‘ରିହାତି ଯୋଜନା ଓ ଓଡିଶାର ଭବିଷ୍ୟତ’ ଆଲୋଚନାଚକ୍ର
ଭୁବନେଶ୍ୱର: ଭାରତୀୟ ବିଦ୍ୟାଭବନ ଓ ମୁକ୍ତ ଚିନ୍ତନ ମଞ୍ଚର ମିଳିତ ଆନୁକୂଲ୍ୟରେ ‘ରିହାତି ଯୋଜନା ଓ ଓଡିଶାର ଭବିଷ୍ୟତ’ ଶୀର୍ଷକ ଆଲୋଚନାଚକ୍ର ଆଜି ଭୁବନେଶ୍ୱର ଭାରତୀୟ ବିଦ୍ୟାଭବନ ସଭାଗୃହରେ ପ୍ରଖ୍ୟାତ ସାହିତ୍ୟିକ ତଥା ଅନୁଷ୍ଠାନର ସଭାପତି ସାତକଡି ହୋତାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନାଚକ୍ରରେ ମୁଖ୍ୟବକ୍ତା ଭାବେ ଓଡିଶାର ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ ରାଜନେତା ପଞ୍ଚାନନ କାନୁନଗୋ ଓଡିଶାର ସର୍ବାଙ୍ଗୀନ ଉନ୍ନତି ରିହାତି ବ୍ୟବସ୍ଥା ମାଧ୍ୟମରେ ସମ୍ଭବପର ନୁହେଁ ବୋଲି ମତବ୍ୟକ୍ତ କରିଥିଲେ। ଓଡିଶାରେ କୋଟିଏ ୬ଲକ୍ଷ ପରିବାର ମଧ୍ୟରୁ ୮୬ଲକ୍ଷ ପରିବାରକୁ ରିହାତି ଦିଆଯାଉଛି। ସରକାର ୭୦ପ୍ରତିଶତ ପରିବାରକୁ ଟଙ୍କିକିଆ ଚାଉଳ ଦେଉଛନ୍ତି। ସରାକର ଯେଉଁ ରିହାତି ଦେଉଛନ୍ତି ତାହା ପ୍ରକୃତ ହିତାଧିକାରୀ ଅପେକ୍ଷା ବଡ ବଡ କମ୍ପାନୀ ଓ ବିତଶାଳୀ ଲୋକଙ୍କ ପାଖକୁ ଯାଉଛି। ଏବେ ରାଜ୍ୟ ୧ଲକ୍ଷ ୩୨କୋଟି ଟଙ୍କା ଋଣ ଭାରରେ ରହିଛି। କିନ୍ତୁ ପ୍ରକୃତରେ ଭବିଷ୍ୟତକୁ ଦୃଷ୍ଟିରେ ରଖି ଯେଉଁ ଦୀର୍ଘ ମିଆଦି ଯୋଜନା ପ୍ରସ୍ତୁତ କରିବା କଥା ତାହା କରାଯାଉ ନାହିଁ।
ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର କୁଳପତି ଡାକ୍ତର ଅଶୋକ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ଯେଉଁ ଦେଶରେ ଶିକ୍ଷା ଓ ସ୍ୱାସ୍ଥ୍ୟ ସମୃଦ୍ଧ ସେ ଦେଶର ଭବିଷ୍ୟତ ସେତେ ଉଜ୍ଜ୍ୱଳ। ସରକାର ଶିକ୍ଷା ଓ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି କହିଥିଲେ। ପ୍ରାକ୍ତନ ପ୍ରଶାସକ ତଥା ସ୍ତମ୍ଭକାର ସହଦେବ ସାହୁ ଯୋଗ ଦେଇ କହିଲେ ଓଡିଶାର ୬୦ପ୍ରତିଶତ ଚାଷୀ ପରିବାର ହୋଇଥିଲେ ହେଁ ଚାଷୀଙ୍କ ପାଇଁ ଶୀତଳ ଭଣ୍ଡାର, ଜଳସେଚନ ବ୍ୟବସ୍ଥା, ସହଜରେ ବିଦ୍ୟୁତ୍ ଯୋଗାଣ ଓ ଆନୁସଙ୍ଗିକ ସହଯୋଗ ନାହିଁ। ଏହି ଅବସରରେ ରାଜବୈଦ୍ୟ ପ୍ରଫେସର ଗୋପାଳ ଚନ୍ଦ୍ର ନନ୍ଦଙ୍କ ଦ୍ୱାରା ୧୫୦୦ ଶତାବ୍ଦୀର ମୂଳ ଅସମୀୟ ପୋଥୀର ଓଡିଆ ଭାଷାନ୍ତର ‘ନାମ ମାଳିକା’କୁ ଅତିଥିମାନେ ଉନ୍ମୋଚନ କରିଥିଲେ। ଭାରତୀୟ ବିଦ୍ୟାଭବନର ସମ୍ପାଦକ ପ୍ରସନ୍ନ କୁମାର ସାହୁ ସଭା ପରିଚାଳନା କରିଥିଲେ। ମୁକ୍ତ ଚିନ୍ତନର ସମ୍ପାଦକ ପୀତବାସ ରାଉତରାୟ ସ୍ୱାଗତ ଭାଷଣ ଦେଇଥିବା ବେଳେ ଆବାହକ ରାଧାକାନ୍ତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।
Comments are closed.