ରେଙ୍ଗାଲିକ୍ୟାମ୍ପ: ବାଲି ମାଫିଆମାନଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢିଚାଲିଛି। ରାଜସ୍ବ ବିଭାଗର କ୍ଷତି ହେଉଥିବାବେଳେ ଏମାନେ ଜନସାଧାରଣଙ୍କୁ ମଧ୍ୟ ଛାଡ଼ୁ ନାହାନ୍ତି। ଏହି ବାଲି ମାଫିଆଙ୍କ ଆକ୍ରମଣରେ ଜଣେ ଯୁବକ ଗୁରୁତର ହେବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ପୋଲିସ ସୂତ୍ରରୁ ଜଣାପଡ଼ିଛି ଯେ ଅତାବିରା ବ୍ଲକ ପୋଡବାଡ଼ି ଛକରେ ଅପରାହ୍ନ ୫ଟା ୩୦ ମିନିଟରେ ତିନି ଜଣ ବାଲି ମାଫିଆ ଛିଡା ହୋଇଥିବା ବେଳେ ଅତର୍କିତ ଭାବେ ଜଗଦୀଶ ଖେତି ନାମକ ଜଣେ ଯୁବକକୁ ଭୁଜାଲି ଧରି ଆକ୍ରମଣ କରିଥିଲେ। ଏହା ଦେଖି ଆଖପାଖର ଲୋକେ ସେଠାରେ ପହଞ୍ଚିବା ପରେ ଦୁର୍ବୃତ୍ତମାନେ ତାଙ୍କ ବାଇକ୍ ଓ ଅସ୍ତ୍ରଶସ୍ତ୍ର ଫିଙ୍ଗି ଦେଇ ପଳାଇଥିଲେ । ଯୁବକ ଗୁରୁତର ଆହତ ହୋଇଥିବାରୁ ତାଙ୍କୁ ନିକଟସ୍ଥ କାଦୋବାହାଲ ଡାକ୍ତରଖାନାକୁ ନିଆଯାଇଥିଲା।
ଏହି ଖବର ପାଇ ଗୋଡ଼ଭଗା ଫାଣ୍ଡି ଅଧିକାରୀ ବିପିନ ବାଗ ଘଟଣାସ୍ଥଳକୁ ପହଞ୍ଚି ଦୁର୍ବୃତ୍ତମାନେ ଛାଡି ପଳାଇଥିବା ବାଇକ୍ ହୋଣ୍ଡା ସାଇନ୍ ନଂ ଓ ଡି ୧୪ ସି ୬୮୨୩ ସହ ଗୋଟିଏ ଭୁଜାଲି ଓ ଗୋଟିଏ ଖଣ୍ଡା ଜବତ କରିଥିଲେ। ଏ ନେଇ ଗୋଡ଼ଭଗା ଫାଣ୍ଡିରେ କେସ ନମ୍ବର ୨୨୯/୨୦୨୧ ରେ ଏକ ମାମଲା ରୁଜୁ ହୋଇଥିବା ଜଣା ପଡ଼ିଛି। ଝାଉଁ ନଦୀରୁ ପ୍ରତ୍ୟହ ବାଲି ମାଫିଆମାନେ ଏହି ଗୋଡ଼ଭଗା ତୁରୁମ ରାସ୍ତାରେ ବାଲି ବୋଝେଇ କରି ହାଇୱା ତଥା ଭାରି ଯାନ ରେ ନେବା ଆଣିବା କରୁଛନ୍ତି। ଫଳରେ ରାସ୍ତାଟି ଶୋଚନୀୟ ହେବା ସହ ଅନେକ ଥର ଦୁର୍ଘଟଣା ଘଟିସାରିଛି। ତେଣୁ ପୋଡବାଡି ଗ୍ରାମବାସୀ ଦୀର୍ଘ ଦିନ ଧରି ଅଭିଯୋଗ କରି ଆସୁଛନ୍ତି। ଏହାକୁ କେନ୍ଦ୍ର କରି ଏହି ବାଲି ମାଫିଆମାନେ ଏହି ପ୍ରକାର ମରଣାନ୍ତକ ଆକ୍ରମଣ କରିଛନ୍ତି ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି।
ପ୍ରକାଶ ଥାଉକି, ଏହି ବାଲି ମାଫିଆମାନଙ୍କ ବିଷୟରେ ଖବର କାଗଜରେ ପ୍ରକାଶିତ କରୁଥିବା ନେଇ ସେ ଅଞ୍ଚଳର ଜଣେ ସାମ୍ବାଦିକଙ୍କୁ ଜୀବନରୁ ମାରିଦେବା ପାଇଁ ଫୋନରେ ଧମକ ଦେଇଥିଲେ, ଯାହାକୁ ନେଇ ସେ ଅତାବିରା ଥାନାରେ ଏକ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ। କିନ୍ତୁ ସେ ଘଟଣାର କିଛି ଉନ୍ମୋଚନ ହେଇ ପାରିନି ଆଜିଯାଏଁ । ଏହା ବ୍ୟତୀତ କିଛିଦିନ ତଳେ ଅତାବିରା ଅତିରିକ୍ତ ତହସିଲଦାର ଉକ୍ତ ବାଲି ଚୋରଙ୍କ ଗାଡ଼ି ଧରି ଫାଇନ ଆଦାୟ କରୁଥିବା ବେଳେ ତାଙ୍କର ଗାଡ଼ିକୁ ମଧ୍ୟ ଏହି ମାଫିଆମାନେ ଭଙ୍ଗାରୁଜା କରିଦେଇଥିଲେ । ଆଜି ସେମାନେ ଏମିତି ଜନ ସାଧାରଣଙ୍କୁ ଆକ୍ରମଣ କରିବାକୁ ମଧ୍ୟ ବାଦ୍ ଦେଇ ନାହାନ୍ତି, ଯାହା ଫଳରେ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହେଇଛି। ଏହି ବାଲି ମାଫିଆ ମାନେ ଭବିଷ୍ୟତରେ ବଡ ପ୍ରଶାସନିକ ଅଧିକାରୀମାନଙ୍କୁ ବି ତାଙ୍କର ଆକ୍ରମଣର ଶିକାର ନ କରିବେ ଏହା କହିହେବ ନାହିଁ। ବାଲି ମାଫିଆଙ୍କ ପ୍ରତିଦିନ ବାଲି ନେଉଥିବା ରାସ୍ତା କଡ଼ରେ ଥିବା ଗ୍ରାମବାସୀମାନେ ଏବେ ପଦାକୁ ବାହାରିବା ବିପଦ ମଣୁଛନ୍ତି। ତେବେ ଆଉ କେତେ ଲୋକଙ୍କ ଜୀବନ ଗଲେ ବା ତାଙ୍କ ଆକ୍ରମଣର ଶିକାର ହେବକ୍ଷ ପରେ ଏମାନଙ୍କ ପ୍ରତି ପୋଲିସ କାର୍ୟ୍ୟାନୁଷ୍ଠାନ ନେବେ ବୋଲି ସାଧାରଣରେ ପ୍ରଶ୍ନଵାଚି ସୃଷ୍ଟି ହେଉଛି। ଏହି ଘଟଣା ଉପରେ ଅଧିକରୁ ଅଧିକ ତଦନ୍ତ ପାଇଁ ଅତାବିରା ଥାନା ଅଧିକାରୀ ଦିଲିପ୍ ବେହେରା ସ୍ୱତନ୍ତ୍ର ସ୍କ୍ବାଡ଼୍ ଗଠନ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।



