ଭୁବନେଶ୍ୱର : ଅକ୍ଟୋବର ୨୦୧୭ ମସିହାରେ ରାଜ୍ୟ ସରକାର ଓଡ଼ିଶାର ସମସ୍ତ ମହାନଗର ପୌରପରିଷଦ ତଥା ଏନଏସିରେ ଥିବା ୨୫୧୯ ବସ୍ତିରେ ଗରୀବ ଲୋକଙ୍କୁ ବାସପୋଯୋଗୀ ଜମି ଯୋଗାଇବା ପାଇଁ ଏକ ଆଇନ ପ୍ରଣୟନ କଲେ। ୨୦୧୮ ମସିହା ମେ ମାସରେ ଯାଗା ମିଶନ ଶୁଭାରମ୍ଭ ହେଲା। ଏହି ଯୋଜନା ସମସ୍ତ ବସ୍ତିର ରାସ୍ତା ଆଲୋକୀକରଣ, ବିଶୁଦ୍ଧ ପାନୀୟଜଳ ଯୋଗାଣ, ଉଦ୍ୟାନ ଏବଂ ଗୋଷ୍ଠୀ କେନ୍ଦ୍ର କରାଯିବା ସହିତ ବାସପୋଯୋଗୀ ଗୃହ ଯୋଗାଇବା ସହିତ ସହରାଞ୍ଚଳରେ ଆଉ ଅଧିକ ବସ୍ତି ବୃଦ୍ଧିକୁ ରୋକିବା ଏବଂ ବସ୍ତି ଅଞ୍ଚଳର ସଂପୂର୍ଣ୍ଣ ବିକାଶ ଏହାର ମୂଳଳକ୍ଷ୍ୟ ଥିଲା। ଢାଞ୍ଚାଗତ ପରିବର୍ତନ କରାଯିବ ବୋଲି ରାଜ୍ୟସରକାର ଓଡ଼ିଶାର ୧୮ଲକ୍ଷ ଗରୀବ ବସ୍ତିବାସିନ୍ଦାଙ୍କୁ ପ୍ରତିଶ୍ରୁତି ଦେଲେ । ଏହି ଯାଗା ମିଶନ ଯୋଜନାରେ ୨୦୨୨ ମସିହା ସୁଦ୍ଧା ରାଜ୍ୟର ୧୧୪ ଟି ସ୍ବାୟତ ଶାସନ ସଂସ୍ଥାରେ ଥିବା ସମସ୍ତ ଗରୀବ ଲୋକଙ୍କୁ ଗୃହ ଯୋଗାଇବା ସହିତ ବିଶୁଦ୍ଧ ପାଣି, ରାସ୍ତା, ଗୋଷ୍ଠୀ କେନ୍ଦ୍ର, ପାର୍କ ଏବଂ ଆଲୋକୀକରଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହି ଯାଗା ମିଶନ ଜରିଆରେ ୨୦୧୧ ମସିହା ଜନଗଣନା ଆଧାରରେ ୧ଲକ୍ଷ ୬୫ ହଜାର ପରିବାରଙ୍କୁ ଏହି ସହାୟତା ପ୍ରଦାନ କରାଯିବା କଥା। କିନ୍ତୁ ୨୦୧୮ ମସିହା ମେ’ ମାସରେ ଟାଟା ଟ୍ରଷ୍ଟ ଓ ନର୍ମାନ ପୋଷ୍ଟର ଭଳି ଦୁଇଟି ସ୍ୱେଚ୍ଛାସେବୀ ବା ବଦାନ୍ୟ ଅନୁଷ୍ଠାନ ସହିତ ଜଡ଼ିତ ହେଲେ। ଏପର୍ଯ୍ୟନ୍ତ ରାଜ୍ୟ ସରକାର ୬୦ ହଜାର ପରିବାରଙ୍କୁ ଜମି ଅଧିକାରର ସାର୍ଟିଫିକେଟ ପ୍ରଦାନ କରିଛନ୍ତି (ଏଲ ଆରସି) କିନ୍ତୁ ୨୦୨୨ ପୁରିବାକୁ କମ ସମୟ ଥିବାବେଳେ ୧ଲକ୍ଷ ୫ ହଜାର ପରିବାରକୁ ବର୍ତମାନ ସୁଦ୍ଧା ବସ୍ତି ଅଂଚଳର ଜମିର ପଟ୍ଟା ଦାନ କରାଯାଇ ନାହିଁ। ଏହା କେବେ ସରିବ ବୋଲି କଂଗ୍ରେସ ପକ୍ଷରୁ ପ୍ରଶ୍ନ କରାଯାଇଛି।
ଭୁବନେଶ୍ୱର ମହାନଗର ଉପକଣ୍ଠରେ ବହୁ ବସ୍ତିକୁ ଆଜି ମଧ୍ୟ ଏକ ପିଚୁ ରାସ୍ତା ନାହିଁ । ଏବେ ପର୍ଯ୍ୟନ୍ତ ମାତ୍ର ୧୯% ଅଂଚଳରେ ସଂପୂର୍ଣ୍ଣ ଆଲୋକୀକରଣ କରାଯାଇଛି । ବାକିତକ ଅଂଚଳରେ ଆଲୋକୀକରଣ କରାଯାଇ ନାହିଁ ଏହା କେବେ କରାଯିବ। ରାଜ୍ୟ ସରକାର କେବଳ ପ୍ରତିଶ୍ରୁତି ଏବଂ ପ୍ରତାରଣା କରିବା ଛଡା କୌଣସି ଏକ ଯୋଜନାକୁ ନିଷ୍ଠାର ସହିତ କାର୍ଯ୍ୟକାରି କରିବାରେ ନଜିର ନାହିଁ। ସମସ୍ତ ଯୋଜନା କେବଳ ଭୋଟ ସର୍ବସ୍ୱ। ୨୦୦୫ ମସିହାରେ କଂଗ୍ରେସ ଉପା-୧ ସରକାରଙ୍କ ସମୟରେ ସହରାଂଚଳରେ ବସ୍ତିବାସିନ୍ଦାଙ୍କ ଉନ୍ନତି ଏବଂ ତାଙ୍କୁ ବାସପୋଯୋଗୀ ଗୃହ ସହିତ ଉପରୋକ୍ତ ସମସ୍ତ ସୁବିଧା ନେବା ପାଇଁ ଯୋଜନା କରାଯାଇଥିଲା। ଏହି ଯୋଜନା ମାଧ୍ୟମରେ ରାଜ୍ୟ ସରକାର ସହରାଂଚଳରେ ଥିବା ବସ୍ତି ଅଂଚଳରେ କ’ଣ ବିକାଶ କରିଥିଲେ। ୨୦୧୧ ମସିହାରେ ରାଜୀବ ଅବାସ ଯୋଜନା ମାଧ୍ୟମରେ ସହରାଂଚଳରେ ବସ୍ତିବାସିନ୍ଦାଙ୍କର କ’ଣ ବିକାଶ ହୋଇଥିଲା। ଯଦି ସହରାଂଚଳର ବସ୍ତିବାସିନ୍ଦାଙ୍କ ପାଇଁ ଏସବୁ କେନ୍ଦ୍ରୀୟ ଯୋଜନା ରାଜ୍ୟ ସରକାର ନିଜେ ପ୍ରଣୟନ କରୁଥିଲେ ତାହେଲେ କାହିଁକି ଆଉ ଏକ ନୂଆ ଯୋଜନା କରାଗଲା। ଏହି ନୂଆ ଯୋଜନା କରାଯିବାର ଉଦ୍ଦେଶ୍ୟ କଣ କେବଳ ୧୮ଲକ୍ଷ ବସ୍ତି ବାସିନ୍ଦାଙ୍କୁ ମିଛ ପ୍ରତିଶ୍ରୁତି ଦେଇ ତାଙ୍କ ଭୋଟ ହାତେଇବା ନା ତାଙ୍କୁ ଜମି ପ୍ରଦାନ କରିବା ଓ ଗୃହ ମଧ୍ୟ ପ୍ରଦାନ କରିବା। ଏଥିରୁ ସ୍ପଷ୍ଟ ଅନୁମେୟ ରାଜ୍ୟ ସରକାରଙ୍କର ରାଜ୍ୟର ଗରୀବ ଜନସାଧାରଣ ଏପରିକି ସହରାଂଚଳରେ ବସ୍ତିମାନଙ୍କରେ ରହୁଥିବା ଗରୀବ ଲୋକମାନଙ୍କର ବିକାଶ ପ୍ରତି ନିଷ୍ଠା ନାହିଁ।
କଂଗ୍ରେସ ସରକାର ସମୟରେ ରାଜୀବ ଗାନ୍ଧୀ ଆବାସ ଯୋଜନାର ନାମ ପରିବର୍ତନ ହୋଇ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ହୋଇଯାଇଛି ଏବଂ ଜେଏନଏନୟୁଆରଏମ ନାମ ପରିବର୍ତନ ହୋଇ କେବଳ ଅମୃତ ଯୋଜନା ହୋଇଯାଇଛି। କେବଳ ନୂଆ ଯୋଜନା କରିବା ଏବଂ ପୂରୁଣା ଯୋଜନାର ନାମ ପରିବର୍ତନ କରିଦେଲେ କ’ଣ ବିକାଶ ହୋଇଯିବ । ଠିକ ସେହିଭଳି ଭାବରେ ୩୧୪ ବ୍ଲକ ମଧ୍ୟରୁ ୧୨୭ ବ୍ଲକରେ ୨୦୦୦ ମସିହା ସୁଦ୍ଧା ୩୭% ଜଳସେଚନର ବ୍ୟବସ୍ଥା ହୋଇଥିଲା। ନବୀନ ସରକାର ୨୦୦୫ ମସିହାରେ ଘୋଷଣା କରିଥିଲେ ଯେ ରାଜ୍ୟର ସମସ୍ତ ବ୍ଲକରେ ୩୫% ରୁ ଅଧିକ ଜଳସେଚନର ବ୍ୟବସ୍ଥା ୨୦୧୦ ମସିହା ସୁଦ୍ଧା ସଂପୂର୍ଣ୍ଣ ହେବ। କିନ୍ତୁ ଆଜି ସୁଦ୍ଧା ପାଖାପାଖି ୭୬ଟି ବ୍ଲକରେ ୩୫% ଜଳସେଚନ ସୁବିଧା ହୋଇପାରିନାହିଁ। ସାରା ରାଜ୍ୟରେ ଅନାବୃଷ୍ଟି ହେତୁ କୃଷକମାନେ ଚାଷ କରିପାରୁ ନାହାନ୍ତି । ଜଳସେଚନର ସୁବିଧା ଥିଲେ ଏଭଳି ଏକ ସମସ୍ୟାର ମୁକାବିଲା କରାଯାଇପାରିଥାନ୍ତା। କିନ୍ତୁ ରାଜ୍ୟ ସରକାରଙ୍କ ନିଷ୍ଠାର ଅଭାବ ହେତୁ କୌଣସି ଏକ ଯୋଜନା ସଂପୂର୍ଣ୍ଣ ରୂପେ ରୂପାୟନ କରାଯାଇ ନାହିଁ ଏବଂ ତାହାର ଫଳ ମଧ୍ୟ ରାଜ୍ୟବାସୀଙ୍କୁ ମିଳିଲା ନାହିଁ । ଆଉ କେତେବର୍ଷ ଗଲାପରେ ରାଜ୍ୟର ସମସ୍ତ ବ୍ଲକରେ ୩୫% ଜଳସେଚନର ସୁବିଧା ହେବ। ୨୧ ବର୍ଷର ସରକାର ୨୧ଟି ଯୋଜନା ମଧ୍ୟ ସଂପୂର୍ଣ୍ଣ କାର୍ଯ୍ୟକାରି କରିନାହାନ୍ତି। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ମନୋରଞ୍ଜନ ଦାଶ, ଅମିୟ ପାଣ୍ଡବ ଏବଂ ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ।



