www.samajalive.in
Sunday, December 7, 2025
13.1 C
Bhubaneswar

ନବମ ଥର ନବୀନ ହେବେ ବିଜେଡି ସଭାପତି: ଆଜି ହେବ ବିଧିବଦ୍ଧ ଘୋଷଣା

ଭୁବନେଶ୍ବର : ନବମ ଥର ପାଇଁ ବିଜେଡିର ରାଜ୍ୟ ସଭାପତି ହେବେ ନବୀନ ପଟ୍ଟନାୟକ। ନବୀନଙ୍କ ବ୍ୟତୀତ ଦଳର ଅନ୍ୟ କେହି ନାମାଙ୍କନ ଦାଖଲ କରି ନଥିବାରୁ ପୁଣି ନବୀନ ନିର୍ଦ୍ବନ୍ଦ୍ବରେ ସଭାପତି ହେବା ନିଶ୍ଚିତ ହୋଇଛି। ଆଜି ନବୀନଙ୍କୁ ସଭାପତି ଭାବେ ବିଧିବଦ୍ଧ ଘୋଷଣା କରାଯିବ। ରାଜ୍ୟ ସଭାପତି ସହ ଦଳ ପକ୍ଷରୁ ବାକି ଥିବା ସାଂଗଠନିକ ଜିଲାଗୁଡ଼ିକର ସଭାପତି ଘୋଷଣା କରାଯିବା ମଧ୍ୟ ସମ୍ଭାବନା ରହିଛି। ଏଥିସହ ୩୫୫ ଜଣଙ୍କୁ ନେଇ ରାଜ୍ୟ କାର୍ଯ୍ୟକାରିଣୀ ଓ ୮୧ ଜଣଙ୍କୁ ନେଇ ରାଜ୍ୟ ପରିଷଦ ଘୋଷଣା ହେବ ବୋଲି ଜଣାପଡ଼ିଛି। ଏହାପରେ ରାଜ୍ୟ କମିଟି, ଯୁବ, ଛାତ୍ର, ମହିଳା ଆଦି ଛାମୁଆ ସଂଗଠନ କମିଟି ଗଠନ କରାଯିବ। ୨୪ ବର୍ଷ ଧରି ରାଜ୍ୟରେ କ୍ଷମତାରେ ଥିବା ବିଜେଡି ଏବେ ବିରୋଧୀ ଆସନରେ। ସଂଗଠନରେ ଏଥର ଦଳ କାହାକୁ ଗୁରୁତ୍ବ ଦେବ ଏବଂ କାହା ପତ୍ତା କଟିବ ତାହା ଉପରେ ସମସ୍ତଙ୍କ ନଜର ରହିଛି।
ସୂଚନା ଅନୁଯାୟୀ, ଏଥର କିଛି ନୂଆ ପଦବୀ ଓ କମିଟି ସୃଷ୍ଟି କରିପାରନ୍ତି ନବୀନ। ସାଂଗଠନିକ ସମ୍ପାଦକ ପଦବୀ ଉଚ୍ଛେଦ କରି ପୂର୍ବ ପରି ମହାସଚିବ ପଦବୀ ସୃଷ୍ଟି କରାଯାଇପାରେ। ରାଜନୈତିକ ବ୍ୟାପାର କମିଟି ଓ ଶୃଙ୍ଖଳା କମିଟି ମଧ୍ୟ ଗଠନ କରାଯିବା ସମ୍ଭାବନା ରହିଛି। କାର୍ଯ୍ୟକାରୀ ସଭାପତି କାହାକୁ ରଖିବେ ସେ ସଂକ୍ରାନ୍ତରେ ସ୍ପଷ୍ଟତା ଆସିନାହିଁ। ସେହିପରି ଉପସଭାପତି ସଂଖ୍ୟା ନବୀନ ବୃଦ୍ଧି କରିପାରନ୍ତି। ଦେବୀ ମିଶ୍ର, ପ୍ରଣବ ପ୍ରକାଶ ଦାସ, ଅତନୁ ସବ୍ୟସାଚୀ ନାୟକ, ସଞ୍ଜୟ ଦାସବର୍ମା, ଅରୁଣ ସାହୁ, ପ୍ରତାପ ଜେନାଙ୍କୁ ସଂଗଠନରେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ମିଳିପାରେ। ସେହିପରି କିଛି ବରିଷ୍ଠ ନେତା ଓ ମେଳି କରୁଥିବା ଯୁବନେତାଙ୍କ ପତ୍ତା କଟିବା ସମ୍ଭାବନା ରହିଛି। ଯୁବ ନେତାଙ୍କ ସଂଖ୍ୟା ଦଳରେ ଅଧିକ ଥିବାରୁ ନୂଆ ଟିମ୍‌ରେ ପୁରୁଖାଙ୍କ ତୁଳନାରେ ଯୁବକଙ୍କୁ ଅଧିକ ଗୁରୁତ୍ବ ମିଳିବା ଉଚିତ୍ ବୋଲି ସ୍ବର ଉଠିଲାଣି। ପରାଜିତ ଅଭିଜ୍ଞ ନେତା ବି ସଂଗଠନରେ ଗୁରୁତ୍ବପୂର୍ଣ୍ଣ ପଦବୀ ହାତେଇବାକୁ ଲବି ଚଳାଇଥିବା ଜଣାପଡ଼ିଛି।
ଅନ୍ୟପକ୍ଷରେ ଦଳ ଓ ସଭାପତିଙ୍କ ପାଇଁ ଆଗକୁ ଅନେକ ଆହ୍ବାନ ରହିବ। ସମୀକ୍ଷକଙ୍କ ମତରେ ନିର୍ବାଚନ ପରାଜୟ ପରେ ଦଳ ଭିତରେ କୁହୁଳୁଥିବା ଅସନ୍ତୋଷ ୱାକଫ୍ ସଂଶୋଧନ ବିଧେୟକ ଭୋଟିଂ ପରେ ବଡ଼ ରୂପ ନେଇଛି। କିଛି ବରିଷ୍ଠ ନେତା ଦଳର ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ନବମ ଥର ବିଜେଡି ସଭାପତି ହେବା ପରେ ନବୀନଙ୍କ ଆଗରେ ସବୁଠୁ ବଡ଼ ଆହ୍ବାନ ରହିବ ଘରସଜଡ଼ା। ଭି.କେ. ପାଣ୍ଡିଆନ୍‌ ସକ୍ରିୟ ରାଜନୀତିରୁ ଓହରିଯାଇଥିବା କହିଥିଲେ ମଧ୍ୟ ଏବେବି ଦଳର ବିଭିନ୍ନ ନିଷ୍ପତ୍ତିରେ ତାଙ୍କ ହସ୍ତକ୍ଷେପ ରହୁଥିବା ଅଭିଯୋଗ ହେଉଛି। ଏହାକୁ ନେଇ ଅସନ୍ତୋଷ ଦେଖା ଦେଇଥିବାବେଳେ ହୋଟେଲରେ ନେତା ମେଳି କରୁଛନ୍ତି। ନବୀନ ଦଳରେ ପାଣ୍ଡିଆନ୍‌ଙ୍କ ଭୂମିକା ନେଇ ସ୍ପଷ୍ଟ କରିବା ସହ ଦଳର ବରିଷ୍ଠ ନେତାଙ୍କ ମଧ୍ୟରେ ବିଶ୍ବାସ ଆଣିବାକୁ ପଡ଼ିବ। ସେହିପରି ୱାକଫ୍ ସଂଶୋଧନ ବିଧେୟକକୁ ପ୍ରଥମେ ବିରୋଧ ଓ ପରେ ବିବେକ ଉପରେ ଛାଡ଼ି ୟୁ-ଟର୍ଣ୍ଣ ନେଇଥିଲା ବିଜେଡି। ଦଳର ଏଭଳି ନିଷ୍ପତ୍ତିକୁ ନେଇ କେବଳ ସଂଖ୍ୟାଲଘୁ ଭୋଟର ନୁହନ୍ତି ବରିଷ୍ଠ ନେତାଙ୍କ ମନରେ ବି ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ରଣେନ୍ଦ୍ର ପ୍ରତାପ ସ୍ବାଇଁ ନବୀନଙ୍କୁ ଲେଖିଥିବା ଚିଠିରେ ଏ ବିଷୟରେ ଉଲ୍ଲେଖ କରିଥିଲେ। ଆରମ୍ଭରୁ ଧର୍ମନିରପେକ୍ଷତାକୁ ଗୁରୁତ୍ବ ଦେଉଥିବା ଦଳର ଆଭିମୁଖ୍ୟ ସମ୍ପର୍କରେ ନବୀନଙ୍କୁ ସ୍ପଷ୍ଟ କରିବାକୁ ହେବ। ଆଗକୁ ପଞ୍ଚାୟତ ନିର୍ବାଚନ ରହିଥିବାବେଳେ ୱାକଫ୍ ଦ୍ବନ୍ଦ୍ବ ଦୂର ନକଲେ ଦଳ କ୍ଷତି ସହିପାରେ। ଏହାସହ ୱାକଫ୍ ଭୋଟ ପରେ ବିଜେଡି ଓ ବିଜେପିର ସମ୍ପର୍କ ନେଇ ବି ଚର୍ଚ୍ଚା ବଢ଼ିଛି। ଦଳର ଆଭିମୁଖ୍ୟ ତୁରନ୍ତ ସ୍ପଷ୍ଟ ହେବା ଜରୁରୀ ବୋଲି ରାଜନୈତିକ ସମୀକ୍ଷକ ମତ ରଖିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories