www.samajalive.in
Sunday, December 7, 2025
14.1 C
Bhubaneswar

ଆଢ଼ୁଆଳରେ ଧ୍ବସ୍ତ ‘ମାଡ଼ବା’

ବ୍ରହ୍ମପୁର : ଆଜ୍ଞା ବାତ୍ୟା ଆମର ସବୁକିଛି ଧୋଇ ନେଇଛି। ପାଞ୍ଚଦିନ ପରେ ବି ଆମ ବିଷୟରେ କେହି ହେଲେ ଖବର ରଖି ନାହାଁନ୍ତି କି ଗଣ ମାଧ୍ୟମରେ ଆମ ଗାଁ ବିଷୟରେ କେହି ବି ପ୍ରସାରଣ କରି ନାହାଁନ୍ତି। କାହାର ହେଲେ ଗ୍ରାମରେ ପାଦ ପଡିନି। ରାସ୍ତା ନଥିବାରୁ ଗ୍ରାମର କେହି ବି ବାହାରକୁ ଯାଇପାରୁ ନାହାଁନ୍ତି। ଭୋକଉପବାସରେ ପିଲାଠାରୁ ବୁଢା ପର୍ଯ୍ୟନ୍ତ ୩ଶହ ଲୋକ ଛଟପଟ ହେଉଛନ୍ତି। ପିନ୍ଧିବାକୁ ଲୁଗା ନାହିଁ କି, ଖାଇବାକୁ ଦାନା ନାହିଁ। ଘର ମାଟିରେ ମିଶି ଯାଇଛି। ପିନ୍ଧିଥିବା ଲୁଗାଟି ହିଁ ବର୍ତ୍ତି ଯାଇଛି। କାହା ଘରେ ଚୂଲି ଜଳିନି। ରିଲିଫକୁ ଚାତକ ଭଳି ବିପନ୍ନମାନେ ଚାହିଁ ରହିଛନ୍ତି। ପ୍ରଶାସନକୁ ଆମର ଟିକେ ଗୁହାରି ଜଣାନ୍ତୁ ବୋଲି ଅନୁନୟବିନୟ ହୋଇଛନ୍ତି ବାତ୍ୟାରେ ଧରାଶାୟୀ ହୋଇଥିବା ତିତଲି ତାଣ୍ଡବରେ ସର୍ବାଧିକ କ୍ଷତିଗ୍ରସ୍ତ ଗଜପତି ଜିଲା ରାୟଗଡ ବ୍ଲକର କଇଁପୁର ପଞ୍ଚାୟତ ଅନ୍ତର୍ଗତ ମାଡବା ଗ୍ରାମର ଉଚ୍ଚଶିକ୍ଷିତ ଦୁଇ ଭାଇ ସୋମନାଥ ବଡ଼ରଇତ ଓ ଗୁରୁନାଥ ବଡ଼ରଇତ।
ଚାକିରି କରୁଥିବାରୁ ବାତ୍ୟା ବେଳେ ଗୁରୁନାଥ ଗାଁରେ ନଥିଲେ; କିନ୍ତୁ ସାନଭାଇ ସୋମନାଥ ବାତ୍ୟାକୁ ଅଙ୍ଗେ ନିଭାଇବା ପରେ କୌଣସି ମତେ ଚାଲି ଚାଲି ବ୍ରହ୍ମପୁରରେ ଭାଇ ପାଖରେ ପହଞ୍ଚି ଗାଁ ଖବର ଦେବା ପରେ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିବାକୁ ଆଜି ବ୍ରହ୍ମପୁରରେ ଘୁରି ବୁଲି ଆମ ପାଖରେ ପହଞ୍ଚି ଗାଁ ଲୋକଙ୍କ ଦୁଃଖ ବଖାଣିଛନ୍ତି। ସେମାନେ ଯାହା ବର୍ଣ୍ଣନା କରିଛନ୍ତି ଯେତିକି ଭୟାନକ ସେତିକି ମର୍ମସ୍ପର୍ଶୀ। ସୋମନାଥଙ୍କଠାରୁ ମିଳିଥିବା ସୂଚନା ମୁତାବକ ୧୦ ତାରିଖ ରାତି ତମାମ ମାଡବା ଗ୍ରାମରେ ବର୍ଷା ଓ ପବନ ଲାଗି ରହିଥିଲା। ୧୧ ତାରିଖ ଭୋରରେ ପବନର ମାତ୍ରା ବଢିଥିଲା। ସେହିଦିନ ଠିକ ସାଢେ ୨ଟା ବେଳେ ଅଚାନକ ପାହାଡରୁ ବିରାଟକାୟ ପଥର ଖଣ୍ଡ ପାଣିସ୍ରୋତରେ ଭାସି ଆସିଥିଲା। ଚାହୁଁଚାହୁଁ ନିମିଷକ ମଧ୍ୟରେ ଗ୍ରାମ ଭିତରକୁ ପ୍ରବଳ ସ୍ରୋତରେ ପାଣି, କାଦୁଅ ଓ ପଥର ଖଣ୍ଡ ମାଡି ଆସିଥିଲା। ଏହା ସ୍ୱଚକ୍ଷୁରେ ଦେଖୁଥିବା ଲୋକେ ଗ୍ରାମରେ ଥିବା ମାତ୍ର ତିନି ଚାରିଟି ଛାତ ଘର ଭିତରକୁ ଚାଲି ଯାଇ କୌଣସିମତେ ପ୍ରାଣ ରକ୍ଷା କରିଥିଲେ। ମାତ୍ର କେଇଘଣ୍ଟା ଭିତରେ ଗ୍ରାମର ୬୩ ଘର ମଧ୍ୟରୁ ପ୍ରାୟ ୬୦ଟି ଘର ମାଟିରେ ମିଶି ଯାଇଥିଲା। ଘର ଭିତରେ ଆଦିବାସୀମାନେ ସଞ୍ଚିଥିବା ସମସ୍ତ ଖାଦ୍ୟଦ୍ରବ୍ୟ ଓ ଆସବାବପତ୍ର ମାଟି ଓ ପଥରରେ ପୋତି ହୋଇଯାଇଥିଲା। ପିଲାଠାରୁ ବୁଢା ପର୍ଯ୍ୟନ୍ତ ପ୍ରାୟ ୩ଶହ ଲୋକ ନିମିଷକ ମଧ୍ୟରେ ବିପନ୍ନ ହୋଇପଡିଲେ। ଗୃହପାଳିତ ପଶୁ ସମ୍ପଦ ଗ୍ରାମରୁ ନିଶ୍ଚିହ୍ନ ହୋଇଯାଇଛି।
ପାହାଡରୁ ବିରାଟକାୟ ପଥର ଖଣ୍ଡ ଧସି ଆସିବାରୁ କଇଁପୁରରୁ ଗ୍ରାମକୁ ଲମ୍ବିଥିବା ରାସ୍ତା ଛାରଖାର ହୋଇଯାଇଛି। ରାୟଗଡରୁ ୩୦ କିମି ଏବଂ ପାତ୍ରପୁର ବ୍ଲକର ତୁମ୍ବାଠାରୁ ୨୦ କିମି ଦୂର ମାଡବା ଗ୍ରାମ ଏବେ ଧ୍ୱସ୍ତସ୍ତୁପ। ଚାରିଆଡେ କୁଢକୁଢ ତାଟି,କବାଟ, ଟିଣ ଓ ପଥର। ଲୋକେ ସେହିଦିନଠାରୁ ଆଜି ପର୍ଯ୍ୟନ୍ତ ଗ୍ରାମ୍ୟ ବିଦ୍ୟାଳୟରେ ଭୋକ ଉପାସରେ ରହୁଛନ୍ତି।
ରାସ୍ତା ଆଦୌ ନଥିବାରୁ ଗ୍ରାମକୁ କେହି ହେଲେ ପହଞ୍ଚି ପାରିନାହାଁନ୍ତି। ବହୁ ଶ୍ରମ ସ୍ୱୀକାର କରି ଭୋକରୁ ବର୍ତ୍ତିବା ପାଇଁ ଲୋକେ ଦୁଇଦିନ ତଳେ ୧୦ କିମି ଦୂର କଇଁପୁରକୁ ଦୌଡିଥିଲେ; ହେଲେ ସେଠାରେ କିଛି ନପାଇ ନିରାଶାରେ ଘରକୁ ଫେରିଥିଲେ। ଗାଁଟି ମାଟିରେ ମିଶି ଯାଇଥିବା ଖବର କାହା ପାଖରେ ହେଲେ ନାହିଁ। ପଥର ମାଡରେ ଗ୍ରାମର ଦୁଇଜଣ ପ୍ରାଣ ମଧ୍ୟ ହରାଇଛନ୍ତି। ରାସ୍ତା ନଥିବାରୁ ଗାଡିଘୋଡା ଯାଉନି କି ରିଲିଫ ପହଞ୍ଚିପାରୁନି। ପ୍ରସିଦ୍ଧ ମହେନ୍ଦ୍ରଗିରି ପାହାଡର ଠିକ୍‌ ପାଦଦେଶରେ ଅବସ୍ଥିତ ମାଡବା ଗ୍ରାମର ଭୌଗୋଳିକ ଚିତ୍ର ସମ୍ପୂର୍ଣ୍ଣ ବଦଳି ଯାଇଛି। ଗ୍ରାମଟି ଧ୍ୱଂସସ୍ତୁପରେ ପରିଣତ ହୋଇଛି। ପାଞ୍ଚଦିନ ହେଲା ଲୋକେ ହା-ଅନ୍ନ ଚିତ୍କାର ଛାଡୁଛନ୍ତି। ଅଗମ୍ୟ ଗ୍ରାମ୍ୟ ରାସ୍ତା ସଜାଡିବାକୁ କେତେଦିନ ଲାଗିବ ତାହା କେହି କହିପାରିବେନି। ଏଭଳି ସ୍ଥିତିରେ ପ୍ରଶାସନ ଦୟାପରବଶ ହୋଇ ଗ୍ରାମରେ କୌଣସି ମତେ ପହଞ୍ଚି ଲୋକଙ୍କୁ ଅନ୍ତତଃ ରିଲିଫ ଟିକିଏ ଦେଇ ଜୀବନ ବଞ୍ଚାନ୍ତୁ ବୋଲି ନେହୁରା ହୋଇଛନ୍ତି ଗ୍ରାମର ବି-ଟେକ୍‌ ଛାତ୍ର ସୋମନାଥ ବଡରଇତ।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories