ବ୍ରହ୍ମପୁର ବିଶ୍ବବିଦ୍ୟାଳୟ: ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗର ଭିତ୍ତିଭୂମି ବିକାଶ ପାଇଁ ୨କୋଟି ପ୍ରକଳ୍ପ ପ୍ରସ୍ତୁତ, ମଞ୍ଜୁରୀକୁ ଅପେକ୍ଷା

ଭଞ୍ଜବାଣୀ ପ୍ରସାରଣ ବନ୍ଦ, ପ୍ରକାଶ ପାଉନି ଭଞ୍ଜବିହାର ରିପୋର୍ଟର

ଗୋପାଳପୁର:ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପଢା ଯାଉଥିବା ସ୍ମାତକୋତ୍ତର ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗ ଆଗାମୀ ବର୍ଷ ୫୦ ତମ ବର୍ଷ ପାଳନ କରିବାକୁ ଯାଉଥିବା ବେଳେ ବିଭାଗ ନିଜର ଭିତ୍ତିଭୂମି ବିକାଶ କରିବାରେ ପଛରେ ପଡି ଯାଇଥିବା ଅଭିଯୋଗ ହୋଇଛି। ୧୯୭୪ ମସିହାରେ ରାଜ୍ୟର ପ୍ରଥମ ଭାବେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ସାମ୍ବାଦିକତା ଓ ଗଣଯୋଗାଯୋଗରେ ଶିକ୍ଷାଦାନ ଆରମ୍ଭ ହୋଇଥିଲା। ଏହା ମଧ୍ୟରେ ଏଠାରେ ୧୦୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ସଫଳତାର ସହ ନିଜର ପାଠ ପଢା ସାରି ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ ଗଣ ମାଧ୍ୟମରେ ନିଯୁକ୍ତି ପାଇଛନ୍ତି। ଗତବର୍ଷ ବିଶ୍ବବିଦ୍ୟାଳୟକୁ ନାକ ପରିଦର୍ଶନ ପୂର୍ବରୁ ବିଭାଗକୁ ଏକ ତିନି ମହଲା ବିଶିଷ୍ଟ କୋଠାକୁ ସ୍ଥାନାନ୍ତର କରିବା ସହ ଏକ ସ୍ବତନ୍ତ୍ର ପରିଚୟ ଦିଆ ଯାଇଥିଲା। ଏହା ସହ ଗତ ୨୦୧୪ ପରଠାରୁ ଏଠାରେ ଛାତ୍ରଛାତ୍ରୀମାନେ ଅତିଥି ଅଧ୍ୟାପକ ଉପରେ ଭରସା କରୁଥିଲେ।

ଏବେ ଏହି ବିଭାଗର ସିଟ୍ ସଂଖ୍ୟା ୫୦କୁ ବୃଦ୍ଧି ପାଇଥିବା ସହ ୭ ଜଣ ଶିକ୍ଷକ ନିଯୁକ୍ତି ପାଇଛନ୍ତି। ଚଳିତ ବର୍ଷ ତୃତୀୟ ପର୍ଯ୍ୟାୟ ନାମଲେଖା ଶେଷ ହୋଇଥିବାବେଳେ କେବଳ ୧୭ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି। ଅପରପକ୍ଷରେ ଗତ ବର୍ଷ ଏଠାରେ ୨୯ ଜଣ ଛାତ୍ରଛାତ୍ରୀ ନାମଲେଖାଇଥିବାବେଳେ ବେଳେ ୨୧ଟି ସିଟ୍ ଖାଲି ରହିଥିଲା। ଆଜି ପର୍ଯ୍ୟନ୍ତ ଏଠାରେ ପୁରୁଣା ସିଲାବସ ଅନୁଯାୟୀ ପାଠ ପଢା ହେଉଛି। ଗତ ଏକ ବର୍ଷ ଧରି ଛାତ୍ରଛାତ୍ରୀମାନଙ୍କୁ ନୂତନ କୋଠାରେ ପାଠ ପଢ଼ା ଯାଉଥିବା ବେଳେ ସେଠାରେ ଆବଶ୍ୟକ ଭିତ୍ତିଭୂମିର ବିକାଶ ହୋଇ ପାରିନାହିଁ। ଯାହା ଫଳରେ ଛାତ୍ରଛାତ୍ରୀମାନଙ୍କୁ ପ୍ରାକ୍ଟିକାଲ ପାଇଁ କୌଣସି ବ୍ୟବସ୍ଥା କରାଯାଇନାହିଁ। ପରିସ୍ଥିତି ଏପରି ହୋଇଛି ଯେ ଶ୍ରେଣୀ କକ୍ଷରେ ଲାଗିଥିବା ବ୍ଲାକ ବୋର୍ଡକୁ ଦୁଇଟି ଚେୟାର ଉପରେ ରଖି ପାଠ ପଢାଯାଉଥିବା ବେଳେ ସ୍ମାର୍ଟ କ୍ଲାସ ଗୁଡିକ ସଠିକ ଭାବେ କାର୍ଯ୍ୟକରୁ ନାହିଁ। ଅପରପକ୍ଷରେ ଛାତ୍ରଛାତ୍ରୀଙ୍କ ପାଇଁ ନିର୍ମାଣ କରାଯାଇଥିବା ଫଟୋଗ୍ରାଫି ଷ୍ଟୁଡିଓ ସମେତ କମ୍ପ୍ୟୁଟର ୱେବ ଆଦି ଖାଲି ପଡ଼ି ରହିଛି। ଛାତ୍ରଛାତ୍ରୀଙ୍କ ପ୍ରାକ୍ଟିକାଲ ପାଇଁ ଗୋଟିଏ ହେଲେ କମ୍ପ୍ୟୁଟର ନଥିବାରୁ ସେମାନେ ଡିଟିପି କିମ୍ବା ସମ୍ପାଦନା ଆଦି କାର୍ଯ୍ୟ କରିପାରୁ ନାହାଁନ୍ତି।

prayash

ପୂର୍ବରୁ ପ୍ରତିଦିନ ଅପରାହ୍ଣରେ ବିଭାଗର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ସାରା ଦିନ ଖବରକୁ ନେଇ ଭଞ୍ଜବାଣୀ ପ୍ରସାରଣ କରାଯାଉଥିବାବେଳେ ଏବେ ତାହା ସମ୍ପୂର୍ଣ୍ଣ ବନ୍ଦ ରହିଥିବା ଦେଖିବାକୁ ମିଳିଛି। ବିଭାଗ ପକ୍ଷରୁ ପ୍ରକାଶିତ ହେଉଥିବା ଭଞ୍ଜବିହାର ରିପୋର୍ଟର ମଧ୍ୟ ପ୍ରକାଶିତ ହେଉନଥିବା ଜଣାପଡ଼ିଛି। ଏହା ସହିତ ବିଭାଗର ଅଧିକାଂଶ ଶିକ୍ଷକଙ୍କୁ ଏନଏସଏସ, କ୍ରୀଡା ବିଭାଗ ସହ ୱମେନ ଷ୍ଟଡିସ ପରି ବିଭାଗର ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ସେହିପରି ଆଉ କେତେକଙ୍କୁ ବିଶ୍ବବିଦ୍ୟାଳୟର ୟୁଟୁବ ଓ ଫେସବୁକ୍ ପେଜ ର ଦାୟିତ୍ବ ଦିଆଯାଇଛି। ଯାହାଫଳରେ ଅନେକ ସମୟରେ ଶ୍ରେଣୀ ଶିକ୍ଷାଦାନରେ ବାଧା ଉପୁଜୁଥିବା ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି।

ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ମୁଖ୍ୟ ପ୍ରଫେସର ଗଣେଶ ସେଠୀ କହିଛନ୍ତି ଯେ ପୂର୍ବରୁ ଏକ ଅନ୍ଧାରୁଆ କୋଠରୀରେ ଛାତ୍ରଛାତ୍ରୀ ପାଠପଢୁଥିଲେ। ଗତ ବର୍ଷ ବିଭାଗକୁ ନୂତନ କୋଠା ମିଳିଛି। ବିଶ୍ବବିଦ୍ୟାଳୟ ପକ୍ଷରୁ ଏଠାରେ ବିଭିନ୍ନ ଭିତ୍ତି ଭୂମିର‌ ବିକାଶ ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଇଛି। ଏହା ସହ ଭିତ୍ତିଭୂମିର‌‌ ବିକାଶ ନିମନ୍ତେ ୨ କୋଟି ଟଙ୍କା ପ୍ରକଳ୍ପ ପ୍ରସ୍ତୁତ ହୋଇଛି ଏବଂ ଏହାର ଅନୁମୋଦନ ପାଇଁ ଅପେକ୍ଷା କରାଯାଇଛି। ଏହି ପ୍ରକଳ୍ପର ଅନୁଦାନ ମଞ୍ଜୁରୀ ଲାଭ କଲେ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ଭିତ୍ତିଭୂମିର ବିକାଶ କରାଯାଇପାରିବ।
ରାଜ୍ୟର ସର୍ବପୁରାତନ ତଥା ପ୍ରଥମ ପାଠ୍ୟକ୍ରମ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ଭିତ୍ତିଭୂମି ବିକାଶରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଦୃଷ୍ଟି ଦେଉନଥିବାରୁ ସାଧାରଣରେ ଉଦବେଗ ପ୍ରକାଶ ପାଇଛି।

Comments are closed.