ଏସଆଇଟି ବୈଠକରେ ଅର୍ଚ୍ଚନା ପ୍ରସଙ୍ଗ

ତଦନ୍ତ ତଥ୍ୟ ରଖିଲା ଇଡି

ନୂଆଦିଲ୍ଲୀ/ଭୁବନେଶ୍ବର: କଳାଧନ ମାମଲାର ତଦନ୍ତ କରୁଥିବା ସ୍ବତନ୍ତ୍ର ତଦନ୍ତକାରୀ ଦଳ (ଏସଆଇଟି)ର ରବିବାର ଗୁରୂତ୍ବପୂର୍ଣ୍ଣ ବୈଠକରେ ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ପ୍ରସଙ୍ଗରେ ଆଲୋଚାନ ହୋଇଛି। ମାମଲାର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ତଦନ୍ତର ଅଗ୍ରଗତି ବିଷୟରେ ତଥ୍ୟ ରଖିଛି । ନୂଆଦିଲ୍ଲୀସ୍ଥିତ ସ୍ଥାନୀୟ ଚାଣକ୍ୟପୁରୀ ସ୍ଥିତ ଅଶୋକା ହୋଟେଲ ଠାରେ ଏସଆଇଟି ଉପାଧ୍ୟକ୍ଷ ବିଚାରପତି ଅରଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଇଡି ତରଫରୁ ସୂଚନା ଦିଆଯାଇଥିଲା ଯେ ଅଦ୍ୟାବଧି ୫ କୋଟିରୁ ଊର୍ଦ୍ଧ୍ବ ଆର୍ଥିକ ନେଣଦେଣ ଏବଂ ୫ କୋଟିରୁ ଊର୍ଦ୍ଧ୍ବ ସମ୍ପତ୍ତି ଠାବ ହୋଇଛି। କେଉଁ କେଉଁ ସୂତ୍ରରୁ ଏତେ କମ୍‌‌ ସମୟ ମଧ୍ୟରେ ଅର୍ଚ୍ଚନା ଟଙ୍କା ଉପାର୍ଜନ କରିଛି ସେବିଷୟରେ ତଦନ୍ତ ଚାଲିଛି। ପ୍ରାଥମିକ ଭାବେ ଅର୍ଚ୍ଚନା ନାଗ, ତାଙ୍କ ପରିବାର ଅନ୍ୟାନ୍ୟ ସଦସ୍ୟ ଏବଂ ସହଯୋଗୀଙ୍କ ବ୍ୟାଙ୍କ ଖାତାରେ ହୋଇଥିବା ଆର୍ଥିକ କାରବାର ଏବଂ ନଗଦ କାରବାର ବିଷୟରେ ତଦନ୍ତ ହେଉଛି। ଅର୍ଚ୍ଚନାଙ୍କ ସହଯୋଗୀ ଖଗେଶ୍ୱରଙ୍କୁ ଗରିଫ କରାଯାଇ ରିମାଣ୍ଡରେ ନିଆଯାଇଛି। ତାଙ୍କ ବାପାଙ୍କୁ ମଧ୍ୟ ପଚାରାଉଚରା କରାଯାଇଛି। ଖୁବ୍‌‌ଶୀଘ୍ର ଟଙ୍କା ଦେଇଥିବା ବ୍ୟକ୍ତିବିଶେଷଙ୍କୁ ନୋଟିସ ପଠାଯିବ ବୋଲି ପ୍ରବର୍ତ୍ତନ ନିର୍ଦେଶାଳୟର ଅଧିକାରୀ ଏସଆଇଟିକୁ ସୂଚନା ଦେଇଥିଲେ। ପ୍ରାଥମିକ ପର୍ଯ୍ୟାୟରେ ୧୦ କୋଟି ଟଙ୍କାର ସମ୍ପତ୍ତି ଦର୍ଶାଯାଇଥିବା ଜଣାପଡ଼ିଛି।

ନାଗଫାଶରେ ପଡ଼ିଥିବା ନେତା, ମନ୍ତ୍ରୀ ଓ ଅମଲାଙ୍କ ନାମ ମଧ୍ୟ ରିପୋର୍ଟରେ ଇଡି ଉଲ୍ଲେଖ କରିଥିବା ସୂଚନା ମିଳିଛି। ଏମାନଙ୍କ ଅର୍ଥ ନେଣଦେଣ ସମ୍ପର୍କରେ ଆୟକର ବିଭାଗ ତଦନ୍ତକରି ଏଥିରେ କଳାଟଙ୍କା ରହିଛି କି ନାହିଁ ସେ ସମ୍ପର୍କରେ ଯାଞ୍ଚ କରିବାକୁ ଏସ୍‌ଆଇଟି ନିର୍ଦେଶ ଦେଇଛନ୍ତି। ଏପରିକି ଇଡି ରିପୋର୍ଟକୁ ଆଧାର କରି ଅର୍ଚ୍ଚନାଙ୍କ ଅମାପ ସମ୍ପତ୍ତିର ତଦନ୍ତ କରିବା ପାଇଁ ମଧ୍ୟ ଆୟକର ବିଭାଗକୁ ଏସ୍‌ଆଇଟି କହିଛି। ଅନ୍ୟପଟେ ଅର୍ଚ୍ଚନାଙ୍କୁ ବାପାଙ୍କୁ ରବିବାର ତଦନ୍ତକାରୀ ସଂସ୍ଥା ଘଣ୍ଟା ଘଣ୍ଟା ଧରି ଜେରା କରିଛି। ଝିଅ କଳା ସାମ୍ରାଜ୍ୟ ଗୁମର ସମ୍ପର୍କରେ ତା’ ବାପାଙ୍କ ମୁହଁରୁ ସତ ଓଗାଳିବା ପାଇଁ ଇଡି ଉଦ୍ୟମ କରିଛି। ତାଙ୍କ ମୋବାଇଲକୁ ମଧ୍ୟ ଯାଞ୍ଚ କରାଯାଉଛି। ଖଗେଶ୍ବରର ଜବତ ମୋବାଇଲ ଫୋନରୁ ଡିଲିଟ୍‌ ହୋଇଥିବା ତଥ୍ୟକୁ ଉଦ୍ଧାର କରିବା ପାଇଁ ଫରେନସିକ ବିଶେଷଜ୍ଞମାନେ ଉଦ୍ୟମ ଚଳାଇଛନ୍ତି। ଜିମାର ତୃତୀୟ ଦିନରେ ଖଗେଶ୍ବରକୁ ତଦନ୍ତକାରୀ ଦଳ କାର୍ଯ୍ୟାଳୟରୁ ଅନ୍ୟତ୍ର ନେଇ ପଚରାଉଚରା କରୁଛନ୍ତି।

ଗତ ୧୦ ତାରିଖ ଦିନ ଇଡି ଅର୍ଚ୍ଚନାର ସତ୍ୟବିହାରସ୍ଥିତ ଘର ସମେତ ଜଳେଶ୍ବର, କଳାହାଣ୍ଡି ଓ ବାଲିପାଟଣା ଆଦି ୬ଟି ସ୍ଥାନରେ ଏକସଙ୍ଗେ ଚଢ଼ଉ କରିଥିଲା। ଏହି ଚଢ଼ଉ ସମୟରେ ବହୁ ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର ଜବତ କରିଥିଲା। ବିଳମ୍ବିତ ରାତିରେ ଖଗେଶ୍ବରକୁ ମଧ୍ୟ ଗିରଫ କରିଥିଲା। କେସିଙ୍ଗାରୁ ଜବତ ଦସ୍ତାବିଜ ଉପରେ ତାଙ୍କ ବାପାଙ୍କୁ ତଦନ୍ତକାରୀ ସଂସ୍ଥା ପଚରାଉଚରା କରିଛି। ଅର୍ଚ୍ଚନାଙ୍କ ବେନାମୀ ସମ୍ପତ୍ତି ସମ୍ପର୍କରେ ତାଙ୍କ ବାପା ଜାଣିଥିବା ଇଡିକୁ ଠୋସ୍‌ ପ୍ରମାଣ ମିଳିଛି। ଅର୍ଚ୍ଚନା ଭୁବନେଶ୍ୱର ଆସିବା ପରେ କେଉଁଠି କ’ଣ କାମ କରୁଥିଲା, କୋଟି କୋଟି ଟଙ୍କା ସମ୍ପତ୍ତି ଆସିଲା କେଉଁଠୁ ? ବ୍ଲାକମେଲିଂ କଥା କେତେ ସତ, କେଉଁ ନେତା, ମନ୍ତ୍ରୀ ଅର୍ଚ୍ଚନାଙ୍କ ସହ ଯୋଗାଯୋଗରେ ରହୁଥିବା କଥା ଜାଣିଛନ୍ତି କି ? ଇଡିର ୫ ଜଣିଆ ଦଳ ତା’ ବାପାଙ୍କୁ ଏହିଭଳି ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ଏପରିକି ଝିଅ କଳା କାରାନାମା ସମ୍ପର୍କରେ କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଖଗେଶ୍ବର ମୋବାଇଲରୁ ସମସ୍ତ ଡାଟା ଡିଲିଟ ହୋଇଯାଇଥିବା ଜଣାପଡିଛି। କାହିଁକି ମୋବାଇଲରୁ ତଥ୍ୟ ଡିଲିଟ କଲା ଖଗେଶ୍ୱର, ତାକୁ ନେଇ ପ୍ରଶ୍ନ ଉଠିଛି। ଡିଲିଟ ତଥ୍ୟକୁ ରିକଭରି କରିବା ପାଇଁ ଇଡି ଏକ୍ସପର୍ଟ ଟିମ୍‌ ଜରିଆରେ ତଦନ୍ତ କରୁଛି। ଅର୍ଚ୍ଚନାଙ୍କ ବାପାଙ୍କୁ ପଚରାଉଚରା ପରେ ଖୁବ ଶୀଘ୍ର ଜଗବନ୍ଧୁଙ୍କ ପରିବାର ଲୋକଙ୍କୁ ପଚରାଉଚରା କରିବ। ପରେ ଜେଲ ଭିତରେ ଅର୍ଚ୍ଚନା ଓ ଜଗବନ୍ଧୁଙ୍କୁ ଜେରା କରାଯିବ ବୋଲି ସୂଚନା ମିଳିଛି।

Comments are closed.