ହରଭଙ୍ଗା: ୮ ନମ୍ବର ଜିଲ୍ଲାପରିଷଦ ଜୋନ୍‍ ବିଜେଡି, ବିଜେପି ମଧ୍ୟରେ କଡା ଟକ୍କର

୩ ନୂଆମୁହଁ, ନିର୍ଣ୍ଣାୟକ ହେବ କଂଗ୍ରେସ ଭୋଟ

ହରଭଙ୍ଗା: ବୌଦ୍ଧ ବିଧାନସଭା ନିର୍ବାଚନ ମଣ୍ଡଳୀର ହରଭଙ୍ଗା ବ୍ଲକ ସବୁବେଳେ ସବୁଦଳ ପାଇଁ ଏକ ନିର୍ଣ୍ଣାୟକ ମୁଖ୍ୟ ଭୂମିକା ଗ୍ରହଣ କରିଆସୁଛି। ଚଳିତ ନିର୍ବାଚନରେ ୮ନଂ ଜିଲ୍ଲାପରିଷଦ ଜୋନ୍‍ ଏଥର ବିଜେଡି, ବିଜେପି ମଧ୍ୟରେ କଡା ଟକ୍କର ହେବ ବୋଲି ପୂର୍ବାନୁମାନ କରାଯାଉଛି। ଏହି ଜିଲ୍ଲାପରିଷଦ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ଏହି ଜୋନରୁ ବିଜେଡିରୁ ତାରାମଣୀ ପ୍ରଧାନ, ବିଜେପିରୁ ଶୁଭଲକ୍ଷ୍ମୀ ମଲ୍ଲିକ, କଂଗ୍ରେସରୁ ପ୍ରଭାତୀ ବେହେରା ଭଳି ୩ ନୂଆମୁହଁ ଜିଲ୍ଲାପରିଷଦ ପ୍ରାର୍ଥୀଭାବେ ନିର୍ବାଚନ ରଣାଙ୍ଗନକୁ ଓହ୍ଲେଇଛନ୍ତି। ସବୁ ଦଳ ଜଣେ ଜଣେ ନୂଆମୁହଁକୁ ଏହି ଆସନରୁ ପ୍ରାର୍ଥୀ କରିଛି। ବିଜେଡି ଏହି ଆସନରୁ ରାଜନୈତିକ ପୃଷ୍ଠପୋଷକତାଥିବା ଲୁଣିବାହାଲ ପୂର୍ବତନ ସମିତି ସଭ୍ୟ ଶୁଶାନ୍ତ ପ୍ରଧାନଙ୍କ ପନ୍ତ୍ରୀ ତାରାମଣିଙ୍କୁ ପ୍ରାର୍ଥୀ କରିଛି। ୧୯୯୭ରେ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ତିଲେଶ୍ୱର ପଂଚାୟତର ବିମଳା ବେହେରାଙ୍କ ବୋହୂ ଶୁଭଲକ୍ଷ୍ମୀ ମଲ୍ଲିକଙ୍କୁ ବିଜେପି ପ୍ରାର୍ଥୀ କରିଥିବାବେଳେ କଂଗ୍ରେସ ରାମଗଡ ପଂଚାୟତର ସାଧାରଣ ପରିବାରରୁ ଆସିଥିବା ପ୍ରଭାତୀ ବେହେରାଙ୍କୁ ପ୍ରାର୍ଥୀ କରିଛି। ବିଜେଡି ଏବଂ ବିଜେପି ଦୁଇ ପ୍ରାର୍ଥୀଙ୍କ ରାଜନୈତିକ ପୃଷ୍ଠଭୂମି ରହିଛି।କଂଗ୍ରେସ ପ୍ରାର୍ଥୀଙ୍କ ଯଦିଓ ରାଜନୈତିକ ପୃଷ୍ଠଭୂମି ନାହିଁ ତଥାପି କଂଗ୍ରେସ ଭୋଟ ଉଭୟ ବିଜେଡି, ବିଜେପିଙ୍କ ପାଇଁ ନିର୍ଣ୍ଣାୟକ ହେବ ବୋଲି କୁହାଯାଉଛି। ଧଳପୁର, ରାମଗଡ, ତିଲେଶ୍ୱର, ପିତାମ୍ବରପୁର, ପୁରୁଣାକଟକ, ଲୁଣିବାହାଲ, ବାଣିଭୂଷଣପୁର ଏବଂ କରଞ୍ଜକଟା ଭଳି ୮ଟି ପଂଚାୟତକୁ ନେଇ ୮ନଂ ଜିଲ୍ଲାପରିଷଦ ଜୋନ ଗଠିତ ହୋଇଛି। ଏହି ଜୋନରେ ଅନ୍ୟ ଦୁଇ ଜୋନ୍‍ ଅପେକ୍ଷା ସର୍ବାଧିକ ୩୨ ହଜାର ୭୪୫ ଭୋଟର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ଏହା ମଧ୍ୟରୁ ତିଲେଶ୍ୱର, ପୁରୁଣାକଟକ, ଧଳପୁର, ରାମଗଡ, ଲୁଣିବାହାଲ ଭଳି ୫ଟି ପଂଚାୟତରେ ୨୨ହଜାର ୮୮୦ ଭୋଟର ରହିଛନ୍ତି। ଏହି ପାଞ୍ଚ ପଂଚାୟତର ଭୋଟ ଯାହା ସପକ୍ଷରେ ରହିବ ତାର ବାଜିମାତ ହେବ ବୋଲି ଆଲୋଚନା ଜୋରଧରିଛି।

ଅନ୍ୟପଟେ ଏହି ପାଞ୍ଚ ପଂଚାୟତ ମଧ୍ୟରୁ ତିଲେଶ୍ୱର, ଧଳପୁରରେ ବିଜେପି ସମର୍ଥୀତ ସରପଞ୍ଚ ରହିଥିବାବେଳେ ଅନ୍ୟ ୬ଗୋଟି ପଂଚାୟତରୁ ରାମଗଡ, ଲୁଣିବାହାଲ, ପିତାମ୍ବରପୁର, କଂରଜକଟା, ବାଣିଭୁଷଣପୁରରେ ବିଜେଡି ସମର୍ଥିତ ସରପଞ୍ଚ ରହିଛନ୍ତି। ସବୁ ପଂଚାୟତର ରାଜନୈତିକ ଦୃଶ୍ୟପଟକୁ ବିଚାରକରାଗଲେ ବର୍ତମାନ ୮ନଂ ଜିଲ୍ଲାପରିଷଦ ଜୋନରେ ବିଜେଡିର ପଲ୍ଲା ଭାରିଥିବା କୁହାଯାଉଛି। ସେହିପରି ୧୯୯୭ରୁ ୨୦୨୨ ପର୍ଯ୍ୟନ୍ତ ୫ଥର ଗଠନ ହୋଇଥିବା ଜିଲ୍ଲାପରିଷଦ ସଭ୍ୟ ନିର୍ବାଚିତକୁ ବିଶ୍ଲେଷଣ କଲେ ୧୯୯୭ରେ ଜନତାଦଳ ପକ୍ଷରୁ ଚିନ୍ମୟୀ ସେଠୀ ପ୍ରଥମ ଜିଲ୍ଲାପରିଷଦ ସଭ୍ୟ ନିର୍ବାଚିତ ହୋଇଥିଲେ। ୨୦୦୨ରେ ସ୍ୱାଧନରୁ ଶୁଶାନ୍ତ ପ୍ରଧାନ, ୨୦୦୭ରେ ବିଜେଡିରୁ ଅକ୍ଷୟ କୁମାର ସାହୁ, ୨୦୧୨ରେ କଂଗ୍ରେସର ଭବାନୀବାଳା କହଁର ଏବଂ ୨୦୧୭ରେ ବିଜେଡିର ଅକ୍ରୁର ସେଠି ଏହି ଆସନରୁ ଜିଲ୍ଲାପରିଷଦ ସଭ୍ୟ ନିର୍ବାଚିତ ହୋଇଥିଲେ। ବିଗତ ୫ଟି ଜିଲ୍ଲାପରିଷଦ ନିର୍ବାଚନକୁ ସମୀକ୍ଷା କଲେ ଏହି ଆସନ ସର୍ବାଧିକ ଦୁଇଥର ବିଜେଡି ହାତେଇଥିବାବେଳେ, ଥରେ ଜନତା ଦଳ, ଥରେ କଂଗ୍ରେସ ଏବଂ ଥରେ ସ୍ୱାଧୀନ ହାତେଇବାକୁ ସକ୍ଷମ ହୋଇଛି।

ଅନ୍ୟପଟେ ବିଜେପିକୁ ଏପର୍ଯ୍ୟନ୍ତ ଏହି ଆସନ ମିଳିନଥିବା ଜଣାପଡିଛି। ଗତଥର ବିଜେଡିର ଅକ୍ରୁର ସେଠୀ ଏହି ଆସନରୁ ବିପୁଳ ଭୋଟରେ ବିଜୟୀ ମଧ୍ୟ ହୋଇଛନ୍ତି। ବିଜେପି ପାଇଁ ୮ନଂ ଜିଲ୍ଲାପରିଷଦ ଆସନ ସମ୍ମାନର ପ୍ରଶ୍ନ ହୋଇଛି। ତେଣୁ ଏହି ଆସନ ହାତେଇବାକୁ ହେଲେ ବିଜେପି ରଣକୌଶଳରେ ପରିବର୍ତନ ସାଙ୍ଗକୁ ବିଦ୍ରୋହୀ ବିଜେଡି ଭୋଟ ଏବଂ କଂଗ୍ରେସର ଭୋଟକୁ ଏକାଠି କରିପାରଲେ ଏହି ଆସନ ହାତେଇବା ସକ୍ଷମ ହେବ ବୋଲି ରାଜନୈତିକ ଚର୍ଚ୍ଚା ଜୋରଧରିଛି।

 

Comments are closed.