ସହରାଞ୍ଚଳରେ ଲୋପ ପାଉଛି ପକ୍ଷୀବଂଶ
ଗଛକଟା ଯୋଗୁଁ ପ୍ରଭାବିତ ବାସସ୍ଥଳୀ, ଉଜ୍ଜ୍ୱଳ ଆଲୋକ କରୁଛି ଦିଗଭ୍ରଷ୍ଟ, ପ୍ରଭାବିତ ହେଉଛି ବଂଶବୃଦ୍ଧି, ଦିଗହରା ନଗର ବନ ଯୋଜନା
ଭୁବନେଶ୍ୱର : ରାଜ୍ୟରେ ସହରାଞ୍ଚଳ ବୃଦ୍ଧି କାରଣରୁ ପକ୍ଷୀବଂଶ ଲୋପ ପାଇବାରେ ଲାଗିଛି। ସହରରେ କୋଠାବାଡି, ସଡ଼କ ଆଦି ନିର୍ମାଣ ଏବଂ ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟ ନିମନ୍ତେ ଅବିଚାରିତ ଭାବରେ ଗଛକଟା ଚାଲିଛି। ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟରେ ବ୍ୟାପକ ବୃକ୍ଷନଷ୍ଟ କାରଣରୁ ପକ୍ଷୀ ଆବାସସ୍ଥଳୀ ପ୍ରଭାବିତ ହେଉଛି। ସହରଗୁଡିକରେ ରାତି ସମୟରେ ଉଜ୍ଜ୍ୱଳ ଆଲୋକ ପକ୍ଷୀମାନଙ୍କୁ, ବିଶେଷକରି ବହିରାଗତ ପକ୍ଷୀଙ୍କୁ ଦିଗଭ୍ରଷ୍ଟ କରୁଛି। ଏଥିସହିତ ଏହା ସେମାନଙ୍କ ଶାରୀରିକ ଓ ମାନସିକ ଅବସ୍ଥା ଉପରେ ଗୁରୁତର ପ୍ରତିକୂଳ ପ୍ରଭାବ ପକାଇବା ସହିତ ସେମାନଙ୍କ ବଂଶବିସ୍ତାରକୁ ମଧ୍ୟ ପ୍ରଭାବିତ କରୁଛି। ଏହି କାରଣରୁ ଘରଚଟିଆ, ବଣି, ବଗ, ବାୟା ଚଢେଇ, ବୁଲବୁଲ୍, ଶୁଆ ଆଦି ପକ୍ଷୀ ସଂଖ୍ୟା ଦ୍ରୁତ ହ୍ରାସ ପାଉଛି। ରାଜ୍ୟର ଭୁବନେଶ୍ୱର, ରାଉରକେଲା, ପାରାଦୀପ, କଳିଙ୍ଗନଗର ଆଦି ସହରାଞ୍ଚଳରେ ଏହିଭଳି ପରିସ୍ଥିତି ଦେଖିବାକୁ ମିଳୁଛି। ଏହାବ୍ୟତୀତ କଟକ, ବାଲେଶ୍ୱର, ଭଦ୍ରକ ଆଦି ସହରାଞ୍ଚଳରେ ଏହି ପରିସ୍ଥିତି ଖରାପ ହେବାରେ ଲାଗିଛି।
ପରିବେଶବିତ୍ମାନଙ୍କର ମତ ଯେ ପୂର୍ବରୁ ରାଜ୍ୟରେ ସହରାଞ୍ଚଳ ସହିତ ଯାନବାହନ ଚଳାଚଳ କମ୍ ରହିଥିଲା। ରାତି ସମୟରେ ସହରାଞ୍ଚଳଗୁଡିକରେ ଏଭଳି ଉଜ୍ଜ୍ୱଳ ଆଲୋକ ବ୍ୟବହାର ହେଉନଥିଲା। ସହର ଭିତରେ ଏବଂ ତାହାର ଚତୁର୍ପାଶ୍ୱର୍ରେ ଅନେକ ପୁରାତନ ଗଛ ଥିଲା, ଯାହା ପକ୍ଷୀମାନଙ୍କର ପ୍ରାକୃତିକ ଆବାସସ୍ଥଳୀ ଭାବରେ ବିବେଚିତ ହେଉଥିଲା ଏବଂ ତାହା ପକ୍ଷୀମାନଙ୍କୁ ଖାଦ୍ୟ ଯୋଗାଇ ଦେଉଥିଲା; କିନ୍ତୁ ସହରାଞ୍ଚଳ ବୃଦ୍ଧି ଓ ବିକାଶ ନାମରେ ବେପରୁଆ ଭାବରେ ଗଛଗୁଡିକୁ କାଟିଦିଆଯିବା ଦ୍ୱାରା ପକ୍ଷୀମାନଙ୍କର ବାସସ୍ଥଳୀ ପ୍ରତି ଘୋର ବିପଦ ସୃଷ୍ଟି ହୋଇଛି। ରାତି ସମୟରେ ସହରାଞ୍ଚଳର ଉଜ୍ଜ୍ୱଳ ଆଲୋକ ପ୍ରଭାବରେ ଘରବାହୁଡା ଏବଂ ବହିରାଗତ ପକ୍ଷୀ ପଥଭ୍ରଷ୍ଟ ହେଉଛନ୍ତି। ସେମାନେ କେଉଁ ଦିଗରେ ଯିବେ ଜାଣିପାରୁନାହାନ୍ତି। ତାହାସହିତ ଏଲଇଡି, ହାଲୋଜେନ୍, ଫ୍ଲୋରୋସେଣ୍ଟ ଆଲୋକ ସହିତ ବିବାହ ବା ଅନ୍ୟ ଶୋଭାଯାତ୍ରା ସମୟରେ ବ୍ୟବହାର ହେଉଥିବା ପ୍ରଖର ରଙ୍ଗୀନ ଆଲୋକ ଓ ଶବ୍ଦ ସେମାନଙ୍କ ଦୃଷ୍ଟିଶକ୍ତି ଓ ମାନସିକ ସ୍ଥିତି ଉପରେ ପ୍ରତିକୂଳ ପ୍ରଭାବ ପକାଉଛି। ଏହାଦ୍ୱାରା ଅନେକ ରୋଗଗ୍ରସ୍ତ ହେଉଛନ୍ତି। ସେମାନେ ଉକ୍ତ ସ୍ଥାନକୁ ଛାଡି ଅନ୍ୟତ୍ର ଯିବାଦ୍ୱାରା ସେଠାରେ ବାସସ୍ଥଳ ଓ ଖାଦ୍ୟ ଯୋଗାଡ କ୍ଷେତ୍ରରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଉଜ୍ଜ୍ୱଳ ଆଲୋକ ପ୍ରଭାବରେ ସେମାନଙ୍କର ବଂଶବିସ୍ତାର କ୍ଷମତା ଶୀଘ୍ର ହେବା ସହିତ ଜୀବନକାଳ ହ୍ରାସ ପାଉଥିବା ପରିବେଶବିତ୍ ମତ ଦେଇଛନ୍ତି। ସେମାନେ ନିଦ୍ରାହୀନତାର ଶିକାର ହେବା ସହିତ ଅଧରାତିରେ ବିଚଳିତ ହୋଇ ରାବ କରୁଛନ୍ତି। ଏସବୁ ବ୍ୟତୀତ ଜନସାଧାରଣ ବଳକା ଖାଦ୍ୟକୁ ପଲିଥିନ ମୁଣାରେ ରଖି ବାହାରେ ଫିଙ୍ଗି ଦେଉଥିବାବେଳେ ପକ୍ଷୀମାନେ ତାହା ଖୁମ୍ପି ଖାଇବା ସମୟରେ ସେମାନଙ୍କ ପାକସ୍ଥଳୀକୁ ପଲିଥିନ୍ର କିଛି ଅଂଶ ମଧ୍ୟ ଯାଉଛି, ଯାହା ସେମାନଙ୍କ ଅକାଳ ମୃତ୍ୟୁର କାରଣ ହେଉଛି।
କେନ୍ଦ୍ର ସରକାର ପରିବେଶ ସୁସ୍ଥ ରଖିବା ଉଦ୍ଦେଶ୍ୟରେ ୨୦୨୦ ବିଶ୍ୱ ପରିବେଶ ଦିବସ ଅବସରରେ ନଗର ବନ ଯୋଜନା କାର୍ଯ୍ୟକାରୀ କରିଥିଲେ। ଏଥିରେ ପାଞ୍ଚବର୍ଷ ମଧ୍ୟରେ ୨୦୦ରୁ ଅଧିକ ସ୍ଥାନରେ ଏଭଳି ବନ ସୃଷ୍ଟି ଯୋଜନା କରାଯାଇଥିଲା। ସେଥିମଧ୍ୟରେ ଭୁବନେଶ୍ୱରରେ ୭ ଓ କଟକରେ ୫ଟି ନଗର ବନ ସୃଷ୍ଟି ଯୋଜନା ରହିଥିଲା। ଏହାଦ୍ୱାରା ଛୋଟ ଛୋଟ ଜଙ୍ଗଲ ସୃଷ୍ଟି ସହିତ ଜୈବ ବିବିଧତାରେ ଉନ୍ନତି ଆଣିବା ଲକ୍ଷ୍ୟ ରଖାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଜନସାଧାରଣଙ୍କ ଅଂଶଗ୍ରହଣ ସହିତ ଜଙ୍ଗଲ ବିଭାଗ, ପୌରସଂସ୍ଥା, ସ୍ୱେଚ୍ଛାସେବୀ ସଂସ୍ଥା, ବୃହତ୍ ବାଣିଜ୍ୟିକ ସଂସ୍ଥା ଏବଂ ସ୍ଥାନୀୟ ନାଗରିକଙ୍କ ମଧ୍ୟରେ ସମନ୍ୱୟ ରକ୍ଷାକରି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବାକୁ କୁହାଯାଇଥିଲା। ବିଶେଷକରି ଏଥିପାଇଁ ସହର ମଧ୍ୟରେ ଥିବା ଜଙ୍ଗଲ ଜମି ଅଥବା ସ୍ଥାନୀୟ ସ୍ୱାୟତ୍ତ ସଂସ୍ଥା ପକ୍ଷରୁ ଯୋଗାଇ ଦିଆଯାଉଥିବା ଖାଲି ସ୍ଥାନରେ ବନୀକରଣ କରାଯିବା ବ୍ୟବସ୍ଥା ରହିଥିଲା। ଏହା ସହରାଞ୍ଚଳର ଫୁସ୍ଫୁସ୍ ଭାବରେ କାର୍ଯ୍ୟକରିବ ବୋଲି ତତ୍କକାଳୀନ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କହିଥିଲେ। ତାହା କିନ୍ତୁ ଏଯାଏ ଫଳପ୍ରଦ ହୋଇପାରିନାହିଁ। ସହରାଞ୍ଚଳ ଭିତରେ ଏବଂ ଚତୁର୍ପାଶ୍ୱର୍ରେ ଯେତିକି ବି ଗଛ ଅଛି, ତାହାକୁ କିଭଳି ସୁରକ୍ଷା କରାଯିବା ସହିତ ନୂଆ ଗଛ ଲଗାଯାଇପାରିବ, ସେ ଦିଗରେ କାହାର ଆନ୍ତରିକତା ଥିବା ପରିଲକ୍ଷିତ ହେଉନାହିଁ। ସରକାରୀ ନିୟମ ଅନୁଯାୟୀ କୌଣସି ଉଦ୍ଦେଶ୍ୟରେ ଗୋଟିଏ ଗଛ କାଟିଲେ ଅନ୍ୟୂନ ଦଶଟି ବୃକ୍ଷ ଚାରା ଲଗାଯିବା କଥା। କିନ୍ତୁ ସେହି ଅଞ୍ଚଳରେ ହେବା ଆବଶ୍ୟକ। ଶହେ କି ଦୁଇଶହ କିଲୋମିଟର ଦୂରରେ ଏହାକୁ ଲଗାଇଲେ କ୍ଷତିଗ୍ରସ୍ତ ଅଞ୍ଚଳ ଉପରେ କୌଣସି ସକାରାତ୍ମକ ପ୍ରଭାବ ପଡ଼ିବ ନାହିଁ ବୋଲି ପରିବେଶବିତ୍ମାନେ ମତ ଦେଇଛନ୍ତି। ତାହାଛଡା ସେମାନେ ଫଳନ୍ତି ଓ ଛୟାପ୍ରଦ ବୃକ୍ଷଚାରା ରୋପଣ ଉପରେ ଗୁରୁତ୍ୱ ଦେଉଛନ୍ତି। କିନ୍ତୁ ପ୍ରତିବର୍ଷ ବନ ମହୋତ୍ସବ ସମୟରେ ରୋପଣ କରାଯାଉଥିବା ଚାରାରୁ ତାହା ପରବର୍ଷ ପର୍ଯ୍ୟନ୍ତ କେତେ ବଞ୍ଚୁଛି ତାହାର ସମୀକ୍ଷା କରାଯାଉନାହିଁ। ତଳୁ ଉପର ପର୍ଯ୍ୟନ୍ତ ଦୁର୍ନୀତି ଚାଲିଥିବାରୁ କୌଣସି ଯୋଜନାରୁ ସୁଫଳ ମିଳୁନଥିବା ସେମାନେ କହିଛନ୍ତି।
Comments are closed.