ବାପାଙ୍କୁ ଫସାଇବା ସହଯୋଗରେ ପୁଅ ଓ ସହଯୋଗୀ ଗିରଫ
ଭୁବନେଶ୍ବର: ବ୍ୟବସାୟୀ ବାପାଙ୍କୁ ଫସାଇବା ଅଭିଯୋଗରେ ପୁଅ ଓ ସହଯୋଗୀ ଗିରଫ। ରାଜଧାନୀ ଉପକଣ୍ଠ ବାଲିଅନ୍ତାରୁ ପୁଅ ଓ ସହଯୋଗୀଙ୍କୁ ଗିରଫ କଲା ପୁଲିସ। ବାପାଙ୍କୁ ଗିରଫ କରାଇବାକୁ ଗାଡ଼ିରେ ବନ୍ଧୁକ ରଖି ଧରାଇ ଦେଇଥିଲା ପୁଅ। ପୁଲିସର ଖୋଳତାଡ଼ ପରେ ପୁଅର ସମ୍ପୃକ୍ତି ଜଣାପଡ଼ିଥିଲା।
ଭୁବନେଶ୍ୱର ଡିସିପି ପ୍ରତିକ ସିଂ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ ନିଜ ବାପାକୁ ଗିରଫ କରାଇ ଜେଲ ପଠାଇବାକୁ ପୁଅ ଇଛା କରିଥିଲା। ଏହାପରେ ସେ ବାପାଙ୍କ ଗାଡ଼ିରେ ବନ୍ଧୁକ ରଖି ପୁଲିସକୁ ଖବର ଦେଇଥିଲା। ଏପରିକି ଚୋରା ବନ୍ଧୁକ ଧରି ବାପା ଅସାମାଜିକ ବ୍ୟକ୍ତିଙ୍କ ସହ ମିଶି ଅପରାଧ ଘଟାଇବାକୁ ଯୋଜନା ପ୍ରସ୍ତୁତ କରୁଥିବା ପୁଲିସ ନିକଟରେ ଅଭିଯୋଗ କରିଥିଲା। ପୁଲିସ ଅଭିଯୋଗର ତଦନ୍ତ କରିବା ପରେ ପୁଅ ହିଁ ସମସ୍ତ ଚକ୍ରାନ୍ତ କରିଥିବା ଜାଣିବାକୁ ପାଇଥିଲା ଏବଂ ପୁଲିସ ପୁଅକୁ ଗିରଫ କରିଥିଲା ବୋଲି ଭୁବନେଶ୍ୱର ଡିସିପି ପ୍ରତିକ ସିଂ ପ୍ରକାଶ କରିଛନ୍ତି।
ବାଲିଅନ୍ତା ଅଞ୍ଚଳର ଅଭିଯୁକ୍ତ ପୁଅ ବିଶ୍ୱଜିତ ଦାସର ଇଛା ଥିଲା ତାର ବାପା ସୁରେଶ କୁମାର ଦାସଙ୍କୁ ଗିରଫ କରାଇବା। ତେଣୁ ସେ ତାଙ୍କ ବାପାଙ୍କ ଗାଡ଼ିରେ ବନ୍ଧୁକ ରଖିଥିଲା। ଏଥିସହ ବାପା ଅପରାଧିକ କାମରେ ମାତିଥିବା ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ। ଏହାକୁ ଭିତ୍ତିକରି ଭୁବନେଶ୍ୱର ସ୍ୱତନ୍ତ୍ର ପୁଲିସ ସ୍କ୍ୱାଡ୍ ସହ ବାଲିଅନ୍ତା ପୁଲିସ ମିଶି ତଦନ୍ତ ଆରମ୍ଭ କରିଥିଲା। ଚଢ଼ଉ ବେଳେ ସୁରେଶଙ୍କ ଗାଡ଼ିରୁ ଏକ ବନ୍ଧୁକ ଜବତ ହୋଇଥିଲା। ତେବେ ଜେରା ବେଳେ ସୁରେଶ ନିଜର ପୁଅର ଅଭିସନ୍ଧି ବିଷୟରେ କହିଥିଲେ। ପରେ ତାଙ୍କ ଗାଡ଼ିର ଡ୍ରାଇଭରକୁ ପଚରାଉଚରା କରାଯାଇଥିଲା। ଡ୍ରାଇଭର ମଧ୍ୟ ପୁଲିସକୁ ସୂଚନା ଦେଇ ଗାଡ଼ି ନେଇ ପୁଅ ସହିତ ଯାଇଥିବା ବେଳେ ତାର ଅଜଣାତରେ ବନ୍ଧୁକ ରଖାଯାଇଥିବା କହିଥିଲା। ଏହି ବୟାନକୁ ଭିତ୍ତି କରି ପୁଲିସ ବିଶ୍ୱଜିତକୁ ପୁନଶ୍ଚ ଜେରା କରିବା ବେଳେ ସେ ସତ ମାନି ଯାଇଥିଲା। ସବୁ କାମରେ ରୋକ ଲଗାଉଥିବାରୁ ସେ ତା’ର ସହଯୋଗୀ ସହ ମିଶି ବାପାଙ୍କୁ ଜେଲ ପଠାଇବାକୁ ଇଛା କରି ଏଭଳି ଚକ୍ରାନ୍ତ ରଚିଥିବା ପ୍ରକାଶ କରିଥିଲା।
ତଦନ୍ତ ପରେ ପୁଲିସ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ବିଶ୍ୱଜିତ ଓ ତାର ସହଯୋଗୀ ଅଭିନ୍ନ ମହାପାତ୍ରକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେମାନେ ବ୍ୟବହାର କରିଥିବା ୭.୬ ଏମଏମ ମାଉଜର ସହ ଦୁଇଟି ମୋବାଇଲ ଜବତ କରାଯାଇଛି।
Comments are closed.