ବିଜେଡି ବିଜେପି ମେଣ୍ଟ ବିଷୟରେ ଏମିତି କହିଲେ ବିଜେଡି ନେତା ଦେବୀ ମିଶ୍ର, ଓଡିଶାର ସ୍ୱାର୍ଥ ଦୃଷ୍ଟିରୁ ସବୁ ଦିଗରୁ ଆଲୋଚନା ହୋଇଛି

ଭୁବନେଶ୍ୱର – ଓଡିଶାରେ ବିଜେଡି ଏବଂ ବିଜେପି ମଧ୍ୟରେ ମେଣ୍ଟ ନେଇ ଚର୍ଚ୍ଚା ଜୋର । ମେଣ୍ଟ ହେବ ବୋଲି ଅନେକ ରାଜନୈତିକ ସମୀକ୍ଷକ ଆଲୋଚନା କରିଛନ୍ତି । ଏ ନେଇ ନବୀନ ନିବାସରେ ବିଜେଡିର ବରିଷ୍ଟ ନେତାଙ୍କ ସହ ଦୁଇଟି ପର୍ଯ୍ୟାୟରେ ଆଲୋଚନା ହୋଇଛି । ଦିଲ୍ଲୀରେ ମଧ୍ୟ ବିଜେପି କୋର କମିଟିର ବୈଠକ ହୋଇଛି । ଦିଲ୍ଲୀରେ ମେଣ୍ଟ ବିଷୟରେ ଆଲୋଚନା ହୋଇଥିବା କଥା ବିଜେପିର ବରିଷ୍ଟ ନେତା ଜୁଏଲ୍‌ ଓରାମ୍‌ କହିଛନ୍ତି ।

ମେଣ୍ଟ ବିଷୟରେ ନବୀନ ନିବାସରେ ଆଲୋଚନା ହୋଇଥିବା କଥା ବିଜେଡି ନେତା ଅରୁଣ ସାହୁ ସୂଚନା ଦେଇଛନ୍ତି ।

ସେହପରି ନବୀନ ନିବାସରେ ବିଜେଡିର ଆଲୋଚନା ପରେ ମେଣ୍ଟ ବିଷୟରେ ଆଲୋଚନା ହୋଇଥିବା କଥା ବିଜେଡିର ବରିଷ୍ଠ ନେତା ଦେବୀ ମିଶ୍ର ପରୋକ୍ଷରେ ସୂଚନା ଦେଇଛନ୍ତି । ଓଡ଼ିଶାର ସ୍ୱାର୍ଥ ଦୃଷ୍ଟିରୁ ସବୁ ଦିଗରେ ଆଲୋଚନା ହୋଇଥିବା କଥା ସେ ସୂଚନା ଦେଇଛନ୍ତି ।

ସାଧାରଣ ନିର୍ବାଚନ ଓ ବିଧାନସଭା ନିର୍ବାଚନ ପାଇଁ ଖୁବ୍ ଶୀଘ୍ର ମତଦାନ ତାରିଖ ଘୋଷଣା ହୋଇନଥିବାବେଳେ ଓଡ଼ିଶାରେ ରାଜନୈତିକ ବାତାବରଣ ସରଗରମ ହୋଇଚାଲିଛି। ବିଜେଡି ଓ ବିଜେପି ମେଣ୍ଟ ନେଇ ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି। ପୂର୍ବରୁ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ବିଜେଡି ସହିତ ମେଣ୍ଟ ହେବ ନାହିଁ ବୋଲି ସ୍ପଷ୍ଟ କରିଥିବାବେଳେ ଆଜି ନବୀନ ନିବାସରେ ହୋଇଥିବା ଥିବା ବିଜେଡି ନେତାଙ୍କ ବୈଠକକୁ ନେଇ ରାଜନୈତିକ ମହଲରେ ନୂଆ ସମୀକରଣ ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି।

ଆଜି ଅପରାହ୍ନରେ ଶାସକ ବିଜେଡିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ନବୀନ ନିବାସରେ ଅନୁଷ୍ଠିତ ହୋଇଛି। ଏଥିପାଇଁ ବିଜେଡିର ବରିଷ୍ଠ ନେତାଙ୍କୁ ନବୀନ ନିବାସକୁ ଡକାଯାଇଛି । ବୈଠକର ଏଜେଣ୍ଡା ନେଇ କୌଣସି ଆନୁଷ୍ଠାନିକ ସୂଚନା ମିଳିନଥିଲେ ମଧ୍ୟ ଆସନ୍ତା ସାଧାରଣ ନିବାର୍ଚନ ସଂକ୍ରାନ୍ତରେ ଆଲୋଚନା ହୋଇଥିବା ଜଣାପଡ଼ିଛି। ବୈଠକରେ ୨୦ରୁ ଅଧିକ ବିଜେଡି ନେତା ଉପସ୍ଥିତ ଥିଲେ।

ଦିଲ୍ଲୀରେ ବିଜେପିର କୋର କମିଟି ବୈଠକ ଆରମ୍ଭ ହୋଇଥିଲା। ଓଡ଼ିଶା ସମ୍ପର୍କରେ ଏବଂ ବିଜେଡି ସହ ମେଣ୍ଟ ନେଇ ବୈଠକରେ ଆଲୋଚନା କରାଯାଇଛି। ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସମ୍ବିତ ପାତ୍ରଙ୍କ ସହ ରାଜ୍ୟ ସଂଗଠନ ସମ୍ପାଦକ ମାନସ ମହାନ୍ତି ଉପସ୍ଥିତ ଥିବା ସୂଚନା ମିଳିଛି।

ବୈଠକ ଶେଷ ହେବାପରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି ଯେ ବିଜେପି-ବିଜେଡି ମେଣ୍ଟ ନେଇ ଆଲୋଚନା ହୋଇଛି, କିନ୍ତୁ ଏ ସଂକ୍ରାନ୍ତରେ କୌଣସି ନିଷ୍ପତ୍ତି ନିଆଯାଇନାହିଁ। ଓଡ଼ିଶାରେ ବିଜେପି ଏକୁଟିଆ ଲଢ଼ିବାକୁ ମତ ଦେଇଛୁ, ତେବେ କେନ୍ଦ୍ରୀୟ କୋର କମିଟି ତଥା କେନ୍ଦ୍ରୀୟ ନେତୃତ୍ବ ଯାହା ନିଷ୍ପତ୍ତି ନେବ ବୋଲି ଶ୍ରୀ ଓରାମ କହିଛନ୍ତି। ବିଜେଡି-ବିଜେପି ମେଣ୍ଟ କେବଳ ଚର୍ଚ୍ଚା ହେଉଛି, କିନ୍ତୁ ଏ ସଂକ୍ରାନ୍ତରେ କେନ୍ଦ୍ରୀୟ ନେତୃତ୍ବ କୌଣସି ସୂଚନା ଦେଇନାହାନ୍ତି।

ତେବେ ଓଡ଼ିଶାର ୧୪୭ ବିଧାନସଭା ଏବଂ ୨୧ ଲୋକସଭା ଆସନ ପାଇଁ ଆଲୋଚନା ହୋଇଛି। ଓଡ଼ିଶାରେ କିଏ କେଉଁ ଆସନ ପାଇଁ ପ୍ରାର୍ଥୀ ହେବ ସେ ସମ୍ପର୍କରେ ଆଲୋଚନା ହୋଇଥିଲା ଏବଂ ଏ ସଂକ୍ରାନ୍ତରେ ଖୁବ ଶୀଘ୍ର ଘୋଷଣା କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।

Comments are closed.