ଦୋବଲ: ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ଭଗବାନପୁର ପଞ୍ଚାୟତ ଇଚ୍ଛଦା ଗାଁରେ ଅଭାବନୀୟ ଘଟଣା ଘଟିଛି। ଜେଜେ ମାଆ ଶୁଦ୍ଧିକ୍ରିୟାରେ ଗାଧାଉଥିବାବେଳେ ନାତିର ଅକାଳ ମୃତ୍ୟୁ ଘଟିଛି। ମୃତକ ଅଞ୍ଜନ ପାଣିଙ୍କ ୨୧ ବର୍ଷୀୟ ପୁଅ ପ୍ରକାଶ ପାଣି ବୋଲି ଜଣାପଡିଛି। ପ୍ରକାଶ ନିଜ ଜେଜେମା’ ତୁଳସୀ ପାଣିଙ୍କ ଦଶାହ ଶୁଦ୍ଧିକ୍ରିୟାରେ ନିକଟସ୍ଥ ରେବ ନଦୀରେ ସ୍ନାନ କରିବାକୁ ଯାଇଥିଲେ। ସ୍ନାନ ସମୟରେ ଅସାବଧାନତା ବଶତଃ ଗୋଡ଼ ଖସି ପାଣିରେ ବୁଡ଼ି ଯାଇଥିଲେ। ଖବର ପାଇ ଗ୍ରାମବାସୀ ଓ ଅଗ୍ନିଶମ ବିଭାଗ ଦୀର୍ଘ ସମୟ ଖୋଜାଖୋଜି କରି ପାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଧାମନଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଏହି ଘଟଣାକୁ ନେଇ ଗାଁରେ ଶୋକର ଛାୟା ଖେଳି ଯାଇଛି। ପ୍ରକାଶ ଭୁବନେଶ୍ୱରର ଏକ ଘରୋଇ କଲେଜରେ ବି ଟେକ କରୁଥିଲେ।
Popular Categories



