ସେତେବେଳର ଭୁବନେଶ୍ୱର ଆଉ ଏବର ଭୁବନେଶ୍ୱର ମଧ୍ୟରେ ଆକାଶ ପାତାଳ ତଫାତ। ଖାଁ ଖାଁ ଭୁବନେଶ୍ୱର ଆଜି ଆପାର୍ଟମେଣ୍ଟରେ ଭର୍ତ୍ତି। ସାମାଜିକ ସମ୍ପର୍କ ଏକପ୍ରକାର ନାହିଁ କହିଲେ ଚଳେ। ସହର ଭିତରୁ ବସ୍ତିକୁ ସରକାର ସ୍ଥାନାନ୍ତର କରିଥିଲେ ସହର ବାହାରକୁ। ହେଲେ ଏବେ ବସ୍ତି ଥିବା ସ୍ଥାନ ଆଗକୁ ସହର ମାଡ଼ିଗଲାଣି। ମନ୍ଦିରମାଳିନୀ ସହରକୁ ବିକଶିତ କରାଯାଇ ପ୍ରାଚୀନ ଐତିହ୍ୟକୁ ଭଙ୍ଗାଯାଇ ସୌନ୍ଦର୍ଯ୍ୟକରଣ କରାଯାଇଛି। ସବୁଆଡ଼େ ଗାଡିମୋଟର ଭିଡ଼। ସେତେବେଳେ ରିକ୍ସାରେ ଭୁବନେଶ୍ୱର ସାରା ବୁଲିବାକୁ ପ୍ରାୟ ୪୦ ମିନିଟ୍ ଲାଗୁଥିଲା ଏବେ ସମ୍ଭବ ନୁହେଁ।
ଭଉଣୀ ଘର ଥିଲା ଶିଶୁପାଳଗଡ଼। ଗାଁରୁ ଟ୍ରେନ୍ରେ ଆସେ। ଛୋଟିଆ ଷ୍ଟେସନ ଥିଲା। ସେତେବେଳେ ଭୁବନେଶ୍ୱର କହିଲେ ସାମନ୍ତରାପୁରରୁ ବାଣୀବିହାର। ଚାରିଆଡ଼େ ଗଛ ଖାଲି ଗଛ। ଭଲ ଜଳଖିଆ ଦୋକାନ ଥିଲା ଷ୍ଟେସନ ବଜାରରେ। ସାମନ୍ତରାପୁରଠାରେ ଏକ ରସଗୋଲା ଦୋକନ ଥିଲା। କାଳକ୍ରମେ ବାପୁଜୀନଗରରେ ସାଉଥ ଇଣ୍ଡିଆନ ଖୋଲିଲା ଏବଂ ଦୋସା ଜଳଖିଆ ଖାଇବା ଉତ୍ସାହ ବଢ଼ିଲା। ମାମୁ ଥାନ୍ତି ଚାଷୀ ପରିବାରର। ଭାରି ସ୍ୱାଭିମାନୀ। ତାଙ୍କ ଧାରଣା ଥାଏ ଆମ ପଇସାରେ ସରକାର ଚାଲୁଛି। କ’ଣ ସେଠାରେ ଚାଲୁଛି ଏହା ଦେଖିବା ପାଇଁ ସେ ଭୁବନେଶ୍ୱର ଆସନ୍ତି। ମୁଁ ମଧ୍ୟ ତାଙ୍କୁ ନେଇକି ଅନେକ ଥର ଆସିଛି। ସଚିବାଳୟ ଓ ବିଧାନସଭା ବୁଲିଛି। ସଚିବାଳୟ ସାମ୍ନାରେ ଅଭ୍ୟର୍ଥନା କକ୍ଷ ଥାଏ। ଏକ ଆଜବେଷ୍ଟସ୍ ଘର ଥାଏ। ଚିଫ୍ ରିସେପ୍ସନିଷ୍ଟ ଥାନ୍ତି ଚୌଧୁରୀ ବାବୁ। ସେଠାରେ ପହଞ୍ଚି ମାମୁ ପାସ୍ ବନାନ୍ତି। ମୁଁ ଥାର୍ଡ ଫ୍ଲୋର୍ ମଧ୍ୟ ଯାଇଛି। ସେତେବେଳର କରିଡର ହାଲ୍କା ଥିଲା। ଭିଡ଼ ନଥିଲା। ବାଣୀବିହାର ବୁଲିବା ଉତ୍ସାହଜନକ ଥିଲା। ସମ୍ବଲପୁରରେ ପଢ଼ିବା ସମୟରେ ସମ୍ବଲପୁରରୁ ଭୁବନେଶ୍ୱର ଯାତାୟାତ କରୁଥିଲି। ଟ୍ରେନ୍ରେ ଗୋଟିଏ ବୋଲି ସ୍ଲିପର କୋଚ୍ ଥାଏ। ସେଥିରେ ଯିଏ ଯା’ନ୍ତି ସେ ରୟାଲ କ୍ଲାସ୍। ବିଧାୟକ, ମନ୍ତ୍ରୀ, ଛାତ୍ରଛାତ୍ରୀ ଯାଆନ୍ତି। କାଳକ୍ରମେ ମୁଁ ଭୁବନେଶ୍ୱର ଫେରିଆସିଲି ଏବଂ କଳ୍ପନା ଛକରେ ରହିଲି। ପରେ ୯ ନମ୍ବର, ତା’ ପରେ ସତ୍ୟନଗର ଆଦି ସ୍ଥାନରେ ରହିଛି। ପୁରୁଣାଭୁବନେଶ୍ୱରକୁ କାଁ ଭାଁ ପର୍ଯ୍ୟଟକ ଆସୁଥିଲେ। ଭାସ୍କର୍ଯ୍ୟରେ ପରିପୂର୍ଣ୍ଣ ମନ୍ଦିରମାଳିନୀ ସହର ଦେଖିବାକୁ ସେତେବେଳେ ଲୋକ କମ୍ ଥିଲେ। ଗଙ୍ଗୁଆ ନଦୀ ଓ ଶିଶୁପାଳର ଗଡ଼ଖାଇ, ବିନ୍ଦୁସାଗର, ଗୌରୀ କୁଣ୍ଡର କାଚକେନ୍ଦୁ ପାଣିରେ ଗାଧୋଇବା ଥିଲା ନିଆରା ଅନୁଭୂତି। ୧୯୮୨ରୁ ୮୬ ମଧ୍ୟରେ ଭୁବନେଶ୍ୱରରେ ବସ୍ତି ବଢ଼ିଯାଇଥାଏ। ସତ୍ୟନଗର ଓ ମଧୁସୂଦନ ନଗରରେ ଥାଏ ବସ୍ତି। ବସ୍ତି ଭାଙ୍ଗିବାକୁ ସେତେବେଳେ ସରକାର ନିଷ୍ପତ୍ତି ନେଲେ। ବସ୍ତିକୁ ସ୍ଥାନାନ୍ତର କରି ଡୁମୁଡୁମା ଓ ଭରତପୁରକୁ ସ୍ଥାନାନ୍ତର କରାଗଲା। ଯେତେବେଳେ ଟ୍ରକ୍ ଗଲା ସେତେବେଳେ ମୁଁ ମୋଟରସାଇକଲରେ ଟ୍ରକ୍ ପଛେ ପଛେ ଯାଉଥିଲି। ଡୁମୁଡୁମାରେ ବିଜୟ ମହାନ୍ତି, ଅଜିତ ଦାସଙ୍କୁ ନେଇ ପଥପ୍ରାନ୍ତ ନାଟକ ସାମାଜିକ ସମସ୍ୟା ଉପରେ କରିଥିଲୁ। ସବୁ ଡ୍ରାମା ପିଲାଙ୍କୁ ମଧ୍ୟ ଯୋଡ଼ିଥିଲୁ।
କାଳକ୍ରମେ ବାଣୀବିହାର ମୁଁ ଛାଡ଼ିଦିଏ ଏବଂ ସିୱାଇଏସ୍ଡି ସ୍ଥାପନା ହୁଏ। ପଛକୁ ଦେଖିଲେ ବସ୍ତି ଆଉ ସହର ଭିତରେ କିଛି ଫରକ ନାହିଁ। ସହରର ଏମାନେ ଗୋଟିଏ ଗୋଟିଏ ଅଂଶ ହୋଇଯାଇଛନ୍ତି। ଏବେ ଅନେକ ବସ୍ତି ହୋଇଯାଇଛି। ସରକାର ଏମାନଙ୍କୁ ସହରର ସମସ୍ୟା ବୋଲି ଭାବୁଥାନ୍ତି। ଏହି ଲୋକଙ୍କୁ ମୁଖ୍ୟସ୍ରୋତକୁ ଆଣିବା ପାଇଁ ଅନେକ କାର୍ଯ୍ୟକ୍ରମ କରାଯାଇଛି। ଯାହା ମୋତେ ଅନେକ ଶିକ୍ଷା ଦେଇଛି। ସେହିପରି ଏକାମ୍ରକାନନରେ ଏକ ଶିବିର କରିଥିଲୁ। ପ୍ରେମାନନ୍ଦ ଦାସ ଯିଏ ଏକାମ୍ରକାନନର ଥିଲେ ଜନକ ସେ ସହଯୋଗ କରିଥିଲେ। ଜଙ୍ଗଲିଆ ଏକାମ୍ରକାନନ ଏବେ ସୁନ୍ଦୁରିଆ ବନାନୀ। ସହର ଭିତରେ ଅନେକ ପରିବର୍ତ୍ତନ ହୋଇଛି। ଚିତ୍ର ସମ୍ପୂର୍ଣ୍ଣ ବଦଳିଯାଇଛି। ପୁରୁଣା ଐତିହ୍ୟକୁ ଆମେ ସାଇତି ରଖିପାରିନାହୁଁ। ପୁରୁଣା ସହରର ଚିତ୍ର ଏବେ ହଜିଯାଇଛି। ମନ୍ଦିର ଅଛି କିନ୍ତୁ ଏହାର ଚତୁଃପାର୍ଶ୍ବ ବଦଳିଛି। ଏକ ନୂଆ ଚଳଣି ଆରମ୍ଭ ହୋଇଛି। ଆମେ ଆଶା କରିବା, ସମସ୍ତେ ସେମାନଙ୍କ ଅଞ୍ଚଳର ସୁବିଧାସୁଯୋଗ ଦେଖିବେ।



