ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ ପ୍ରଦାନରେ ଅବହେଳା, ଅନୁଷ୍ଠାନ ବିରୋଧରେ ମାମଲା ରୁଜୁ ସହ ସହବନ୍ଧନ ପ୍ରତ୍ୟାହାର କରିବାକୁ ସୁପାରିଶ

ଭୁବନେଶ୍ୱର: ପାହାଳ ଥାନା ଅଧୀନ ଏକ ଘରୋଇ ବୈଷୟିକ ଶିକ୍ଷାନୁଷ୍ଠାନରୁ ତିନବର୍ଷ ତଳେ ଉତ୍ତୀର୍ଣ୍ଣ ହୋଇଥିଲେ ମଧ୍ୟ ପ୍ରମାଣପତ୍ର ପାଇପାରି ନାହାନ୍ତି। ପ୍ରାୟ ୪୩୮ଜଣ ଛାତ୍ରୀଛାତ୍ରୀଙ୍କ ଭବିଷ୍ୟତ ସହ ଖେଳୁଥିବା ଏହି ଅନୁଷ୍ଠାନ ବିରୋଧରେ ମାମଲା ରୁଜୁ କରିବା ସହ ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ମାନବାଧିକାର ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି। ଏହାଛଡା ଏହି ଅନୁଷ୍ଠାନର ସହବନ୍ଧନ ପ୍ରତ୍ୟାହାର କରିବା ଦିଗରେ ବିଚାର କରିବାକୁ ବିଜୁ ପଟ୍ଟନାୟକ ୟୁନିଭରସିଟି ଅଫ ଟେକ୍ନୋଲୋଜି (ବିପିୟୁଟି) ଓ ଅଲ ଇଣ୍ଡିଆ କାଉନସିଲ ଅଫ ଟେକ୍ନିକାଲ ଏଜୁକେଶନ (ଏଆଇସିଟିଇ)କୁ ଆୟୋଗ ପରାମର୍ଶ ଦେଇଛନ୍ତି।

ସୂଚନାଯୋଗ୍ୟ, ନଖରା ନିକଟ ଜଗନ୍ନାଥପୁରରେ ଥିବା ଇଷ୍ଟର୍ଣ୍ଣ ଏକାଡେମୀ ଅଫ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି (ଇଷ୍ଟ)ର ବିଭିନ୍ନ ବିଭାଗରେ ଛାତ୍ରଛାତ୍ରୀ ନାମ ଲେଖାଇଥିଲେ। ୨୦୧୭-୧୮ ଓ ୨୦୧୮-୧୯ ଶିକ୍ଷା ବର୍ଷରେ ଶିକ୍ଷା ସମାପ୍ତ କରିଥିବା ଛାତ୍ରଛାତ୍ରୀ ଆଜି ପର୍ଯ୍ୟନ୍ତ ସେମାନଙ୍କ ସାର୍ଟିଫିକେଟ ପାଇପାରିନାହାନ୍ତି। ବାରମ୍ବାର କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରି ବିଫଳ ହେବା ପରେ ସୋନାଲି ସାହୁ, ପ୍ରିୟଦର୍ଶିନୀ ମିଶ୍ର, ବିକାଶ ଛାତ୍ରଛାତ୍ରୀ କହିଛନ୍ତି ଯେ ସେମାନେ ସମସ୍ତ ଦେୟ ପୈଠ କରିବା ସହ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିଲେ। ମାତ୍ର ଏ ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟର ସାର୍ଟିଫିକେଟ ଓ ଗ୍ରେଡ ସିଟ ପାଇନାହାନ୍ତି। ଏପରି ଭାବେ ୪୩୮ ଜଣ ଛାତ୍ରଛାତ୍ରୀ ସାର୍ଟିଫିକେଟ ନ ପାଇ ନିଯୁକ୍ତି ସୁଯୋଗରୁ ବଞ୍ଚିତ ହେଉଛନ୍ତି। ଆୟୋଗ ଛାତ୍ରଛାତ୍ରୀଙ୍କ ଅଭିଯୋଗକୁ ଗ୍ରହଣ କରି ଅନୁଷ୍ଠାନ ଅଧ୍ୟକ୍ଷଙ୍କୁ ହାଜର ହେବାକୁ ନୋଟିସ ଜାରି କରିଥିଲେ। ବାରମ୍ବାର ନୋଟିସ ସତ୍ତ୍ବେ ହାଜର ନ ହେବାରୁ ଆୟୋଗଙ୍କ ପକ୍ଷରୁ ଗିରଫ ପରୱାନା ଜାରି କରାଯାଇଥିଲା।

ଅଧ୍ୟକ୍ଷ ଡ. ଶରତ ଚନ୍ଦ୍ର ଚଇନି ଆୟୋଗରେ ହାଜର ହୋଇ ନିଜର ଅସହାୟତା ପ୍ରକାଶ କରିବା ସହ ଆର୍ଥିକ ବ୍ୟାପାରରେ ତାଙ୍କର କୌଣସି କର୍ତ୍ତୃତ୍ୱ ନାହିଁ ବୋଲି କହିଥିଲେ। ଅପରପକ୍ଷରେ ବିପିୟୁଟି ରେଜିଷ୍ଟ୍ରାର ମେ ୧୧ ତାରିଖରେ ଆୟୋଗଙ୍କୁ ଅବଗତ କରାଇଥିଲେ ଯେ, ବାରମ୍ବାର ନୋଟିସ ସତ୍ତ୍ବେ ଇଷ୍ଟ କର୍ତ୍ତୃପକ୍ଷ ନିର୍ଦ୍ଧାରିତ ଦେୟ ପୈଠ କରୁନାହାନ୍ତି କିମ୍ବା ଛାତ୍ରଛାତ୍ରୀଙ୍କ ସାର୍ଟିଫିେକଟ ନେଉନାହାନ୍ତି। ଆବେଦନକାରୀଙ୍କ ପକ୍ଷରୁ ମାନବାଧିକାର କର୍ମୀ ବିଶ୍ବପ୍ରିୟ କାନୁନଗୋ ଯୁକ୍ତି ଦର୍ଶାଇଥିଲେ, ଉତ୍ତୀର୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ବିପିୟୁଟି କର୍ତ୍ତୃପକ୍ଷ ସାର୍ଟିଫିକେଟ ପ୍ରଦାନ କରିପାରିବେ। ଇଷ୍ଟ କଲେଜ ଓ ବିପିୟୁଟି କର୍ତ୍ତୃପକ୍ଷଙ୍କ ମଧ୍ୟରେ ଥିବା ଅର୍ଥ କାରବାର ବିବାଦର କୁପରିଣାମ ଛାତ୍ରଛାତ୍ରୀ କାହିଁକି ଭୋଗିବେ ବୋଲିଲି ପ୍ରଶ୍ନ କରିଥିଲେ। ମଧ୍ୟବିତ୍ତ ଓ ନିମ୍ନମଧ୍ୟବିତ୍ତ ବର୍ଗର ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ବହୁ କଷ୍ଟରେ ଅର୍ଥ ଯୋଗାଡ କରିଥିଲେ ମଧ୍ୟ ସେମାନଙ୍କ ପିଲା ସାର୍ଟିଫିକେଟ ନ ପାଇ ଚାକିରି ସୁଯୋଗରୁ ବଞ୍ଚିତହେଉଛନ୍ତି। ମାନବାଧିକାର ଆୟୋଗ ଅଧ୍ୟକ୍ଷ ବି.କେ. ପଟେଲ ଓ ସଭ୍ୟ ଅସୀମ ଅମିତାଭ ଦାଶଙ୍କୁନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରୁଥିଲା ବେଳେ ଅଗଷ୍ଟ ୧ ତାରିଖରେ ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି। ସାର୍ଟିଫିକେଟ ନପାଇ ଘୋର ଅନିଶ୍ଚିତତା ମଧ୍ୟରେ ଥିବା ଛାତ୍ରଛାତ୍ରୀ ବିପିୟୁଟି କୁଳାଧିପତିଙ୍କୁ ସାକ୍ଷାତ କରି ସମସ୍ୟାର ସମାଧାନ କରିବାକୁ ଅନୁେରାଧ କରିବେ ବୋଲି କହିଛନ୍ତି।

Comments are closed.