍ଥିତି କେତେ ଭୟଙ୍କର ଅଛି। ଗଂଜାମ ହେଉଛି ମୁଖ୍ୟମନ୍ତ୍ରୀଙ୍କର ନିଜ ଜିଲା। ଯଦି ସେଠାରେ କରୋନା ମୁକାବିଲାରେ ରାଜ୍ୟ ସରକାର ବିଫଳ ତା ହେଲେ ଓଡିଶାର ଅନ୍ୟ ଅଞ୍ଚଳରେ ସ୍ଥିତି କଣ ହୋଇଥିବ ? କରୋନା ମୁକାବିଲାକୁ ନେଇ ରାଜ୍ୟସରକାର ନାନା ପ୍ରକାର ଭାଷଣବାଜି କରୁଥିବାବେଳେ ବାସ୍ତବ ସ୍ଥିତି କିନ୍ତୁ ଗ୍ରାଉଣ୍ଡରେ ସମ୍ପୂର୍ଣ୍ଣ ଓଲଟା। କରୋନା ମୁକାବିଲାରେ ରାଜ୍ୟସରକାର, ଜିଲ୍ଲା ପ୍ରଶାସନ ସମ୍ପୁର୍ଣ୍ଣ ବିଫଳ ବୋଲି ବିଜେପି ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର ଅଭିଯୋଗ କରିଛନ୍ତି।

ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନଷ୍ଠୁତ ଏକ ସାମ୍ବାଦିକ ସମ୍ମିଳନୀରେ ବିଭିନ୍ନ ଗଣମାଧ୍ୟମ, ସାମାଜିକ ଗଣମାଧ୍ୟମରେ ପ୍ରକାଶ ପାଇଥିବା କିଛି ଭିଡିଓ ପ୍ରଦର୍ଶନ ମାଧ୍ୟମରେ ବକ୍ସିପାତ୍ର କହିଛନ୍ତି ଯେ,  ବିଭିନ୍ନ ସରକାରୀ କ୍ବାରେଣ୍ଟାଇନ କେନ୍ଦ୍ରରୁ, ଆଇସୋଲେସନ କେନ୍ଦ୍ର ମାନଙ୍କରେ ପିଇବା ପାଣିର ବ୍ୟବସ୍ଥା ନାହିଁ, ନିମ୍ନମାନର ଖାଇବା ମିଳୁଛି ଏବଂ ଆକ୍ରାନ୍ତକାରୀମାନେ ଅସ୍ୱାସ୍ଥ୍ୟକର ପରିବେଶରେ ରହୁଛନ୍ତି। ପ୍ରଥମ ଦିନରୁ ଏ ଅବ୍ୟବସ୍ଥା ଚାଲିଆସିଛି। ଯେତେବେଳେ ପ୍ରବାସୀମାନେ ରାଜ୍ୟକୁ ଫେରିଲେ ସେତେବେଳେ ବିନା ସୁବିଧା ଓ ବିନା ବ୍ୟବସ୍ଥାରେ ବିଭିନ୍ନ କ୍ୱାରେଣ୍ଟାଇନ କେନ୍ଦ୍ରରେ ରଖାଗଲା। ଯାହା ଫଳରେ କିଛି ଲୁଚିକି ଘରକୁ ପଳାଇଲେ ଓ ଆହୁରି ଅନେକ ସମସ୍ୟା ତିଆରି ହେଲା। କ୍ବାରେଣ୍ଟାଇନ ଅବଧିକୁ ବାରମ୍ବାର ବଦଳାଯିବା, ବିନା ଟେଷ୍ଟିଙ୍ଗରେ ଲୋକମାନଙ୍କୁ ଘରକୁ ପଠାଇ ଦିଆଯିବା ଆଦି କାରଣ ପାଇଁ ଗଂଜାମରେ ଆଜି ଏହି ଅବ୍ୟବସ୍ଥା ସୃଷ୍ଟି ହୋଇଛି ବୋଲି ବକ୍ସିପାତ୍ର ଅଭିଯୋଗ କରିଛନ୍ତି।

- Advertisement -

କୋଭିଡ କେଆର ହୋମରେ ମୃତ୍ୟୁ ସଂଖ୍ୟା ମଧ୍ୟ ସାମ୍ନାକୁ ଆସୁଛି। ଏଥିପାଇଁ ସରକାରଙ୍କ ଭୁଲ ନିଷ୍ପତି ହିଁ ଦାୟୀ।
ବର୍ତ୍ତମାନ ଗଂଜାମ ସମେତ ରାଜ୍ୟର ଅନ୍ୟ ଭାଗରେ ସରକାରୀ ଡାକ୍ତରଖାନାମାନଙ୍କରେ ଓପିଡି ସେବା ବନ୍ଦ ହେବାରୁ ଏକ ଗୁରୁତର ସମସ୍ୟା ଭାବେ ଠିଆ ହୋଇଛି। ଓପିଡି ବନ୍ଦ ହୋଇଯିବା ଫଳରେ ଅନ୍ୟ ରୋଗରେ ପୀଡିତ ରୋଗୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି।

ଘରକୁ ଘର ବୁଲି ସର୍ଭେ କରୁଥିବା ସରକାରୀ କର୍ମଚାରୀମାନଙ୍କର ସୁରକ୍ଷା କଥା ସରକାର ଚିନ୍ତା କରୁନାହାନ୍ତି। ସେମାନଙ୍କ ପାଖରେ ପିପିଇ କିଟ ନାହିଁ। ଯେଉଁଠି ବି ଦିଆଯାଉଛି ତାହା ଅତ୍ୟନ୍ତ ନିମ୍ନମାନର। ଅଙ୍ଗନଓାଡି କର୍ମୀ ହୁଅନ୍ତୁ ବା ସ୍କୁଲ ଶିକ୍ଷକ ହୁଅନ୍ତୁ, ଯେଉଁମାନେ ଫିଲ୍ଡ ସର୍ଭେ କରିବା ପାଇଁ ଯାଉଛନ୍ତି ସେମାନଙ୍କର କରୋନା ପରୀକ୍ଷା କରାଯାଉନାହିଁ।

ସରକାର ବିଶେଷ ଭାବେ ଗଂଜାମ ଜିଲ୍ଲା ପ୍ରଶାସନ ଏବେ ସୁଦ୍ଧା କରୋନା ମୁକାବିଲାରେ ନିୟୋଜିତ ହୋଇ ମୃତ୍ୟୁବରଣ କରିଥିବା ସରକାରୀ କର୍ମଚାରୀମାନଙ୍କୁ କରୋନା ଓାରିୟର ଘୋଷଣା କରୁନାହାନ୍ତି। ଯାହା ଫଳରେ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ସେମାନେ ପାଉନାହାନ୍ତି। ଅନେକ ଅଙ୍ଗନଓାଡି କର୍ମଚାରୀ ମଲେଣି। ହେଲେ ସରକାର ତାହା ମାନୁନାହାନ୍ତି। ସରକାର କେବଳ ଚାପରେ ଆସି ଜଣେ ଶିକ୍ଷକ ମରିବା ପରେ ତାଙ୍କ ମୃତ୍ୟୁକୁ କରୋନା ପାଇଁ ବୋଲି ସ୍ୱୀକାର କରିଛନ୍ତି। ସରକାର ତୁରନ୍ତ କରୋନାମୁକାବିଲାରେ ପ୍ରାଣ ହରାଇଥିବା ସମସ୍ତ କରୋନା ମୃତକ, ଅଙ୍ଗନଓାଡି କର୍ମଚାରୀ, ଆଶା ଜର୍ମଚାରୀ, ଡାକ୍ତର, ସ୍ୱାସ୍ଥ୍ୟକର୍ମଚାରୀ, ଶିକ୍ଷକ, ପୋଲିସ, ସାମ୍ବାଦିକମାନଙ୍କୁ ଘୋଷଣା କରିଥିବା କ୍ଷତିପୂରଣ ରାଶି ଦିଅନ୍ତୁ ବୋଲି ବକ୍ସିପାତ୍ର କହିଛନ୍ତି।

ପ୍ରଧାନମନ୍ତ୍ରୀ କରୋନା ମୁକାବିଲାକୁ ନେଇ ସାରା ଦେଶର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ସହମତିରେ ନିଷ୍ପତି ନେଉଛନ୍ତି। ସବୁ ରାଜ୍ୟର ସରକାରମାନଙ୍କୁ ନିଷ୍ପତି ନେବାର ସ୍ୱାଧୀନତା ଦେଇଛନ୍ତି। ହେଲେ ଓଡିଶା ସରକାରଙ୍କର କୋଭିଡ ମୁକାବିଲା କିଛି ହାତଗଣତି ଅଧିକାରୀଙ୍କ ଦ୍ୱାରା କରାଯାଉଛି। ମନ୍ତ୍ରୀମାନଙ୍କୁ ପଚରାଯାଉନାହିଁ। ଦୂରଦୃଷ୍ଟିର ଅଭାବ, ବିନାସହମତିରେ କୋଭିଡ ପରିଚାଳନା ପାଇଁ ରାଜ୍ୟରେ ଆଜି ଏହି ଅବସ୍ଥା ସୃଷ୍ଟି ହୋଇଛି ।

ଜିଲା ପ୍ରଶାସନ କରୋନା ମୁକାବିଲାରେ ସ୍ଥାନୀୟ ସାମାଜିକ ସଂଗଠନ, ରାଜନୈତିକ ସଂଗଠନ, ସ୍ୱେଛାସେବୀମାନଙ୍କୁ ସାମିଲ କରୁନାହାନ୍ତି। କରୋନା ବିରୋଧରେ ଏ ଲଢେଇ କେବଳ ସରକାର ଲଢୁ ନାହାନ୍ତି। ଏହି ମୁକାବିଲାରେ ସରକାର ସମସ୍ତଙ୍କୁ ସାମିଲ କରନ୍ତୁ। ରାଜ୍ୟସରକାର କରୋନା ମୁକାବିଲାରେ ଗାଁ କମିଟିର ପରାମର୍ଶ ଅନୁସାରେ ପଦକ୍ଷେପ ନେବେ ବୋଲି ଘୋଷଣା କରିଥିଲେ। ହେଲେ ତାହା ହେଉନାହିଁ ବୋଲି ବୋଲି ବିଜେପି ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ।

ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାନେତ୍ରୀ ଅନିତା ଶୁଭଦର୍ଶିନୀ, ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ, ଗଂଜାମ ଜିଲା, ସଭାପତି ବିଭୁତି ଜେନା, ଘୁମୁସୁର ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଲ୍ଲିକ, ଶିଶିର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories