ବିଷମକଟକ ନିର୍ବାଚନ ମଣ୍ଡଳୀ: ଜଗନ୍ନାଥଙ୍କୁ ଜଗନ୍ନାଥ, ନୀଳମାଧବଙ୍କୁ ନୀଳମାଧବ ଅଡୁଆ
ରାୟଗଡା : ଆଜି ଚାଲିଛି ସାଧାରଣ ନିର୍ବାଚନର ଚତୁର୍ଥ ତଥା ଓଡିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ । ରାୟଗଡା ଜିଲା ବିଷମକଟକ ନିର୍ବାଚନ ମଣ୍ଡଳୀ ରାଜନୈତିକ ସ୍ଥିତି ଟିକିଏ ଅଲଗା । ଏଠାରେ ବିଜେଡିର ଜଗନ୍ନାଥ ସାରକାଙ୍କୁ, ବିଜେପିର ଜଗନ୍ନାଥ ନୁଣ୍ଡ୍ରୁକା ଏବଂ କଂଗ୍ରେସର ନୀଳମାଧବ ହିକ୍କାଙ୍କୁ ଅସନ୍ତୁଷ୍ଟ କଂଗ୍ରେସ ତଥା ସ୍ବାଧୀନ ପ୍ରାର୍ଥୀ ନୀଳମାଧବ ଉଲ୍ଲକା ଅଡୁଆ କରୁଛନ୍ତି । ଏହି ନିର୍ବାଚନ ମଣ୍ଡଳୀରୁ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ହ୍ୟାଟ୍ରିକ କରିବା ଲକ୍ଷ୍ୟରେ ଥିବାବେଳେ ବିଜେଡିକୁ ଧରାଶାୟୀ କରିବା ପାଇଁ କଂଗ୍ରେସ ଓ ବିଜେପି ବଳ କଷୁଛନ୍ତି । ଚଳିତ ନିର୍ବାଚନରେ ବିଷମକଟକରେ ତ୍ରିମୁଖୀ ଲଢେଇ ହେଉଛି । ରାୟଗଡା ଜିଲାରେ ବିଷମକଟକ ନିର୍ବାଚନ ମଣ୍ଡଳୀର ଏକ ସ୍ବତନ୍ତ୍ର ପରିଚୟ ରହିଛି । ଏଠାରେ ଆଦିମ ଜନଜାତିର ଡଙ୍ଗରିଆ କନ୍ଧ ସମ୍ପ୍ରଦାୟର ଲୋକେ ବସବାସ କରୁଥିବାରୁ ରାଜ୍ୟ ରାଜନୀତିରେ ଏହି ନିର୍ବାଚନ ମଣ୍ଡଳୀର ଗୁରୁତ୍ବ ରହିଛି ।
ଗତ ୨୦୧୯ ନିର୍ବାଚନରେ ବିଜେଡିର ଜଗନ୍ନାଥ ସାରକା ୬୬ ହଜାର ୧୫୦ ଭୋଟ ପାଇଥିବା ବେଳେ କଂଗ୍ରେସର ନୀଳମାଧବ ହିକକା ୫୨ ହଜାର ୮୧୮ ଖଣ୍ଡ ଭୋଟ ପାଇଥିଲେ । ବି.ଏସ୍ ପିର ଜିତେନ୍ଦ୍ର କୁମାର ଜାକସିକା ୨୧ ହଜାର ୫୫୩ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ୨୩ ହଜାର ୬୬୫ ଭୋଟ ପାଇଥିଲେ । ଜଗନ୍ନାଥ ସାରକା କଂଗ୍ରେସର ନୀଳମାଧବ ହିକ୍କାଙ୍କୁ ୧୩ ହଜାର ୩୩୨ ଭୋଟରେ ପରାସ୍ତ କରି ବିଜୟୀ ହୋଇଥିଲେ । ଚଳିତ ନିର୍ବାଚନରେ ତିନି ପ୍ରମୁଖ ଦଳ ୮ ଜଣ ନିର୍ବାଚନ ଲଢୁଛନ୍ତି । ଦିନେ କଂଗ୍ରେସର ଗଡ ଭାବେ ପରିଚିତ ଏହି ନିର୍ବାଚନ ମଣ୍ଡଳୀ ଏବେ ବିଜୁ ଜନତା ଦଳ ଦଖଲରେ । ଗତ ୨୦୧୪ ଓ ୨୦୧୯ ନିର୍ବାଚନରେ ବିଜେଡିର ଜଗନ୍ନାଥ ସାରକା କଂଗ୍ରେସ ଠାରୁ ଛଡାଇ ଆଣିଥିଲେ ଏହି ଆସନ । ଏବେ ପୁଣି ଥରେ ବିଜୟୀ ହୋଇ ହ୍ୟାଟ୍ରିକ କରିବାକୁ ଲକ୍ଷ୍ୟ ରଖିଛନ୍ତି । ହେଲେ ଚଳିତ ନିର୍ବାଚନ ପାର ହେବା ତାଙ୍କ ପାଇଁ କାଠିକର ପାଠ । ଗତ ଦଶ ବର୍ଷରେ ସେଭଳି କିଛି ଆଖିଦୃଷ୍ଟିଆ କାର୍ଯ୍ୟ କରିନଥିବାରୁ ତାଙ୍କୁ ନିର୍ବାଚନ ପ୍ରଚାର ବେଳେ ଭୋଟରଙ୍କ ଆକ୍ରୋଶର ଶିକାର ହେବାକୁ ପଡିଛି । ବିଭିନ୍ନ ଗାଁ ର ପାନୀୟଜଳ ସମସ୍ୟା, ରାସ୍ତାଘାଟ ସମସ୍ୟା ଦୂର କରିବାରେ ବିଫଳ ହୋଇଥିବା ଲୋକେ ଅଭିଯୋଗ କରିଛନ୍ତି । ଫଳରେ ତାଙ୍କୁ ନିର୍ବାଚନ ପ୍ରଚାର ବେଳେ ସ୍ଥାନୀୟ ଲୋକଙ୍କ ପ୍ରଶ୍ନବାଣର ସମ୍ମୁଖୀନ ହେବାକୁ ପଡିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ବିଭିନ୍ନ ଜନକଲ୍ୟାଣ ଯୋଜନା ଉପରେ ଲୋକଙ୍କୁ ଅବଗତ କରାଇ ନିର୍ବାଚନ ମଣ୍ଡଳୀରେ ଥିବା ଅଧୁରା କାମ ସମ୍ପୂର୍ଣ୍ଣ କରିବା ପାଇଁ ସୁଯୋଗ ଦେବାକୁ ଭୋଟରଙ୍କୁ ନିବେଦନ କରିଛନ୍ତି । ଜଗନ୍ନାଥଙ୍କଙ୍କ ବିଜୟ ରଥର ସାରଥୀ ହୋଇଛନ୍ତି ବିଜେଡିର ରାଜ୍ୟ ସାଧାରଣ ସମ୍ପାଦକ ସୁଧୀର ଦାଶ । ସୁଧୀରଙ୍କ ସାଂଗଠନିକ ଦକ୍ଷତା ଆଗରେ ବିରୋଧୀ ହାରମାନିବା ଥୟ । ବିଜେଡି ଦଳ ପାଇଁ ଏହି ଆସନ ସମ୍ମାନର ପ୍ରଶ୍ନ ହୋଇଥିବାରୁ ଜଗନ୍ନାଥ ସାରକାଙ୍କ ସମର୍ଥକ ମାନେ ନିଜ ନିଜର ରଣ କୌଶଳ ପ୍ରୟୋଗ କରି ତାଙ୍କୁ ଜିତେଇବା ପାଇଁ କ୍ଷେତ୍ର ପ୍ରସ୍ତୁତ କରିଛନ୍ତି ।
ଏହାଛଡା ବିଜେଡିର ଆଉ ଜଣେ ଟାଣୁଆ ନେତା ଜଗନ୍ନାଥ ନୁଣ୍ରୁକା ଦଳ ଛାଡି ବିଜେପିର ବିଧାୟକ ପ୍ରାର୍ଥୀ ଭାବେ ତାଙ୍କୁ ଟକ୍କର ଦେଉଛନ୍ତି । ଯାହାକି ଜଗନ୍ନାଥ ସାରକାଙ୍କ ମୁଣ୍ଡ ବିନ୍ଧାର କାରଣ ହୋଇଛି । ସେ ଜଗନ୍ନାଥ ସାରକାଙ୍କ ଭୋଟ ବିଭାଜନ କରି ନିଜ ସପକ୍ଷରେ ଭୋଟକୁ ଆକୃଷ୍ଣ କରୁଛନ୍ତି । ସେହିପରି କଂଗ୍ରେସରେ ନୀଳମାଧବ ହିକକାଙ୍କ ଉପରେ ଦଳ ଭରସା କରି ପୁଣିଥରେ ପ୍ରାର୍ଥୀ କରିଛି । ପୂର୍ବତନ ମନ୍ତ୍ରୀ ଡମ୍ବରୁଧର ଉଲାକାଙ୍କ ପୁଅ ନୀଳମାଧବ ଉଲ୍ଲକା କଂଗ୍ରେସ ଦଳରୁ ଟିକେଟ ଆଶାୟୀ ଥିଲେ । ତାଙ୍କୁ ଟିକେଟ ନମିଳିବାରୁ ସେ କଂଗ୍ରେସ ଛାଡି ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି । ନୀଳମଧବ ଉଲ୍ଲାକା ନିର୍ବାଚନ ମଣ୍ଡଳିର ବିଭିନ୍ନ ଅଞ୍ଚଳ ଗସ୍ତ କରି ନିଜ ସପକ୍ଷରେ ଭୋଟ ଭିକ୍ଷା କରିଛନ୍ତି । ଯାହା କଂଗ୍ରେସ ଦଳ ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଛନ୍ତି । କଂଗ୍ରେସ ଦଳର ଭୋଟ ବିଭାଜନ କରିବାରେ ଲାଗିଥିବା ବେଳେ ନୀଳମାଧବ ହିକକା ଏବଂ ତାଙ୍କ ସମର୍ଥକମାନେ ଦଳୀୟ ନିଷ୍ପତ୍ତିକୁ ମାନି ଦଳ ସପକ୍ଷରେ ଭୋଟ ଦେବାକୁ ଭୋଟରଙ୍କୁ ନିବେଦନ କରିଛନ୍ତି ।
ଓଡିଶାରେ ଦୀର୍ଘ ୨୫ବର୍ଷର ନବୀନ ସରକାରର ବିଫଳତା ଏବଂ କଂଗ୍ରେସର ୫ ଗ୍ୟାରେଣ୍ଟି କାର୍ଡକୁ ନେଇ ଭୋଟରକୁ ଅପିଲ କରିଛନ୍ତି । ଅନ୍ୟପଟେ ବିଜେପିର ଜଗନ୍ନାଥ ନୁଣ୍ଡ୍ରୁକାଙ୍କ ମୁନିଗୁଡା ବ୍ଲକରେ ଦୃଢ ସଂଘଠନ ରହିଛି । ବିଷମକଟକ ଓ କୋଲନରା ବ୍ଲକରେ ମଧ୍ୟ ବିଜେପି ସମେତ ବିଜେଡି ଦଳର ଭୋଟକୁ ନିଜ ସପକ୍ଷରେ ନେବାକୁ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି । ବିଜେପି ପ୍ରାର୍ଥୀ ଜଗନ୍ନାଥ ନୁଣ୍ଢୁକା ଗାଁ ଗାଁ ବୁଲି ବିଜେଡି ସରକାରଙ୍କ ଅପରାଗତା, ଖଣି ଦୁର୍ନୀତି, ଚିଟଫଣ୍ଡ ଅର୍ଥ ଠକେଇକୁ ପ୍ରସଙ୍ଗ କରି ଲୋକଙ୍କ ପାଖରେ ପହଞ୍ଚିଛନ୍ତି । କେନ୍ଦ୍ରର ମୋଦି ସରକାରଙ୍କ ବିକାଶ ମୂଳକ କାର୍ଯ୍ୟ ଓ ମୋଦି ଗ୍ୟାରେଣ୍ଟି ନେଇ ସେ ଭୋଟ ଭିକ୍ଷା କରିଛନ୍ତି । ହେଲେ ବିଜେପିର କଛି ଆଶାୟୀ ପ୍ରାର୍ଥୀ ଜଗନ୍ନାଥଙ୍କ ପ୍ରାର୍ଥୀତ୍ୱକୁ ସହଜରେ ଗ୍ରହଣ କରିପାରୁନଥିବାରୁ ତାଙ୍କ ପାଇଁ ଅଡୁଆ ବଢିଛି । ଏହି ପ୍ରମୁଖ ଚାରି ପ୍ରାର୍ଥୀଙ୍କ ସମେତ ବିଏସପି , ସ୍ବାଧୀନ ପ୍ରାର୍ଥୀଙ୍କ ସମେତ ୮ ଜଣ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି । ଚଳିତ ନିର୍ବାଚନରେ ବିଏସପିରୁ ପୁଣିଥରେ ନିର୍ବାଚନ ଲଢୁଛନ୍ତି ଜିତେନ୍ଦ୍ର ଜାକସିକା । ଏହି ନିର୍ବାଚନରେ ବିଏସପିର ଜିତେନ୍ଦ୍ର ଜାକସିକା ଓ ସ୍ବାଧୀନ ପ୍ରାର୍ଥୀ ନୀଳମାଧବ ଉଲ୍ଲକା ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ ବୋଲି ରାଜନୈତିକ ସମୀକ୍ଷକମାନେ ମତବ୍ୟକ୍ତ କରିଛନ୍ତି ।
Comments are closed.