ପ୍ରାଚୀନ କାଳରୁ ଦେଶରେ ନାରୀ ଶକ୍ତିକୁ ପୂଜା କରାଯାଉଥିବା ବେଳେ କୁଟୁମ୍ବ ବ୍ୟବସ୍ଥାରେ ମହିଳା ହିଁ ମୁଖ୍ୟ:ରାଜ୍ୟପାଳ

କଳାହାଣ୍ଡିରେ ରାଜ୍ୟପାଳ : ସମସ୍ତଙ୍କୁ କଲେ ଉତ୍ସାହିତ

ଭବାନୀପାଟଣା: ଗତ ରାତିରେ ଏଠାରେ ପହଞ୍ଚିଥିବା ରାଜ୍ୟପାଳ ରଘୁବର ଦାସ ଆଜି ସକାଳୁ ଏଠାରେ ମାଁ ମାଣିକେଶ୍ଵରୀଙ୍କ ଦର୍ଶନ କରିଥିଲେ। ଆଜି ଦିନ ତମାମ ଅନାଥାଶ୍ରମ ଠୁଁ ସ୍ବୟଂ ସହାୟିକା ଗୋଷ୍ଠୀ, ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀ , ଚାଷୀ ସମସ୍ତଙ୍କୁ ସାକ୍ଷାତ କଲେ। ନାଶିଗାଁରେ ପ୍ରଧାନମନ୍ତ୍ରୀ ଆବାସ ପରିଦର୍ଶନ କରିବା ସହ କେସିଙ୍ଗାରେ ଅମୃତ ଭାରତ ଷ୍ଟେସନ ଉନ୍ନତି କରଣ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଶେଷରେ ସନ୍ଧ୍ୟାରେ ଉତ୍କେଲାରେ ଲୋକଙ୍କ ସହ ଆଲୋଚନା କରି ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିଥିଲେ। ରାଜ୍ୟପାଳଙ୍କ ସମସ୍ତ କାର୍ଯ୍ୟକ୍ରମରେ ଜିଲାପାଳ ପି ଅନ୍ୱେଷା ରେଡ୍ଡୀ, ଏସପି ଅଭିଳାଷ ଜି ତଥା ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ।

ସ୍ଥାନୀୟ ନେହେରୁ ସେବା ସଂଘ ର ଅନଥାଶ୍ରମ ତଥା ଶିଶୁ  ଯତ୍ନ କେନ୍ଦ୍ର  ପରିଦର୍ଶନବେଳେ ଅନ୍ତେବାସୀମାନଙ୍କ ସହ ଆଲୋଚନା କଲେ। ପିଲାଙ୍କୁ ତାଙ୍କ ଲକ୍ଷ୍ୟ ପଚାରିବାବେଲେ କିଏ ତ ଶିକ୍ଷକ ହେବାକୁ ଚାହୁଁଥିବା , ପୁଣି କେଉଁ କିଏ ଶିଳ୍ପୀ ତ ଆଉ କିଏ ଆଇପିଏସ, କିଏ ପୁଲିସ ଅଧିକାରୀ, ଡାକ୍ତର ହେବାକୁ ଚାହୁଁଥିବା ପିଲାଏ କହିଥିଲେ। ଜଣେ ଅନ୍ତେବାସୀ ଭବିଷ୍ୟତରେ ପ୍ରଧାନମନ୍ତ୍ରୀ ହେବାକୁ ଲକ୍ଷ୍ୟ ରଖିଥିବା କହିବା ବେଳେ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତିଙ୍କ ନାମ ପଚାରିଥିଲେ ରାଜ୍ୟପାଳ। ପିଲାଙ୍କ ଠାରୁ ସନ୍ତୋଷଜନକ ଉତ୍ତର ପାଇ ସେମାନଙ୍କୁ ଉପଯୁକ୍ତ କୋଚିଙ୍ଗ ପାଇଁ ପାଞ୍ଚଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଥିଲେ ରାଜ୍ୟପାଳ।

ଥୁଆପଦର୍ ଗାଁ ରେ ମିଶନ ଶକ୍ତି ର ସଦସ୍ୟା ମାନଙ୍କ ସହ ଆଲୋଚନା ବେଳେ ବଜାର ବ୍ୟବସ୍ଥା ସୃଷ୍ଟି ଏବଂ ପ୍ରଚଳିତ ବ୍ୟବସ୍ଥାକୁ ସୁଦୃଢ କରିବା କୁ ରାଜ୍ୟପାଳ ପରାମର୍ଶ ଦେଇଥିଲେ। ପ୍ରାଚୀନ କାଳରୁ ଦେଶରେ ନାରୀ ଶକ୍ତି କୁ ପୁଜା କରାଯାଉଥିବା ବେଳେ କୁଟୁମ୍ବ ବ୍ୟବସ୍ଥାରେ ମହିଳା ହିଁ ମୁଖ୍ୟ। ଏଣୁ ମହିଳାଙ୍କ ଉନ୍ନତି ବିନା ଦେଶର ଉନ୍ନତି ଅସମ୍ଭବ ବୋଲି କହିଥିଲେ ରାଜ୍ୟପାଳ। ଗୋଠଭଟା ଏସଏଚଜି ର ପୁଷ୍ପାଞ୍ଜଳି ଠାକୁର କୁକୁଡ଼ା ଚାଷ, ଫୁଲ ଚାଷ କରି ଅର୍ଥାଉପର୍ଜନ କରୁଥିବା ପ୍ରକାଶ କରିଥିଲେ।

ସେହିଭଳି ମେଦିନୀପୁର ର ଏସଏଚଜି  ଦ୍ଵାରା ସୋଲାର ଏନର୍ଜି ରୁ କାଗଜ ଖଲି ଦନା ପ୍ରସ୍ତୁତ କରି ବ୍ୟବସାୟ କରୁଥିବା ରାଜ୍ୟପାଳ ଙ୍କୁ କହିଥିଲେ। ସେହିଭଳି କେଉଁ ସ୍ବୟଂ ସହାୟିକା ଗୋଷ୍ଠୀ ସିଲେଇ କରି , ଆଉ କିଏ ମାଛ ଚାଷ କରି ଅର୍ଥ ଉପାର୍ଜନ କରୁଥିବା ରାଜ୍ୟପାଳ ଙ୍କ ଆଗରେ ପ୍ରକାଶ କରିଥିଲେ। ତେବେ ବଜାର ବ୍ୟବସ୍ଥା କୁ ସୁଦୃଢ କରିବା ସହ ଉତ୍ପାଦିତ ଜିନିଷ ର ଆକର୍ଷଣୀୟ ପେକିଙ୍ଗ କରି ବିକ୍ରୀ କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଥିଲେ । ତେବେ ସମସ୍ତଙ୍କୁ ଆହୁରି ଅଧିକ ଅର୍ଥ ଉପାର୍ଜନ କରିବା ପାଇଁ ଉତ୍ସାହିତ କରିଥିଲେ ରାଜ୍ୟପାଳ।

ଶାସନ ପ୍ରଶାସନ ସହିତ ମିଶି ସମସ୍ତେ ଆଗେଇ ଆସିଲେ କଳାହାଣ୍ଡି ର ଉନ୍ନତି ହେବ। ଅତୀତର ଚର୍ଚ୍ଚିତ କଳାହାଣ୍ଡି ଏବେ ଯେତିକି ଆଗେଇଛି ତାଠୁ ଅଧିକ ଉନ୍ନତି ହେବ ବୋଲି ରାଜ୍ୟପାଳ ଆଶପ୍ରକାଶ କରିଥିଲେ। ଜିଲ୍ଲାର ସମଗ୍ର ଅଧିବାସୀ ଙ୍କ ମଧ୍ୟରେ  ୫୫ ପ୍ରତିଶତ ଜନ ଜାତି ଥିବାବେଳେ ଆଦିବାସୀ ମହିଳା ମାନଙ୍କୁ ଅଧିକ ପ୍ରୋତ୍ସାହନ ଦେବାକୁ ରାଜ୍ୟପାଳ ପରାମର୍ଶ ଦେଇଥିଲେ। ଆଦିବାସୀ ମହିଳା ମାନେ ଚାଷ ରୁ ଘର ଚଳାଇବା ଯାଏଁ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଉଥିବାରୁ ସେମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ ପାଇଁ ସେ ପ୍ରଶାସନକୁ ପରାମର୍ଶ ଦେଇଥିଲେ।

ରାଜ୍ୟପାଳ କହିଲେ ଓଡ଼ିଶା କୁ ଆଗେଇ ନେବାକୁ ହେଲେ ମହିଳା ଙ୍କୁ ଶିକ୍ଷିତ କରି ଆର୍ଥିକ ସ୍ବାବଲମ୍ବୀ କରିବାକୁ ହେବ। କେନ୍ଦ୍ର ସରକାର ଲୋକସଭା ରେ ୩୩ ପ୍ରତିଶତ ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣ କରିଥିବା ବେଳେ ରାଷ୍ଟ୍ରମୁଖ୍ୟ ଭାବେ ଜଣେ ମହିଳା ଙ୍କୁ ଦାୟୀତ୍ବ ଦେଇଛନ୍ତି। ବିଧାନସଭାରେ ମଧ୍ୟ ୩୩ ପ୍ରତିଶତ ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷିତ ଅଛି। ଏଣୁ ମହିଳାଙ୍କୁ ଉଚ୍ଚ ଶିକ୍ଷିତା କରି ଆଗେଇ ନେବାକୁ ରାଜ୍ୟପାଳ ମତପୋଷଣ କରିଥିଲେ।

Comments are closed.