ଦିନିିକିଆରୁ ଷ୍ଟୋକ୍‌ସଙ୍କ ଅବସର ଘୋଷଣା

ଆଜି ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିବେ ଅନ୍ତିମ ଦିନିକିଆ ମ୍ୟାଚ୍‌

ଲଣ୍ଡନ୍‌ : ୨୦୧୯ରେ ଇଂଲଣ୍ଡକୁ ପ୍ରଥମଥର ଦିନିକିଆ ବିଶ୍ବକପ୍‌ ଜିତାଇବାରେ ପ୍ରମୁଖ ବିନ୍ଧାଣୀ ତଥା ବିଶ୍ବର ଅନ୍ୟତମ ଶ୍ରେଷ୍ଠ ଅଲ୍‌ରାଉଣ୍ଡର ବେନ୍‌ ଷ୍ଟୋକ୍‌ସ ଦିନିକିଆ କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି। ମଙ୍ଗଳବାର ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚେଷ୍ଟର-ଲି-ଷ୍ଟ୍ରିଟ୍‌ରେ ଖେଳାଯିବାକୁ ଥିବା ପ୍ରଥମ ଦିନିକିଆ ଷ୍ଟୋକ୍‌ସଙ୍କ ଜୀବନର ଅନ୍ତିମ ଆନ୍ତର୍ଜାତିକ ଦିନିକିଆ ମ୍ୟାଚ୍‌ ହେବ। ଚଳିତବର୍ଷ ପ୍ରାରମ୍ଭରେ ୩୧ ବର୍ଷ ବୟସ୍କ ଷ୍ଟୋକ୍‌ସ ଇଂଲଣ୍ଡର ଟେଷ୍ଟ ଅଧିନାୟକ ନିଯୁକ୍ତ ହୋଇଥିଲେ। ହେଲେ ମଙ୍ଗଳବାର ଷ୍ଟୋକ୍‌ସ ଘୋଷଣା କରିଛନ୍ତି ଯେ ୩ଟିଯାକ ଫର୍ମାଟ ଖେଳିବା ତାଙ୍କ ପାଇଁ ଆଉ ସମ୍ଭବପର ନୁହେଁ। ଏହାସହ ଷ୍ଟୋକ୍‌ସ ମନେ କରିଛନ୍ତି ଯେ ସେ ଖେଳିବା ଦ୍ବାରା ଯୁବ ଖେଳାଳି ଇଂଲଣ୍ଡ ପାଇଁ ଦିନିକିଆ ଖେଳିବାର ସୁଯୋଗ ହରାଉଛନ୍ତି।
ବାମହାତି ବ୍ୟାଟ୍‌ସମ୍ୟାନ୍ ଓ ଡାହାଣହାତି ପେସ୍ ବୋଲର ବେନ୍‌ ଷ୍ଟୋକ୍‌ସ ଚଳିତବର୍ଷ ଘରୋଇ ମାଟିରେ ୬ଟିଯାକ ଦିନିକିଆ ମ୍ୟାଚ୍‌ ଖେଳିବା ସହ ଟ୍ବେଣ୍ଟି୨୦ ମ୍ୟାଚ୍‌ରୁ ବିଶ୍ରାମ ନେବାକୁ ନିଷ୍ପତ୍ତି ନେଇଥିଲେ। ‘ଦି ହ​‌େ​‌ଣ୍ଡ୍ରଡ୍‌’ ଟୁର୍ଣ୍ଣାମେଣ୍ଟ ସେ ନ ଖେଳିବାକୁ ଠିକ୍‌ କରିଥିଲେ। ହେଲେ ହଠାତ୍ ଷ୍ଟୋକ୍‌ସ ନିଷ୍ପତ୍ତି ନେଇଛନ୍ତି ଯେ ଟେଷ୍ଟ ଓ ଟ୍ବେଣ୍ଟି୨୦ କ୍ରିକେଟ୍‌କୁ ସବୁକିଛି ଦେବା ଲାଗି ୫୦ ଓଭରର କ୍ରିକେଟ୍‌ରୁ ବିଦାୟ ନେଉଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ଷ୍ଟୋକ୍‌ସଙ୍କ ୧୦୫ତମ ତଥା ଅନ୍ତିମ ଦିନିକିଆ ହେବ। ୨୦୧୧ରେ ଷ୍ଟୋକ୍‌ସ ଆୟରଲାଣ୍ଡ ବିପକ୍ଷରେ ପ୍ରଥମ ଦିନିକିଆ ଖେଳିଥିଲେ। ଅଦ୍ୟାବଧି ୧୦୪ଟି ଦିନିକିଆରୁ ଷ୍ଟୋକ୍‌ସ ୯୫.୨୬ ଷ୍ଟ୍ରାଇକ୍‌ରେଟ୍‌ ଓ ୩୯.୪୪ ଆଭ୍‌ରେଜ୍‌ରେ ୨୯୧୯ ରନ୍‌ କରିଛନ୍ତି। ଏଥିରେ ୩ଟି ଶତକ ଓ ୨୧ଟି ଅର୍ଦ୍ଧଶତକ ରହିଛି। ସେ ମଧ୍ୟ ୭୪ଟି ୱିକେଟ ନେଇଛନ୍ତି। ତାଙ୍କ ଦିନିକିଆ କ୍ରିକେଟ୍‌ ଜୀବନର ଶ୍ରେଷ୍ଠ ମୁହୂର୍ତ୍ତ ୨୦୧୯ ବିଶ୍ବକପ୍‌ ଫାଇନାଲ ଥିଲା। ଏଥିରେ ଷ୍ଟୋକ୍‌ସ ଅପରାଜିତ ୮୪ ରନ୍‌ର ଇନିଂସ ଖେଳି ମ୍ୟାଚ୍‌କୁ ଟାଇ ରଖି ସୁପର ଓଭରକୁ ନେଇଥିଲେ। ସୁପର ଓଭରରେ ୩ଟି ବଲ୍‌ରୁ ୮ ରନ୍‌ ସ୍କୋର୍‌କରି ଦଳକୁ ପ୍ରଥମଥର ବିଶ୍ବବିଜେତା କରିଥିଲେ। ଗତବର୍ଷ ମାନସିକ ଭାବେ ସୁସ୍ଥରହିବା ପାଇଁ ଷ୍ଟୋକ୍‌ସ କ୍ରିକେଟ୍‌ରୁ ଅବ୍ୟାହତି ନେବା ସହ ଆଇପିଏଲ୍‌ ମଧ୍ୟ ଖେଳିନଥିଲେ। ହେଲେ କ୍ରିକେଟ୍‌କୁ ଫେରିବା ପରେ ସେ ଭଲ ପ୍ରଦର୍ଶନ କରିଥିଲେ। ଦିନିକିଆରୁ ଅବସର ଘୋଷଣାକରି ଷ୍ଟୋକ୍‌ସ କହିଛନ୍ତି, ଦିନିକିଆରେ ଆଉ ସାଥୀ ଖେଳାଳିଙ୍କୁ ୧୦୦% ଦେବା ମୋ ପାଇଁ ଅସମ୍ଭବ। ମୋ ପାଇଁ ଏହା କଠିନ ନିଷ୍ପତ୍ତି ଥିଲା। ସାଥୀ ଖେଳାଳିଙ୍କ ସହ ଦିନିକିଆ ଖେଳିବାର ପ୍ରତି ମୁହୂର୍ତ୍ତକୁ ଉପଭୋଗ କରିଛି। ମୋ ସ୍ଥାନରେ ଜଣେ ଯୁବ ଖେଳାଳି ଆସି ଜୋସ୍‌ (ବଟ୍‌ଲର) ଓ ତାଙ୍କ ଦଳକୁ ୧୦୦% ଦିଅନ୍ତୁ। ମୋ ପାଇଁ ୩ଟିଯାକ ଫର୍ମାଟ ଖେଳିବା ଅସମ୍ଭବ। ଏହି ବ୍ୟସ୍ତ ଖେଳସୂଚୀ ସହ ଖାପ୍ ଖୁଆଇବା ବହୁତ କଷ୍ଟକର। ଟେଷ୍ଟ କ୍ରିକେଟ୍‌କୁ ସବୁକିଛି ଦେବି। ଟ୍ବେଣ୍ଟି୨୦ କ୍ରିକେଟ୍‌ ପ୍ରତି ମଧ୍ୟ ମୋର ପ୍ରତିବଦ୍ଧତା ରହିବ। ଭାରତ ବିପକ୍ଷ ୩ଟି ଦିନିକିଆରେ ଷ୍ଟୋକ୍‌ସ ମୋଟ ୪୮ ରନ୍‌ କରିବା ସହ ମାତ୍ର ୩ ଓଭର ବୋଲିଂ କରିଥିଲେ। ଦିନିକିଆ ଛଡ଼ା ଷ୍ଟୋକ୍‌ସ ଇଂଲଣ୍ଡ ପାଇଁ ୮୩ଟି ଟେଷ୍ଟମ୍ୟାଚ୍‌ ଓ ୩୪ଟି ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳିଛନ୍ତି। ଅନୁମାନ କରାଯାଉଛି ଯେ ଷ୍ଟୋକ୍‌ସଙ୍କ ସ୍ଥାନରେ ବାମହାତି ଅଲ୍‌ରାଉଣ୍ଡର ସାମ୍ କରନ୍ ଖେଳିପାରନ୍ତି।

kalyan agarbati

Comments are closed.