BJD Bijuli 480×75 Mob

ନାଗରିକତା ପାଇଁ ବାଧ୍ୟତାମୂଳକ ହେବ ଜନ୍ମ ପ୍ରମାଣପତ୍ର

ଭାରତରେ ୫ବର୍ଷରୁ କମ୍ ୩୮% ଶିଶୁଙ୍କର ହୋଇ ନାହିଁ ଜନ୍ମ ପଞ୍ଜୀକରଣ

BJD Bijuli 480×75 Mob

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଜନ୍ମ ପ୍ରମାଣପତ୍ରକୁ ନାଗରିକତାର ପ୍ରମାଣ ଭାବେ ଗ୍ରହଣ କରିଛନ୍ତି। ଜନ୍ମ ତାରିଖ ଓ ସ୍ଥାନ ଉଲ୍ଲେଖ ଥିବା କୌଣସି ଦସ୍ତାବିଜକୁ ଭାରତୀୟ ନାଗରିକ ପଞ୍ଜୀକରଣ ନିମନ୍ତେ ଉପସ୍ଥାପନ କରାଯାଇପାରିବ। ଜାତୀୟ ନାଗରିକ ପଞ୍ଜିକାରେ ଭାରତୀୟ ନାଗରିକ ଭାବେ ନାମ ପଞ୍ଜୀକରଣ ପାଇଁ ଜଣେ ନିଜର ଜନ୍ମ ତାରିଖ ଓ ସ୍ଥାନ ସମ୍ବନ୍ଧୀୟ କୌଣସି ଦସ୍ତାବିଜ ଦାଖଲ କରିପାରିବ। ଏହା ସତ୍ତ୍ବେ ବହୁ ସଂଖ୍ୟକ ଭାରତୀୟ, ବିଶେଷକରି ବୟସ୍କ ନାଗରିକଙ୍କ ପାଖରେ ଜନ୍ମ ପ୍ରମାଣପତ୍ର ନାହିଁ।

ଏପରିକି ୫ବର୍ଷରୁ କମ୍ ବୟସର ୩୮% ଶିଶୁଙ୍କ ପାଖରେ ଜନ୍ମ ପ୍ରମାଣପତ୍ର ନଥିବା ଜଣାପଡ଼ିଛି। ଏମାନଙ୍କ ସଂଖ୍ୟା ପ୍ରାୟ ୨୪ ନିୟୁତ (ପ୍ରାୟ ଅଢ଼େଇ କୋଟି)। ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ (ଏନଏଫ୍ଏଚଏସ୍‌-୫) ୨୦୧୫-୧୬ ଅନୁଯାୟୀ ୫ବର୍ଷରୁ କମ୍ ୬୨.୩% ଶିଶୁଙ୍କ ପାଖରେ ଜନ୍ମ ପ୍ରମାଣପତ୍ର ରହିଛି। ୨୦୦୫-୦୬ ବର୍ଷରେ ଏହି ବର୍ଗର ୨୯.୯% ଶିଶୁଙ୍କ ପାଖରେ ଜନ୍ମ ପ୍ରମାଣପତ୍ର ରହିଥିଲା। ୨୦୦୫ ପୂର୍ବରୁ ଏହି ସଂଖ୍ୟା ଆହୁରି କମ୍ ରହିଥିଲା।

ଏହା ପୂର୍ବରୁ ବିଦ୍ୟାଳୟ ପାଠପଢା ସମୟର ପ୍ରମାଣପତ୍ରକୁ ଜନ୍ମ ତାରିଖ ପ୍ରମାଣପତ୍ର ଭାବେ ଗ୍ରହଣ କରାଯାଇ ଆସୁଥିଲା। ତେବେ ଗରିବ ଓ ଅନୁସୂଚୀତ ଜାତି/ଜନଜାତି ବର୍ଗର ବହୁ ପିଲା ବିଦ୍ୟାଳୟ ଦ୍ବାର ମାଡ଼ିନଥିବା କାରଣରୁ ସେମାନଙ୍କର ଜନ୍ମ ସମ୍ପର୍କିତ କୌଣସି ପ୍ରମାଣପତ୍ର ନଥିଲା; ତେଣୁ ଏବେ ଆଧାର କାର୍ଡକୁ ଅନେକାଂଶରେ ଜନ୍ମ ପ୍ରମାଣପତ୍ର ଭାବେ ଗ୍ରହଣ କରାଯାଇ ବିଭିନ୍ନ ପ୍ରକାର ସରକାରୀ ଯୋଜନା ଯୋଗାଇ ଦିଆଯାଉଛି। ସରକାର ଆସନ୍ତା ଲୋକସଭାରେ ଜନ୍ମ ପ୍ରମାଣପତ୍ରକୁ ବାଧ୍ୟତାମୂଳକ କରିବା ସହ ଏହାକୁ ନାଗରିକ ପରିଚୟପତ୍ର ଭାବେ ସ୍ବୀକୃତି ଦେବାକୁ ବିଧେୟକ ଆଣିବା ଯୋଜନା ରଖିଛନ୍ତି। ଏଥିରେ ପ୍ରତ୍ୟେକଙ୍କ ଧର୍ମ ମଧ୍ୟ ଉଲ୍ଲେଖ ରଖିବ; ଏମିତିକି ସ୍ବାମୀ-ସ୍ତ୍ରୀ ଭିନ୍ନ ଧର୍ମର ହୋଇଥିଲେ ସେମାନଙ୍କ ଧର୍ମ ସ୍ବତନ୍ତ୍ର ଭାବେ ଉଲ୍ଲେଖ ରହିବାର ବ୍ୟବସ୍ଥା ରହିବ ବୋଲି ଜଣାପଡ଼ିଛି। ଏହି ପରିପ୍ରେକ୍ଷୀରେ ପ୍ରତ୍ୟେକ ଜନ୍ମ ଓ ମୃତ୍ୟୁର ୨୧ ଦିନ ମଧ୍ୟରେ ଏ ସଂକ୍ରାନ୍ତ ପଞ୍ଜୀକରଣକୁ ବାଧ୍ୟତାମୂଳକ କରାଯାଇଛି। ଏଥିପାଇଁ ଭିତ୍ତିଭୂମି ବଳିଷ୍ଠ କରିବା ଯୋଜନା ମଧ୍ୟ କରାଯାଇଛି।

ଆସାମରେ ହୋଇଥିବା ଜାତୀୟ ନାଗରିକ ପଞ୍ଜୀକରଣ (ଏନଆରସି) ପାଇଁ ଜନ୍ମ ପ୍ରମାଣପତ୍ରକୁ ନାଗରିକ ପ୍ରମାଣପତ୍ର ଭାବେ ଗ୍ରହଣ କରାଯାଇଥିଲା। ଜନ୍ମ ପ୍ରମାଣପତ୍ରରେ ଜନ୍ମ ସ୍ଥାନକୁ ଆଧାର କରି ଭାରତର ନାଗରିକତ୍ବ ପ୍ରଦାନ କରାଯାଇଛି। ଏହା ସହିତ ଭୋଟର କାର୍ଡ, ପାସପୋର୍ଟ, ଆଧାର, ଲାଇସେନ୍ସ, ବୀମା କାଗଜପତ୍ର, ବିଦ୍ୟାଳୟ ଛାଡିବା ପ୍ରମାଣପତ୍ର ଏବଂ ଜମି କିମ୍ବା ଘର ସମ୍ବନ୍ଧୀୟ ଦସ୍ତାବିଜ ଅନ୍ତର୍ଭୁକ୍ତକୁ ନାଗରିକ ପ୍ରମାଣପତ୍ର ଭାବେ ଗ୍ରହଣ କରାଯାଇଛି। ଡିସେମ୍ବର ୨୦, ୨୦୧୯ରେ ପ୍ରକାଶିତ ପତ୍ର ସୂଚନା ବ୍ୟୁରୋ (ପିଆଇବି) ଏକ ବିଜ୍ଞପ୍ତି ଅନୁସାରେ ନାଗରିକତା ପ୍ରମାଣ କରିବା ପାଇଁ ଆଧାର, ଭୋଟର କାର୍ଡ ଏବଂ ପାସପୋର୍ଟ ଯଥେଷ୍ଟ ନୁହେଁ। ଯଦି ଜଣଙ୍କ ପାଖରେ ନିଜ ଜନ୍ମର ବିବରଣୀ ନାହିଁ; ତେବେ ପିତାମାତାଙ୍କ ବିଷୟରେ ସମାନ ବିବରଣୀ ଦେବାକୁ ପଡ଼ିବ। ଅଭିଭାବକଙ୍କ ଦ୍ୱାରା କୌଣସି ଦସ୍ତାବିଜ ଦାଖଲ ବାଧ୍ୟତାମୂଳକ ନୁହେଁ।

ବର୍ତ୍ତମାନ ମଧ୍ୟ ଦେଶରେ ପ୍ରତ୍ୟେକ ଜନ୍ମ ଓ ମୃତ୍ୟୁ ପଞ୍ଜିକୃତ ହୋଇପାରୁନାହିଁ। ଦେଶରେ ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣରେ ବର୍ତ୍ତମାନର ଭିନ୍ନତାକୁ ଦୃଷ୍ଟିରେ ରଖି ବର୍ତ୍ତମାନର ସରକାରୀ ଭିତ୍ତିଭୂମି ଏନଆରସି ଆରମ୍ଭ କରିବା ପାଇଁ ଅନୁକୂଳ ନୁହେଁ। ଏହା ବିଶୃଙ୍ଖଳା, ଦ୍ୱନ୍ଦ୍ୱ ସୃଷ୍ଟି କରିବ ବୋଲି ଆଶଙ୍କା କରାଯାଇଛି। ଅନ୍ୟାନ୍ୟ କାଗଜପତ୍ର ବିଷୟରେ କହିବାକୁ ଗଲେ ୧୮ ବର୍ଷରୁ କମ୍ ବୟସର ପିଲାଙ୍କ ପାଖରେ ଭୋଟର ପରିଚୟପତ୍ର ରହିବାର ସମ୍ଭାବନା ନାହିଁ। ଯଦି ସେମାନେ ଦଶମ କିମ୍ବା ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଦେଇନାହାନ୍ତି (ଏବଂ ସେଥିପାଇଁ ସେହି ପ୍ରମାଣପତ୍ର ନାହିଁ), ତେବେ ଜନ୍ମ ପ୍ରମାଣପତ୍ର ହେଉଛି ସେମାନଙ୍କର ଜନ୍ମ ସ୍ଥାନର ଏକମାତ୍ର ପ୍ରମାଣ। ଆସାମରେ ଚିଠା ଏନଆରସି ପ୍ରକାଶ ପାଇବା ପରେ ୪୦ ଲକ୍ଷ ଲୋକ ବାଦ୍ ପଡ଼ିଥିଲେ। ଏମାନଙ୍କ ମଧ୍ୟରେ ଅଧିକାଂଶ ପିଲା ଥିଲେ; କାରଣ ସେମାନଙ୍କର ଜନ୍ମ ପ୍ରମାଣପତ୍ର ନଥିଲା।

ଶିକ୍ଷା ଅଧିକାର ଆଇନରେ ସ୍କୁଲ ନାମଲେଖା ପାଇଁ କୌଣସି କାଗଜପତ୍ରର ଆବଶ୍ୟକତା ନଥିବା ସତ୍ତ୍ୱେ ଦେଶବ୍ୟାପୀ ଜନ୍ମ ପ୍ରମାଣପତ୍ର ନଥିବା ପିଲାମାନେ ଘରୋଇ ବିଦ୍ୟାଳୟରେ ନାମ ଲେଖାଇବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ନାଗରିକତା ଭଳି ଗୁରୁତ୍ବପୂର୍ଣ୍ଣ କୌଣସି ଅଧିକାର ସହ ଜନ୍ମ ପ୍ରମାଣ ଯୋଡ଼ିବା ଭୟଙ୍କର ହେବା ଆଶଙ୍କା ରହିଛି। ୟୁନିସେଫ ରିପୋର୍ଟ ଅନୁଯାୟୀ, ଭାରତ ସମେତ ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋ, ଇଥିଓପିଆ, ନାଇଜେରିଆ ଓ ପାକିସ୍ତାନରେ ୧୬୬ ନିୟୁତ ଶିଶୁଙ୍କ ମଧ୍ୟରୁ ଅଧା ଶିଶୁଙ୍କର ଜନ୍ମ ପଞ୍ଜିକୃତ ହୋଇନାହିଁ। ଭାରତରେ ୭୭% ସହରାଞ୍ଚଳବାସୀ ଜନ୍ମ ଓ ମୃତ୍ୟୁ ପ୍ରମାଣପତ୍ର ବାହାର କରୁଥିବାବେଳେ ୫୬.୫% ଗ୍ରାମାଞ୍ଚଳବାସୀଙ୍କର ଏହା ଉପଲବ୍ଧ। ସେହିପରି ଧନିକ ଶ୍ରେଣୀର ୮୨.୩%ଙ୍କ ନିକଟରେ ଉକ୍ତ ପ୍ରମାଣପତ୍ର ରହିଛି। ଅନୁସୂଚିତ ଜାତି ଓ ଜନଜାତିଙ୍କ ନିକଟରେ ଏହି ପ୍ରମାଣପତ୍ରର ଅଭାବ ରହିଛି। ଏହି ତାରତମ୍ୟ ଦୂର କରିବା ପାଇଁ ସରକାର ଯୋଜନା ଚଳାଇଛନ୍ତି।

Comments are closed.