ବିସ୍ମୃତି ପାଲଟିବ ଭୀମ ଭୋଇ ସ୍ମୃତିପୀଠ
ରେଢ଼ାଖୋଲ(ସୁଶାନ୍ତ କୁମାର ପ୍ରଧାନ): ‘ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ’ : ସନ୍ଥ କବି ଭୀମ ଭୋଇଙ୍କ ଏହି ପ୍ରସିଦ୍ଧ ମାନବଧର୍ମୀ ଉକ୍ତି ସଂସଦରେ ସ୍ଥାନ ପାଇବା ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବର କଥା। କିନ୍ତୁ ଯେଉଁ ମହାନ କବିଙ୍କ ଲେଖନୀରୁ ବିଶ୍ବପ୍ରେମର ବାର୍ତ୍ତା ବହନକାରୀ ଏହି ସୁପ୍ରସିଦ୍ଧ ପଙକ୍ତି ଝରିଥିଲା ତାଙ୍କ ସମ୍ମାନ ଓ ସ୍ମୃତିରକ୍ଷା ପାଇଁ ସରକାରୀ ସ୍ତରରେ ଯେତିକି ଉଦ୍ୟମ ଆଶା କରାଯାଏ ତାହା ହୋଇନାହିଁ। ରକ୍ଷଣାବେକ୍ଷଣ ଓ ପ୍ରୋତ୍ସାହନ ଅଭାବରୁ ଭୀମ ଭୋଇ ସ୍ମୃତି ପୀଠ ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରୁ ହଜିଯିବା ଆଶଙ୍କା ପ୍ରକାଶ ପାଇଛି।
ଏକା ଧାରରେ ସମାଜ ସଂସ୍କାରକ, ବିପ୍ଳବୀ,ବିଶ୍ୱପ୍ରେମୀ, ମାନବପ୍ରେମୀ, ଜୀବନପ୍ରେମୀ, ମୈତ୍ରୀ, ସଂହତିର ଅପ୍ରତିଦ୍ୱନ୍ଦ୍ବୀ ପ୍ରଚାରକ, ଦଳିତ ନିଷ୍ପେଷିତ ବର୍ଗଙ୍କ ପ୍ରତିନିଧି ଭୀମ ଭୋଇଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ଉତ୍ସବ ପ୍ରତି ବର୍ଷ ବୈଶାଖ ପୂର୍ଣ୍ଣିମା ଦିନ ରେଢ଼ାଖୋଲ କଦମ୍ବ ପଡ଼ିଆରେ ରାଜ୍ୟ ସାହିତ୍ୟ ଏକାଡେମୀ ଆନୁକୂଲ୍ୟରେ ପାଳିତ ହୋଇଆସୁଛି। ସ୍ତୁତି ଚିନ୍ତାମଣି, ଚଉତିଶା ଗ୍ରନ୍ଥମାଳ, ଭୀମଭୋଇ ଭଜନମାଳା, ବ୍ରହ୍ମ ନିରୁପଣ ଗୀତା, ଶ୍ରୁତିନିଶେଷ ଗୀତା, ନିର୍ବେଦ ସାଧନା, ପଦ୍ମକଳ୍ପ, ଚଉତିଶା ଆଦିର କବି ଭୀମ ଭୋଇଙ୍କ ଦିବ୍ୟ ଜ୍ଞାନପ୍ରାପ୍ତି ପୀଠ ‘କନ୍ଧରା’ ସମ୍ବଲପୁରରୁ ୭୯ କିଲୋମିଟର ଓ ରେଢ଼ାଖୋଲରୁ ମାତ୍ର ୧୬ କିଲୋମିଟର ଦୂରରେ ଅବସ୍ଥିତ।
ଭୀମ ଭୋଇଙ୍କ ସ୍ମୃତି ବିଜଡ଼ିତ ଏହି ପୀଠ ଏକ ଐତିହ୍ୟ ସମ୍ପନ୍ନ ପର୍ଯ୍ୟଟନ ସ୍ଥଳୀ। ଦୃଷ୍ଟିଶକ୍ତିହୀନ ଭୀମ ଭୋଇ ଏହି କନ୍ଧରା ଗାଁ ପାଖ ପଡ଼ିଆରେ ଗୋରୁ ଚରାଉଥିବା ବେଳେ କୂଅରେ ପଡ଼ି ଯାଇଥିଲେ। ମହିମା ସ୍ୱାମୀଙ୍କଠାରୁ ଦିବ୍ୟଦୃଷ୍ଟି ପ୍ରାପ୍ତ ହୋଇ ଭୀମ ଭୋଇ କୂଅରୁ ବାହରିବା ମାତ୍ରେ ମହିମା ସ୍ୱାମୀଙ୍କ ଚରଣ ବନ୍ଦନା କରି ଗାଇଥିଲେ “ବନ୍ଦଇ ପାଦପଦ୍ମକୁ -ଧ୍ୟାଇ ଗୁରୁ ପୟରକୁ ଧ୍ୟାଇ ଅରୂପାପନ୍ଦକୁ’। ସେହି ଦିନରୁ ଏହି କୂପ ନିକଟରେ ମହିମା ଧର୍ମ ପ୍ରଚାର ପ୍ରସାର ପାଇଁ ଏକ ମହିମା ଟୁଙ୍ଗି ଥିଲା। ରାଜ୍ୟ ସରକାର ୧୯୯୭ ମସିହାରେ ଏହି କୂଅର ପୁନରୁଦ୍ଧାର ଓ ଭଜନ ମଣ୍ଡପ ନିର୍ମାଣ କରାଇଥିଲେ। ୩୦ ବର୍ଷରୁ ଅଧିକ ସମୟ ହେଲା ଆନନ୍ଦ ଚନ୍ଦ୍ର ବାବା ମହିମା ଟୁଙ୍ଗିରେ ରହି ଭୀମ ଭୋଇଙ୍କ ବାଣୀ ଓ ମହିମା ଧର୍ମ ପ୍ରଚାର କାମରେ ଲାଗିଛନ୍ତି। ସେ ଏବେ ବ୍ରହ୍ମ ଅବଧୂତ ଆନନ୍ଦ ବାବା ନାମରେ ପରିଚିତ।
ରେଢ଼ାଖୋଲ ଅଞ୍ଚଳବାସୀଙ୍କ ବାରମ୍ବାର ଦାବି ଫଳରେ ରାଜ୍ୟ ସରକାର ୨୦୧୬ ମସିହାରେ ଏହି ସ୍ଥାନକୁ ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନିତ କରିଛନ୍ତି। କୂଅର ପୁନରୁଦ୍ଧାର କାର୍ଯ୍ୟ ଅନେକ ବର୍ଷ ଅସମ୍ପୂର୍ଣ୍ଣ ହୋଇ ପଡ଼ିଥିଲା। ଦେବୋତ୍ତର ବିଭାଗ ଏହାର ପୁନରୁଦ୍ଧାର କାର୍ଯ୍ୟ ସମାପ୍ତ କରି ତା’ ଉପରେ ଏକ ମଣ୍ଡପ ନିର୍ମାଣ କରାଇଛନ୍ତି। ୨୦୧୨ ମସିହାରେ ମହିମା ଟୁଙ୍ଗିର ପୁନରୁଦ୍ଧାର କରାଯାଇ ସାଧୁ ଓ ଭକ୍ତମାନଙ୍କ ବିଶ୍ରାମ ନିମନ୍ତେ ଏକ ଆଶ୍ରମ, ମଣ୍ଡପରୁ ପୂର୍ତ୍ତ ବିଭାଗ ରାସ୍ତା ପର୍ଯ୍ୟନ୍ତ କଂକ୍ରିଟ ରାସ୍ତା ଓ ତୋରଣ ନିର୍ମାଣ କରାଯାଇଛି। ସ୍ଥାନୀୟ ଜନସାଧାରଣଙ୍କ ଉଦ୍ୟମରେ ଭୀମ ଭୋଇଙ୍କ ସ୍ମୃତି ରକ୍ଷା ପାଇଁ ଯାହା କିଛି କରାଯାଇଛି। ୧୯୭୦ ମସିହାରେ ରେଢ଼ାଖୋଲରେ ସ୍ଥାପିତ ମହାବିଦ୍ୟାଳୟକୁ ସନ୍ଥକବିଙ୍କ ନାମରେ ନାମିତ କରାଯାଇଛି। ରେଢ଼ାଖୋଲ ଛକରେ ଭୀମ ଭୋଇଙ୍କ ପ୍ରତମୂର୍ତ୍ତି ସ୍ଥାପନ କରାଯାଇଛି। ରେଢ଼ାଖୋଲ ମୁଖ୍ୟ ଛକରୁ କନ୍ଧରା ସ୍ମୃତିପୀଠକୁ ଯାଇଥିବା ରାସ୍ତାକୁ ଭୀମ ଭୋଇ ମାର୍ଗ ନାମରେ ନାମିତ କରାଯିବାକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ପ୍ରସ୍ତାବ ଗ୍ରହଣ କରିଛି।
ଭୀମ ଭୋଇ ଓ ମହିମା ଧର୍ମ ଉପରେ ଗବେଷଣା କରିବା ପାଇଁ ଅନେକ ଗବେଷକ ଏହି ସ୍ଥାନକୁ ଓଡ଼ିଶା ଓ ଅନ୍ୟ ରାଜ୍ୟରୁ ଆସନ୍ତି। କିନ୍ତୁ ଅନ୍ୟ ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକମାନଙ୍କ ପାଇଁ ଉପଲବ୍ଧ ସୁବିଧା ସୁଯୋଗ ଓ ଅତ୍ୟାବଶ୍ୟକ ବ୍ୟବସ୍ଥା ଏଠାରେ ନ ଥିବାରୁ ପର୍ଯ୍ୟଟକମାନେ ଅକଥନୀୟ ସମସ୍ୟାର ସମ୍ମୁଖୀନ ହୋଇଆସୁଛନ୍ତି। ମହିମାଧର୍ମୀ ଓ ପର୍ଯ୍ୟଟକମାନଙ୍କ ସୁବିଧା ପାଇଁ ଏକ ପାନ୍ଥନିବାସ, ସ୍ନାନାଗାର, ଶୌଚାଳୟ, ବିଦ୍ୟୁତ ବ୍ୟବସ୍ଥା କରାଗଲେ ଏହି ପୀଠ ପ୍ରତି ପର୍ଯ୍ୟଟକଙ୍କ ସମାଗମ ଆହୁରି ବୃଦ୍ଧି ପାଆନ୍ତା। ଏହି ପୀଠର ବିକାଶ ପାଇଁ ୨୦୧୬ ମସିହାରେ ମଞ୍ଜୁର ହୋଇଥିବା ୩୦ ଲକ୍ଷ ଟଙ୍କା କେଉଁଠି ଖର୍ଚ୍ଚ ହେଲା ତାହା ଦୁର୍ବୋଧ୍ୟ। ଏ ସମ୍ପର୍କରେ ବ୍ରହ୍ମ ଅବଧୁତ ଆନନ୍ଦ ବାବା କହିଛନ୍ତି ଯେ ସନ୍ଥକବିଙ୍କ ପୀଠକୁ ସରକାର ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେଇଛନ୍ତି। କିନ୍ତୁ ଏହାର ବିକାଶ ପାଇଁ ବହୁତ କୁଣ୍ଠିତ ପଦକ୍ଷେପ ନିଆଯାଉଛି। ଆଲୋକ ବ୍ୟବସ୍ଥା ଅକାମୀ ହୋଇଯାଇଥିବାରୁ ରାତିରେ ଅନ୍ଧକାରରେ ବୁଡ଼ିଯାଉଛି। ପୀଠର ବିକାଶ ପାଇଁ ସେ ରାଜ୍ୟ ସରକାରଙ୍କୁ ଅନେକ ପ୍ରସ୍ତାବ ଦେଇଥିବା ଆନନ୍ଦ ବାବା କହିଛନ୍ତି।
Comments are closed.