ଭୁବନେଶ୍ୱର: ଭୁବନେଶ୍ବର ତହସିଲରେ ୨୦ଟି ବିଭାଗ ଏବେ ଇ- ଅଫିସ କାର୍ଯ୍ୟ ସହ ଯୋଡି ହୋଇଛି। ତଥାପି ତହସିଲରେ ଲୋକଙ୍କୁ ସୁବିଧା ସୁଯୋଗ ମିଳୁନି। ପୂର୍ବଭଳି ଏବେ ମଧ୍ୟ ତହସିଲରେ ଚକ୍କର କାଟିବାକୁ ପଡୁଛି। ଜଣେ ଆବେଦନକାରୀଙ୍କୁ ଦାଖଲ ଖାରଜ ମାମଲା କପି ମାଗିଲେ ତାହା ରେକର୍ଡ ବିଭାଗରେ ଉପଲବ୍ଧ ନଥିବା ଦର୍ଶାଇ ଫେରାଇ ଦିଆଯାଉଛି। ୨୦୦୫ ମସିହାର ରେକର୍ଡ ଅନଲାଇନରେ ପଞ୍ଜିକୃତ ହୋଇନଥିବା ବେଳେ ବର୍ଷ ବର୍ଷର ରାଜସ୍ବ ରେକର୍ଡ କିପରି ତହସିଲ ରେକର୍ଡ ବିଭାଗରୁ ମିଳିବ ତାହାକୁ ନେଇ ଏବେ ସାଧାରଣରେ ଆଲୋଚନା ହେଉଛି।
ଗତ ଜୁଲାଇ ୭ରେ ଆବେଦନକାରୀ ପି.ସି. ପ୍ରଧାନ ଦାଖଲ ଖାରଜର କପି ପାଇଁ ତହସିଲରେ ଆବେଦନ କରିଥିଲେ। କିନ୍ତୁ ଆବେଦନର ୧୮ ଦିନ ପରେ ରେକର୍ଡ ବିଭାଗ କପି ଉପଲବ୍ଧ ନଥିବା ଦର୍ଶାଇ ଫେରାଇ ଦେଇଛନ୍ତି। କେବଳ ଶ୍ରୀ ପ୍ରଧାନ ନୁହନ୍ତି ବହୁ ଆବେଦନକାରୀ ନିରାଶ ହୋଫେରୁଥିବା ଜଣାପଡିଛି। ଏ କ୍ଷେତ୍ରରେ ଭୁବନେଶ୍ବର ତହସିଲ ଇ- ଅଫିସ କାର୍ଯ୍ୟ ପ୍ରସହନ ହୋଇଥିବା ଶୁଣିବାକୁ ମିଳୁଛି।
ସୂଚନା ଯୋଗ୍ୟ, ରାଜସ୍ବ ବିଭାଗ ଦୁର୍ନୀତିମୁକ୍ତ ହେବ। ଆଗକୁ ସାଧାରଣ ଲୋକେ ରାଜସ୍ବ ବିଭାଗ ପ୍ରତି ଆସ୍ଥା ବଢିବ। ତହସିଲ କାର୍ଯ୍ୟାଳୟକୁ ବାରମ୍ବାର ଦୌଡିବାକୁ ହେବନି କିମ୍ବା ଦଲାଲଙ୍କ ଷଡଯନ୍ତ୍ରର ଶିକାର ହୋଇ ଖର୍ଚ୍ଚାନ୍ତ ହେବାକୁ ପଡିବନି। ତହସିଲ କାର୍ଯ୍ୟାଳୟର ସ୍ଥାୟୀ ପ୍ରମାଣ ପତ୍ର , ଆୟ ପ୍ରମାଣ ପତ୍ର, ଜାତିଗତ ପ୍ରମାଣ ପତ୍ର, ଆବାସିକ ପ୍ରମାଣ ପତ୍ର, ଲିଗାଲ ହେୟାର(ଉତ୍ତରାଧିକାରୀ) ପ୍ରମାଣପତ୍ର ଅନଲାଇନରେ ଆବେଦନର କିଛି ଦିନ ପରେ ଲୋକେ ସେ ସବୁ ଘରେ ଥାଇ ପାଇପାରିବେ। ଦାଖଲ ଖାରଜ ଓ କିସମ ପରିବର୍ତ୍ତନ ମାମଲାକୁ ସପ୍ତାହ ଭିତରେ ଫଇସଲା କରାଯାଇ ଲୋକଙ୍କ ଘରେ ଡାକ ଯୋଗେ ପଟ୍ଟା ପହଞ୍ଚା ଯାଇପାରିବ। ମୋ’ ସରକାର ଯୋଜନା ସହ ରାଜସ୍ବ ବିଭାଗ ଯୋଡାଯିବା ପରେ ତହସିଲର ସମସ୍ତ କାର୍ଯ୍ୟ ଏବେ ଇ- ଅଫିସ ଜରିଆରେ କରାଯାଉଛି। ଏଥିପାଇଁ ତହସିଲ କର୍ମଚାରୀଙ୍କୁ ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ର ମାଧ୍ୟମରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ଏତେସବୁ ସତ୍ତ୍ବେ ଲୋକଙ୍କୁ ସେବା ମୁଳୁନି। ଗତ ଜୁନ୍ ୧୮ରେ ଖୋର୍ଦ୍ଧା ଜିଲାର ସମସ୍ତ କାର୍ଯ୍ୟ ଇ- ଅଫିସ ମାଧ୍ୟମରେ କରିବାକୁ ଜିଲାପାଳ ଅନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ। ଏହି ପରିପ୍ରେକ୍ଷୀରେ ଜୁନ୍ ୨୦ରେ ଭୁବନେଶ୍ବର ତହସିଲରେ ଇ- ଅଫିସ କାର୍ଯ୍ୟ ଆରମ୍ଭ ହୋଇଥିଲା। ତହସିଲର ସମସ୍ତ କାର୍ଯ୍ୟ ଅନଲାଇନରେ ଆରମ୍ଭ ହୋଇଥିବା ତହସିଲଦାର ପ୍ରଦୀପ କୁମାର ସାହୁ କହିଥିଲେ। ରେକର୍ଡ ମିଳୁନଥିବା ସମ୍ପର୍କରେ ତହସିଲଦାର ଶ୍ରୀ ସାହୁ କୁହନ୍ତି, ଏଭଳି ଅଭିଯୋଗ ମୋ’ ଦୃଷ୍ଟିକୁ ଆସିନି। ଆସିବା ମାତ୍ରେ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ।



