ହାଇଦ୍ରାବାଦ: ଦୁଇ ଭଉଣୀଙ୍କ ମଧ୍ୟରେ ଫାଟ ଆଣିଲା ସମ୍ପତ୍ତି। ବିବାଦ ଏତେ ବଢିଗଲା ଯେ, ବଡ଼ ଭଉଣୀକୁ ଜିଅନ୍ତା ଜାଳି ମାରିଦେଲା ସାନ ଭଉଣୀ। ଏଥିସହିତ ସେ ନିଜେ ମଧ୍ୟ ଗୁରୁତର ହୋଇଛନ୍ତି। ଏଭଳି ଲୋମହର୍ଷଣକାରୀ ଘଟଣା ଘଟିଛି ତେଲେଙ୍ଗାନାର ମେଡକ ଜିଲା ସ୍ଥିତ ୱାଡ଼ିଆରାମ ଗାଁରେ।
ପୁଲିସର କହିବା ମୁତାବକ, ୩୬ ବର୍ଷୀୟା ବରଲକ୍ଷ୍ମୀ ଗାଁରେ ନିଜ ୨ ସନ୍ତାନଙ୍କ ସହ ରହୁଥିଲେ। ମହିଳାଙ୍କ ସ୍ବାମୀ କିଛି ବର୍ଷ ପୂର୍ବରୁ ତାଙ୍କୁ ଛାଡ଼ି ପଳାଇଥିଲେ। ସୋମବାର ରାତିରେ ତାଙ୍କ ସାନ ଭଉଣୀ ରାଜେଶ୍ବରୀ ବରଲକ୍ଷ୍ମୀଙ୍କ ଘରକୁ ଆସି ସମ୍ପତ୍ତି ଭାଗବଣ୍ଟାକୁ ନେଇ ଯୁକ୍ତି ତର୍କ କରିଥିଲେ। ରାଜେଶ୍ବରୀ ସାଙ୍ଗରେ ଏକ ପେଟ୍ରୋଲ ବୋତଲ ମଧ୍ୟ ଆଣିଥିଲେ। କ୍ରୋଧ ଜର୍ଜରିତ ହୋଇ ସେ ବରଲକ୍ଷ୍ମୀଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ।
ସୂଚନା ଅନୁସାରେ, ଜଳୁଥିବା ବେଳେ ବରଲକ୍ଷ୍ମୀ ରାଜେଶ୍ବରୀଙ୍କୁ ଧରି ପକାଇଥିଲେ। ଏହାପରେ ରାଜେଶ୍ବରୀ ଭୟରେ ଚିତ୍କାର କରିବାକୁ ଲାଗିଲେ। ଇତି ମଧ୍ୟରେ ନିଆଁ ଧାସ ଦେଖି ପଡ଼ୋଶୀ ସେଠାରେ ପହଞ୍ଚିଥିଲେ। ସେମାନେ ନିଆଁ ଲିଭାଇବାକୁ ଆପ୍ରାଣ ଉଦ୍ୟମ କରିଥିଲେ, ହେଲେ ସେତେବେଳକୁ ବରଲକ୍ଷ୍ମୀ ଗୁରୁତର ଭାବେ ଜଳି ସାରିଥିଲେ। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମାତ୍ର ମଙ୍ଗଳବାର ସେଠାରେ ଚିକିତ୍ସା ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଅପରପକ୍ଷରେ ରାଜେଶ୍ବରୀ ମଧ୍ୟ ୮୦ ପ୍ରତିଶତ ଜଳି ଜାଇଥିଲେ, ତାଙ୍କ ଅବସ୍ଥା ଏବେ ଗୁରୁତର ରହିଛି।



