BJD Bijuli 480×75 Mob

ବୈତରଣୀରେ ବନ୍ୟା, ଧାମନଗର ଅଞ୍ଚଳ ଜଳାର୍ଣ୍ଣବ

BJD Bijuli 480×75 Mob

ଦୋବଲ: ବୈତରଣୀ ନଦୀରେ ବନ୍ୟା ଆସିବା ଯୋଗୁଁ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇଛି। ବ୍ଲକର ୪ଟି ଜୋନରେ ୩୦ଟି ପଞ୍ଚାୟତର ୧୩୨ଟି ଗାଁ ଜଳପ୍ଳାବିତ ହୋଇଛି। ଏହାସହ ପାଖାପାଖି ୧.୫ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ୩୭୦୮ ହେକ୍ଟର ଜମି ଜଳମଗ୍ନ ହୋଇଛି। ହଜାର ହଜାର ଗୃହପାଳିତ ପଶୁ ବି ପ୍ରଭାବିତ ହୋଇଛନ୍ତି। ବୈତରଣୀ ଓ ଏହାର ଶାଖା ନଦୀ ଗେଙ୍ଗୁଟିରେ ବନ୍ୟା ଆସିବା ଯୋଗୁଁ ଲୋକେ ନାହିଁ ନଥିବା ଦୁର୍ଦ୍ଦଶାର ସାମନା କରିଛନ୍ତି। ଧାମନଗର ଓ ଭଣ୍ଡାରିପୋଖରୀ ସୀମାରେ ଥିବା ଆନନ୍ଦପୁର ପଞ୍ଚାୟତର ଉତ୍ତେଇପୁର, ମାନଲାପୁର ଓ ପାହାଡ଼ପୁର ଗାଁରେ ବନ୍ୟାଜଳ ପ୍ରବେଶ କରିଛି। ସେହିପରି ଖଡ଼ିପଦା, ସୋହଡ଼ା, କରଦା, ପଧାନି, ଦଳାଙ୍ଗ ପଞ୍ଚାୟତ ଜଳମଗ୍ନ ରହିଛି। ମୁସ୍ତଫାପୁର ପଞ୍ଚାୟତ ସଂପୂର୍ଣ୍ଣ ବନ୍ୟାପ୍ଳାବିତ ହୋଇଥିବାବେଳେ ଦୋବଲ ପଞ୍ଚାୟତର ଅଳ୍ପ କିଛି ଅଂଶରେ ପାଣି ପଶିଛି।

ବୈତରଣୀ ନଦୀରେ ଉତ୍ତେଇପୁରର ମଲ୍ଲିମାହାରା ଓ ସୋହଡ଼ା ପଞ୍ଚାୟତର ଗୌରାଙ୍ଗପୁର ଏସକେପ୍ ଯୋଗେ ଧାମନଗର ଅଞ୍ଚଳରେ ବନ୍ୟା ଜଳ ପ୍ରବେଶ କରିଛି। ସେହିପରି ଗେଙ୍ଗୁଟି ନଦୀରେ ଖଡ଼ିପଦା ପଞ୍ଚାୟତର କନକେଇ, କାଞ୍ଜିଆପାଳ ମଠମାହାରା ଓ ପାହାଡ଼ପୁର ଗାଇଛନ୍ଦା ଏସକେପ୍ ଯୋଗେ ବନ୍ୟାଜଳ ପ୍ରବେଶ କରିଛି। କାଞ୍ଜିଆପାଳ ଗାଁରେ ଜଳବନ୍ଦୀ ହେବାରୁ ୮୮ ପରିବାର ଏବେ ପାଣି ଘେରରେ ରହିଛନ୍ତି। ସେହିପରି ମୁଥାନଗର, ବୈକୁଣ୍ଠି, ବେଦପୁର, ମିଶ୍ରସାହି, ଫଳପୁର, ନଦୀଗାଁ, ହସନାବାଦ, ମମଦୁଲ୍ଲା ଗାଁ ବନ୍ୟା ଘେରରେ ରହିଛି।

ଆନନ୍ଦପୁର ପଞ୍ଚାୟତ ଚଂପାବାଗ ଗାଁର ମନୋଜ ପଲେଇ ଗତକାଲି ସଂଧ୍ୟାରେ ଦାଣ୍ଡକୂଳ ଗାଁ ପାଖ ଅବଧୂତ ଆଶ୍ରମ ନିକଟରେ ଥିବା ନିଜ ଘେରାରୁ ଛେଳି ଆଣିବାକୁ ଯାଇଥିଲେ। ହେଲେ ହଠାତ ପାଣି ମାଡ଼ି ଆସିବାରୁ ସେ ଓ ତାଙ୍କର ୨୪ଟି ଛେଳି ସେହି ଘେରାରେ ଫସିକି ରହିଥିଲେ। ସେଠାରେ ଥିବା ମଞ୍ଚା ଉପରେ ଛେଳିକୁ ମଞ୍ଚା ଉପରେ ରଖି ରାତି ତମାମ ପାଣିରେ ଛିଡ଼ା ହୋଇ ରହିଥିଲେ। ସକାଳୁ ସ୍ଥାନୀୟ ଲୋକ ଜିଲ୍ଲା ପ୍ରଶାସନକୁ ଜଣାଇବା ପରେ ଖଡ଼ିପଦା ଠାରେ ଥିବା ଅଗ୍ନିଶମ ଟିମ୍ ଘଟଣାସ୍ଥଳରେ ପହଞ୍ଚି ମନୋଜ ଓ ତାଙ୍କ ଛେଳିଗୁଡ଼ିକୁ ଉଦ୍ଧାର କରି ଆଣିଥିଲେ। ସେପଟେ ଶୌଚବେଳେ କାଞ୍ଜିପାଳ ଗାଁର ସୂଜୟ ଦାସଙ୍କ ୮ ବର୍ଷର ନବାଳ ପୁଅ ଆକାଶ ଦାସ ବନ୍ୟା ଜଳରେ ଭାସିଯାଇ ନିଖୋଜ ହୋଇଛନ୍ତି। ତାଙ୍କୁ ଉଦ୍ଧାର ପାଇଁ ଏନଡିଆରଏଫ୍ ଓ ଅଗ୍ନିଶମ ଟିମ୍ ଲାଗିଥିଲେ ବି ସଂଧ୍ୟାସୁଦ୍ଧା ଉଦ୍ଧାର କରାଯାଇ ପାରିନାହିଁ।

ଗତକାଲି ବନ୍ୟା ଆସିବାବେଳେ ଆନନ୍ଦପୁରର କେତେକ ସ୍ଥାନରେ ଗେଙ୍ଗୁଟି ଓ ବୈତରଣୀ ନଦୀବନ୍ଧରେ ଘଳିଆ ପଡ଼ିଥିଲା। ଲୋକେ ଏହାକୁ ନେଇ ଭୟଭୀତ ଥିବାବେଳେ ଜଳ ସଂପଦ ବିଭାଗର କୌଣସି କର୍ମଚାରୀ ବନ୍ୟା ଯୋଗୁଁ ପହଞ୍ଚି ପାରିନଥିଲେ। ତେବେ ସେହି ଅଞ୍ଚଳରେ ଥିବା ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ ପହଞ୍ଚି ସ୍ଥାନୀୟ ଯୁବକଙ୍କ ସହଯୋଗରେ ବାଲିବସ୍ତା ପକାଇ ଘଳିଆ ବନ୍ଦ କରିଥିଲେ। ସେପଟେ ବ୍ଲକ ପ୍ରଶାସନ ନିର୍ଦ୍ଦେଶରେ ସ୍ଥାନୀୟ ସରପଞ୍ଚଙ୍କ ତତ୍ତ୍ବାବଧାନରେ ପ୍ରଭାବିତଙ୍କୁ ରନ୍ଧାଖାଦ୍ୟ ଓ ଆବଶ୍ୟକସ୍ଥଳେ ଶୁଖିଲା ଖାଦ୍ୟ ଦିଆଯାଉଛି।

ଭଦ୍ରକ ଉପଜିଲ୍ଲାପାଳ ମନୋଜ ପାତ୍ର ଧାମନଗରରେ ରହି ରିଲିଫ ଓ ଉଦ୍ଧାର କାର୍ଯ୍ୟର ତଦାରଖ କରୁଛନ୍ତି। ଜିପିଇଓ, ଆସିଷ୍ଟାଣ୍ଟ ଇଂଜିନିଅର, ବିଡିଓ, ତହସିଲଦାର ଓ ଅନ୍ୟ ଅଫିସରମାନେ ସକ୍ରିୟ ରହି ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ମୁକାବିଲା ପାଇଁ ଧାମନଗର ଅଞ୍ଚଳରେ ଗୋଟିଏ ଏନଡିଆରଏଫ୍, ଗୋଟିଏ ଓଡ୍ରାଫ୍ ଓ ୪ଟି ଅଗ୍ନିଶମ ବାହିନୀ ମୁତୟନ ହୋଇଛନ୍ତି। ଚାରୋଟି ଅଗ୍ନିଶମ ଟିମରୁ ଗୋଟିଏ କୋଠାରରେ, ଗୋଟିଏ, ଆନନ୍ଦପୁର ଓ ଗୋଟିଏ ଧୁଷୁରୀରେ ଥିବାବେଳେ ଗୋଟିଏ ଟିମକୁ ଧାମନଗରରେ ରଖାଯାଇଛି।

Comments are closed.