ରୂପାନ୍ତରିତ ବିଶ୍ୱନାଥ ବିଦ୍ୟାପୀଠରେ ନିମ୍ନମାନର କାମ ; ଶ୍ରେଣୀ କକ୍ଷରେ ବର୍ଷାଜଳ

ଆଠଗଡ :  ଆଠଗଡର ସର୍ବପୁରାତନ ବିଶ୍ୱନାଥ ବିଦ୍ୟାପୀଠକୁ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ପୋଷ୍ୟ ବିଦ୍ୟାଳୟ ଭାବେ ଗ୍ରହଣ କରି ବ୍ୟାପକ ଉନ୍ନୟନ କାର୍ଯ୍ୟ କରାଇଥିବାବେଳେ ଏହି ବିଦ୍ୟାଳୟଟି ସରକାରଙ୍କ ୫-ଟି ବିଭାଗ ଦ୍ୱାରା ରୂପାନ୍ତରିତ ବିଦ୍ୟାଳୟ ଭାବେ ମଧ୍ୟ ବିକଶିତ ହୋଇଛି । ତେବେ ବିଦ୍ୟାଳୟରେ ନିମ୍ନମାନର କାମ ଯୋଗୁଁ ଶ୍ରେଣୀକକ୍ଷରେ ବିଶେଷକରି ସଙ୍ଗୀତ ଶିକ୍ଷା ଶ୍ରେଣୀଗୃହର ଛାତରୁ ଅହରହ ବର୍ଷା ପାଣି ଗଳିବା ଦ୍ୱାରା ନାହିଁ ନଥିବା ପରିସ୍ଥିତି ସୃଷ୍ଟି ହୋଇଛି । ନିକଟରେ ଲଘୁଚାପଜନିତ ଲଗାଣ ବର୍ଷା ହେବା ଦ୍ୱାରା ଉକ୍ତ କକ୍ଷର ଛାତରୁ ପାଣି ଗଳିବା ଫଳରେ ଚଟାଣ ବର୍ଷାଜଳରେ ଭାସୁଥିବାବେଳେ ଛାତରେ ଲାଗିଥିବା ଜିପସମ ସିଲିଂର ଅବସ୍ଥା ଶୋଚନୀୟ ହେବାରେ ଲାଗିଛି । ସଙ୍ଗୀତ ଶିକ୍ଷା କକ୍ଷରେ ଥିବା ବାଦ୍ୟଯନ୍ତ୍ର ମଧ୍ୟ ନଷ୍ଟ ହେବାର ଆଶଙ୍କା ଥିବାରୁ ସ୍କୁଲ କର୍ତ୍ତୃପକ୍ଷ ସେଗୁଡିକୁ କିପରି ସୁରକ୍ଷିତ ରଖାଯାଇ ପାରିବ ସେ ଦିଗରେ ପଦକ୍ଷେପ ନେଇଛନ୍ତି । ଉକ୍ତ ସଙ୍ଗୀତ ଶିକ୍ଷା ଶ୍ରେଣୀ କକ୍ଷଟି ପୁରାତନ କୋଠାର ଏକ କକ୍ଷକୁ ଉନ୍ନତୀ କରଣ କରାଯାଇଥିବାବେଳେ କଂକ୍ରିଟ ଛାତ ଉପରେ ନିକଟରେ ଗ୍ରେଡିଂ କରାଯାଇଥିଲା । ପୂର୍ତ୍ତବିଭାଗ ପକ୍ଷରୁ ଲକ୍ଷାଧିକ ଟଙ୍କା ବ୍ୟୟରେ ହୋଇଥିବା ଉକ୍ତ ଗ୍ରେଡିଂ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହୋଇଥିବାରୁ ଆଙ୍ଗୁଠିରେ ଦବାଇଲେ ଛାତ ଉପରୁ ଗ୍ରେଡିଂର ସିମେଣ୍ଟ ପଲସ୍ତରା ଖଣ୍ଡସବୁ ଛାଡି ଯାଉଛି । ସେହି ଛାତରୁ ଅହରହ ପାଣି ଗଳୁଥିବା ଦେଖି ସ୍କୁଲ କର୍ତ୍ତୃପକ୍ଷ ଛାତ ଉପରେ ପଲିଥିନ ବିଛାଇ ଥିଲେ ମଧ୍ୟ ପାଣି ଗଳିବା ବନ୍ଦ ହେଲା ନାହିଁ। ରାଜନୈତିକ ଦଳୀୟ ଠିକାଦାରଙ୍କ ଦ୍ୱାରା ଏହି ସବୁ କାମ କରାଯାଇଥିବାରୁ ବିଭାଗୀୟ କର୍ତ୍ତୃପକ୍ଷଙ୍କର ଠିକାଦାରଙ୍କ ଉପରେ କୌଣସି କର୍ତ୍ତୃତ୍ୱ ନଥିଲା ପରି ମନେହେଉଛି । ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିଥିବା କଟକ ଜିଲ୍ଲାପାଳ ଏବଂ ପୂର୍ତ୍ତବିଭାଗ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବା ପାଇଁ ଦାବି ହେଉଛି।

Comments are closed.