www.samajalive.in
Saturday, December 6, 2025
17.1 C
Bhubaneswar

କ୍ରସର ମାଲିକଙ୍କ ଅପହରଣକୁ ନେଇ ଆଲୋଡନ ; ଖୁବ ଶୀଘ୍ର ଗିରଫ ହେବେ ଅପହରଣକାରୀ : ଏସ.ପି

ସୁନ୍ଦରଗଡ଼ : ବୀରମିତ୍ରପୁର ଥାନା ଅନ୍ତର୍ଗତ ବିଜାବାହାଲରୁ ଶନିବାର ଜୈନିକ କ୍ରସର ମାଲିକଙ୍କ ଅପହରଣ ମାମଲା ବିଳମ୍ବିତ ରାତିରେ ଜଣାପଡ଼ିବା ପରେ ଏହାକୁ ନେଇ ସମଗ୍ର ଜିଲାରେ ଆଲୋଡନ ସୃଷ୍ଟି ହୋଇଛି। ଏ ସଂପର୍କରେ ଅପହୃତ ହୋଇଥିବା କ୍ରସର ମାଲିକଙ୍କ ଭାଇ ବୀରମିତ୍ରପୁର ଥାନାରେ ଲିଖିତ ରିପୋର୍ଟ ଦେବାରୁ ପୁଲିସ ତନାଘନା ଆରମ୍ଭ କରିଦେଇଛି। ଅପରପକ୍ଷରେ କ୍ରସର ୟୁନିଟଠାରୁ ଅଳ୍ପ ଦୂରରେ କ୍ରସର ମାଲିକଙ୍କ ଚାବି ଲଗା କାର ଓ ତାଙ୍କ ମୋବାଇଲ ଫୋନକୁ ପୁଲିସ ଜବତ କରିଥିବାରୁ ଏହା ଏକ ଅପହରଣ ମାମଲା ବୋଲି ସ୍ପଷ୍ଟ ହୋଇଯାଇଛି। ରବିବାର ଏ ସଂପର୍କରେ ସୁନ୍ଦରଗଡ଼ ଏସ.ପି ସାଗରିକା ନାଥ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ, ପୁଲିସ ଏ ଘଟଣାକୁ ଗୁରୁତର ସହ ନେଇ ଘଟଣାର ସମଗ୍ର ଦିଗ ଉପରେ ତଦନ୍ତ ଆରମ୍ଭ କରିଛି। ଏପରିକି ଜିଲା ପୁଲିସର ଦୁଇଟି ସ୍ୱତନ୍ତ୍ର ସ୍କ୍ୱାର୍ଡ଼କୁ ଜିଲା ବାହାରକୁ ପଠାଯାଇ ଅପହରଣକାରୀଙ୍କୁ ଗିରଫ କରିବା ଓ ଅପହୃତ କ୍ରସର ମାଲିକଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି। ଅଭିଯୁକ୍ତଙ୍କ ସଂପର୍କରେ ପୁଲିସ ପ୍ରାଥମିକ ତଦନ୍ତରୁ କିଛିଟା ସୁରାକ ପାଇଥିଲେ ହିଁ ତଦନ୍ତରେ ବ୍ୟାଘତ ହେବା ଦୃଷ୍ଟିରୁ ତାହାର ସଂପୂର୍ଣ୍ଣ ବିବରଣୀ ଦିଆଯାଇନଥିଲେ ମଧ୍ୟ ମୋଟା ରକମର ଦାଦାବଟି ଆଦାୟକୁ କେନ୍ଦ୍ର କରି ଅପହରଣ କରାଯାଇଛି ବୋଲି ପୁଲିସର ସନ୍ଦେହ ଦୃଢ଼ିଭୂତ ହୋଇଛି।

ଏପରିକି ରବିବାର ମଧ୍ୟାହ୍ନରେ ଅପହୃତ କ୍ରସର ମାଲିକଙ୍କ ପତ୍ନୀଙ୍କ ନିକଟକୁ ଦାଦାବଟି ସଂପର୍କିତ ଏକ ଅଜଣା ଫୋନ କଲ ଆସିଥିବାର ଜଣାପଡ଼ିଛି। କେଇ ବର୍ଷ ବ୍ୟବଧାନ ପରେ ଦାଦାବଟିକୁ ନେଇ ଅପହରଣ ମାମଲା ସାମ୍ନାକୁ ଆସିବା ପରେ ଏହା ପୁଲିସ ପ୍ରତି ଏକ ଆହ୍ୱାନ ସୃଷ୍ଟି କରିଛି ବୋଲି ଚର୍ଚ୍ଚା ଜୋର ଧରିଛି। ନିକଟରେ ବୀରମିତ୍ରପୁର ସମେତ ବିଭିନ୍ନ ସୀମାନ୍ତ ଅଞ୍ଚଳରେ ପୁଲିସର ବ୍ୟାପକ ଚଢ଼ାଉ ଓ ତଳାସୀ ଯୋଗୁଁ ଅପରାଧିକ ଘଟଣା ହ୍ରାସ ପାଉଥିବା ବେଳେ ଏ ଅପହରଣ ଘଟଣା ପୁଲିସର କାର୍ଯ୍ୟ ଉପରେ ପୁନଶ୍ଚ ପ୍ରଶ୍ନ ଚିହ୍ନ ଲଗାଇ ଦେଇଛି। ସୂଚନାଯୋଗ୍ୟ, ଅପହୃତ କ୍ରସର ମାଲିକ ପ୍ରଦୀପ କୁଣ୍ଡୁ(୫୧) ପ୍ରତ୍ୟକ ଦିନ ଭଳି ଗତକାଲି ନିଜ କ୍ରସର ୟୁନିଟକୁ ଆସିବା ସହ କର୍ମଚାରୀ ଓ ମଜୁରିଆଙ୍କୁ ସାପ୍ତାହିକ ପାଉଣା ପ୍ରଦାନ କରିଥିଲେ। ପରେ ୟୁନିଟ ଅଞ୍ଚଳରୁ ସେ ମୁଖ୍ୟରାସ୍ତାକୁ ନିଜ କାରରେ ଆସୁଥିବା ବେଳେ କେତେକ ଲୋକ ତାଙ୍କ ଗାଡ଼ିକୁ ଅଟକାଇଥିଲେ ବୋଲି ଅସମର୍ଥିତ ସୂତ୍ରରୁ ଜଣାପଡ଼ିଛି। ଏହା ପରେ ଶ୍ରୀ କୁଣ୍ଡୁଙ୍କ କୌଣସିି ପତ୍ତା ନଥିବା ବେଳେ ଘଟଣାସ୍ଥଳରେ ତାଙ୍କ ଚାବି ଲଗା କାର ଓ ମୋବାଇଲ ଫୋନ ସେହିଠାରେ ଥିଲା। ସ୍ୱଭାବିକ ସମୟ ଅତିବାହିତ ହୋଇଯିବା ପରେ ପରିବାର ଲୋକ ତାଙ୍କୁ ଖୋଜାଖୋଜି ଆରମ୍ଭ କରିଦେଇଥିଲେ। ବିଳମ୍ବିତ ରାତିରେ ଏ ସଂପର୍କରେ ତାଙ୍କ ଭାଇ ପ୍ରଥମେ କୁଆରମୁଣ୍ଡା ଫାଣ୍ଡିରେ ସୂଚନା ଦେଇଥିବା ବେଳେ ପରବର୍ତ୍ତୀ ସମୟରେ ବୀରମିତ୍ରପୁର ଥାନାରେ ଏ ସଂପର୍କରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଟିମ କ୍ରସର ୟୁନିଟ ଓ ଆଖପାଖ ଜଙ୍ଗଲିଆ ଅଞ୍ଚଳରେ ତଳାସୀ ଆରମ୍ଭ କରିଦେଇଥିବା ବେଳେ ରାସ୍ତାକଡ଼ରୁ ତାଙ୍କ କାର ଓ ମୋବାଇଲ ଫୋନ ଉଦ୍ଧାର କରାଯାଇଥିଲା।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories