ମୋ ପୋଖରୀ କାର୍ଯ୍ୟରେ ମନ୍ଥର ଗତି, କେବେ ହେବ ମରାମତି

ଭବାନୀପାଟଣା: ପୁରୁଣାପଡା ପୋଖରୀ ଭାବେ ପରିଚିତ ସ୍ଥାନୀୟ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଛକରେ ଥିବା ପୋଖରୀର ସଂପ୍ରତି ପୁନଃ ଉଦ୍ଧାର କାର୍ଯ୍ୟ ଚାଲିଛି। ସମ୍ପୂର୍ଣ୍ଣ ପାଣି ନିଷ୍କାସନ କରାଯାଇ ପଙ୍କୋଦ୍ଧାର ଆରମ୍ଭ ହେଇଛି। ପଙ୍କ ଶୁଖାଇବା ପାଇଁ କିଛି ସ୍ବତନ୍ତ୍ର ବ୍ୟବସ୍ଥା ନାହିଁ। ଦିନକୁ ତିନି ଚାରି ଟ୍ରାକ୍ଟର ପଙ୍କ ଉଦ୍ଧାର ହେଉଛି। ଫଳରେ ପୋଖରୀ ପୁନଃ ଉଦ୍ଧାର କାର୍ଯ୍ୟ ମନ୍ଥର ଗତି ରେ ଚାଲିଛି। ଏଭଳି ଭାବେ କାମ ଚାଲିଲେ ଆସନ୍ତା ବର୍ଷା ପୂର୍ବରୁ ପୋଖରୀ ଭିତର କାମ ସରିବା ନେଇ ଅଞ୍ଚଳବାସୀ ସନ୍ଦିହାନ ଅଛନ୍ତି।

ସୂଚନା ଅନୁଯାୟୀ ଏହି କାର୍ଯ୍ୟ ପାଇଁ  ତିନୋଟି ସ୍ବୟଂ ସହାୟକ ଗୋଷ୍ଠୀ ଙ୍କୁ କାଗଜପତ୍ର ରେ ଦାୟିତ୍ଵ ଦିଆଯାଇଛି। କିନ୍ତୁ ପ୍ରକୃତପକ୍ଷେ ଜନୈକ ଠିକାଦାର କାର୍ଯ୍ୟ ଟି କୁ ସମ୍ପାଦନ କରୁଥିବା ଦେଖିବାକୁ ମିଳୁଛି। ବିଭାଗୀୟ ଅଧିକାରୀ କାମ ର ମାନ କିମ୍ବା ଅଗ୍ରଗତି ର ଯାଞ୍ଚ କରୁ ନାହାନ୍ତି। ଏଣୁ ଗତ ଜାନୁୟାରୀ ମାସରୁ କାର୍ଯ୍ୟ ଆରମ୍ଭ ହୋଇଥିଲେ ବି ବର୍ତ୍ତମାନ ସୁଦ୍ଧା ଆଖି ଦୃଶିଆ ଭାବେ କାମ ଆଗେଇ ପାରିନାହିଁ।

ମୋ ପୋଖରୀ ଯୋଜନାରେ ଏହାର ପଙ୍କ ଉଦ୍ଧାର ସହ ଅନ୍ୟାନ୍ୟ ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ ହେବାର ଥିଲା। ପୂର୍ବରୁ ଏହି କାର୍ଯ୍ୟ ପାଇଁ ୧ କୋଟି ୩୦ ଲକ୍ଷ ଟଙ୍କା ଅନୁଦାନ ଆସିଥିବା ଶୁଣା ଯାଉଥିଲା। ଅଥଚ ଏବେ ୬୭ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା କୁହା ଯାଉଛି। କାମ ପାଖ ରେ ସୂଚନା ଫଳକ ନଥିବାରୁ ପ୍ରକୃତ ଖର୍ଚ୍ଚ ଅଟକଳ ସଂକ୍ରାନ୍ତରେ ସୂଚନା ମିଳୁନି। ପୌର ପାଲିକା ଯନ୍ତ୍ରୀ କିମ୍ବା କାର୍ଯ୍ୟନିର୍ବାହୀ ଅଧିକାରୀ ଏନେଇ ମୁହଁ ଖୋଲୁ ନାହାନ୍ତି।

ଉଲ୍ଲେଖଯୋଗ୍ୟ ସହରର ଅନ୍ୟତମ ସର୍ବ ପୁରାତନ ପୋଖରୀ ପୁରୁଣା ପଡ଼ା ବନ୍ଧ ଉପରେ ଅଞ୍ଚଳବାସୀ ନିର୍ଭରଶୀଳ। ପୁରୁଣା ପଡା ସମେତ ପରଦେଶୀ ପଡ଼ା, କାଲି ମନ୍ଦିର ପଡ଼ା, ଦେୱାନ୍ ସାହେବ ପଡ଼ା, ବଡ଼ ପଡ଼ା, ଶମ୍ଭୁ ନଗର ପଡ଼ା, ହିଲ ଟାଉନ ଏପରିକି ଜିଲ୍ଲା ମୁଖ୍ୟ ଡାକ୍ତରଖାନା କୁ ଆସୁଥିବା ଗାଁ ଗହଳ ଲୋକେ ଏହି ପୋଖରୀ ଉପରେ ନିର୍ଭରଶୀଳ। ପୋଖରୀ କୂଳରେ ଶ୍ରୀ ଶ୍ରୀ ବାଲୁଙ୍କେଶ୍ବର ମନ୍ଦିର, ଗଣେଶ ମନ୍ଦିର, ଶନି ମନ୍ଦିର, ରାଧା କୃଷ୍ଣ ମନ୍ଦିର, ତାରିଣୀ ମନ୍ଦିର, ଗଙ୍ଗା ଦେଇ ଠାକୁରାଣୀ , ଗାୟତ୍ରୀ ମନ୍ଦିର ଆଦି ବହୁ ମନ୍ଦିର ରହିଛି। ଏସବୁ ମନ୍ଦିରରେ ବିଭିନ୍ନ ସମୟରେ ଯଜ୍ଞ, ନାମ ସଂକୀର୍ତ୍ତନ, ଶୀତଳ ଷଷ୍ଠୀ ଆଦି ଅନେକ ଧାର୍ମିକ କାର୍ଯ୍ୟ ଅନୁଷ୍ଠିତ ହୁଏ।

ଏପରିକି ପାରମ୍ପରିକ ଦଶାହ କାର୍ଯ୍ୟ ଆଦି ପାଇଁ ମଧ୍ୟ ଏ ଅଞ୍ଚଳରେ ଏହି ପୋଖରୀ କୁ ଛାଡ଼ି ଦେଲେ ଅନ୍ୟ କିଛି ବିକଳ୍ପ ନାହିଁ। ଅନ୍ୟ ପକ୍ଷରେ ପୋଖରୀଟି ସହର ର ପ୍ରମୁଖ  ସ୍ଥାନରେ ଥିବାରୁ ଏହାର ସୌନ୍ଦର୍ଯ୍ୟ କରଣ କୁ ବିଭିନ୍ନ ମହଲରେ ସ୍ଵାଗତ କରାଯାଉଥିଲା। ପୋଖରୀର ପଙ୍କୋଦ୍ଧାର ସହିତ ପାର୍କ ଏବଂ ଆଲୋକମାଳା ଆଦି ଲଗାଯିବା କୁ ବିଭିନ୍ନ ମହଲରେ ମତ ପ୍ରକାଶ ପାଉଥିଲା। ହେଲେ ଏକ ନ୍ୟସ୍ତ ସ୍ବାର୍ଥ ଗୋଷ୍ଠୀ ଙ୍କ ପ୍ରରୋଚନାରେ କ୍ରମଶଃ ଅନୁଦାନ କମିବା, ମନ୍ଥର ଗତିରେ କାମ ହେବା ଆଦି ବିଷୟକୁ ସହର ବାସିନ୍ଦା ନାପସନ୍ଦ କରୁଛନ୍ତି। ଏଣୁ ଆସନ୍ତା ମଇ ମାସ ଶେଷ ସୁଦ୍ଧା ପୋଖରୀ ର ପୁନଃ ଉଦ୍ଧାର କାର୍ଯ୍ୟ ସମ୍ପୂର୍ଣ୍ଣ ନହେଲେ ଜନ ଅସନ୍ତୋଷ ବୃଦ୍ଧି ପାଇବାର ସମ୍ଭାବନା କୁ ଏଡାଇ ଦିଆଯାଇ ନପାରେ।

Comments are closed.