ଭବାନୀପାଟଣା: ସ୍ଥାନୀୟ ଏସଆରଏମ ଭେଷଜ ମହାବିଦ୍ୟାଳୟ ଅନ୍ତର୍ଗତ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଛକରୁ ବଡପଡା ଯିବା ରାସ୍ତାରେ ଗତ କିଛିଦିନ ଧରି ପ୍ରବଳ ଦୁର୍ଗନ୍ଧ ହେଉଛି। ଏହି ରାସ୍ତାରେ ଡାକ୍ତରଖାନାର ଶଵ ବ୍ୟବଚ୍ଛେଦ ଗୃହ ରହିଛି। ସେହି ନିକଟରେ ରାସ୍ତା କଡ଼ରେ କୁଢ କୁଢ ମଇଳା ଗଦା ହେଇଛି। ସେଠାରେ ପୁତିଗନ୍ଧମୟ ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ସେହି ରାସ୍ତା ଦେଇ ଯାଉଥିବା ଲୋକେ ଦୁର୍ଗନ୍ଧ ଯୋଗୁଁ ଅସ୍ତବ୍ୟସ୍ତ ହୋଇଗଲେଣି।
ବିଶେଷକରି ଦୁର୍ଗନ୍ଧମୟ ପରିବେଶ ଯୋଗୁଁ ଏହି ରାସ୍ତା ଦେଇ ଦୈନିକ ଯାତାୟତ କରୁଥିବା ଦେୱାନ ସାହେବ ପଡା ଏବଂ ବଡପଡା ଅଞ୍ଚଳ ଲୋକେ ଦୁର୍ଗନ୍ଧ ରେ ଅତିଷ୍ଟ ହୋଇ ଗଲେଣି। ହେଲେ ପ୍ରକୂତ ରେ ଡାକ୍ତରଖାନା ର ଶବ ବ୍ୟବଚ୍ଛେଦ ଗୃହ ର ଉପଯୁକ୍ତ ପରିଚାଳନା ଅଭାବ ରୁ ନାଁ କୁଢ କୁଢ ମଇଳା ଯୋଗୁଁ ଦୁର୍ଗନ୍ଧ ହେଉଛି ତାହା ସଠିକ୍ ଭାବେ ଜଣା ପଡିନାହିଁ। ଏଣୁ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏବଂ ପୌର ନିର୍ବାହୀ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।



