ଟ୍ରେନ ଗଲାପରେ କର୍ମଚାରୀଙ୍କ ଡ୍ୟୁଟି ଶେଷ; ଷ୍ଟେସନ ପରିସର ଖାଁ ଖାଁ

ବେଗୁନିଆ: ଖୋର୍ଦ୍ଧା ବଲାଙ୍ଗୀର ରେଳ ପଥରେ ଭୁବନେଶ୍ୱରରୁ ନୟାଗଡ଼ ଅଭିମୁଖେ ଯିବା ଆସିବା କରୁଥିବା ଏକ ମାତ୍ର ଟ୍ରେନ ବେଗୁନିଆ ଷ୍ଟେସନ ଅତିକ୍ରମ କରିଗଲା ପରେ ଏଠାରେ କାର୍ଯ୍ୟରତ କର୍ମଚାରୀମାନଙ୍କର ଡ୍ୟୁଟି ଶେଷ ହୋଇଯାଉଥିବା ଦେଖିବାକୁ ମିଳୁଛି। ଟ୍ରେନଟି ରାତି ୭.୪୫ରେ ନୟାଗଡ଼ ଅଭିମୁଖେ ବେଗୁନିଆ ଅତିକ୍ରମ କରୁଥିବାବେଳେ ସେହି ଟ୍ରେନଟି ସକାଳୁ ୭.୧୫ରେ ଭୁବନେଶ୍ୱର ଅଭିମୁଖେ ବେଗୁନିଆ ଷ୍ଟେସନ ଅତିକ୍ରମ କରୁଛି । କିନ୍ତୁ ଟ୍ରେନଟି ଚାଲିଗଲା ପରେ ଷ୍ଟେସନରେ ଥିବା ସମସ୍ତ କୋଠରୀ ତାଲା ପଡିଯାଉଛି ଏବଂ ଷ୍ଟେସନରେ କାଉ କୋଇଲିଟିଏ ମଧ୍ୟ ଦେଖିବାକୁ ମିଳୁନି । ଷ୍ଟେସନ ପରିସର ଖାଁ ଖାଁ ଲାଗୁଛି ।ଯେତେବେଳେ ଗଲେ ଏହି ଅବସ୍ଥା ଦେଖିବାକୁ ମିଳିଥାଏ। ଟ୍ରେନ ଗଲା ପରେ କୌଣସି କର୍ମଚାରୀ ମଧ୍ୟ ଏଠାରେ ରହୁ ନାହାନ୍ତି । ଦିନ ରାତି ଏଠାରେ କେହି ରହୁ ନଥିବା ଯୋଗୁଁ ଚୋରିର ମଧ୍ୟ ଆଶଙ୍କା ରହୁଛି। କର୍ମଚାରୀଙ୍କ ଅନୁପସ୍ଥିତିରେ ଷ୍ଟେସନରେ ବହୁ ଅସାମାଜିକ କାର୍ଯ୍ୟ ଘଟୁଥିବାର ଅଭିଯୋଗ ହେଉଛି । ଏଠାରେ ଥିବା ସୁରକ୍ଷା କର୍ମୀଙ୍କୁ ଯେତେବେଳେ ଗଲେ କେହି ଦେଖିବାକୁ ପାଇ ନଥାନ୍ତି । ସେମାନେ ସବୁବେଳେ ଷ୍ଟେସନ ନିକଟରେ ଥିବା ଷ୍ଟାଫ ରୁମରେ ବିଶ୍ରାମ ନେଉଥିବା ଦେଖିବାକୁ ମିଳିଥାଏ। ଏ ସଂକ୍ରାନ୍ତରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଜଣାଇଲେ ମଧ୍ୟ ସେମାନେ କର୍ମଚାରୀମାନଙ୍କୁ ଘଣ୍ଟ ଘୋଡାଇ ସେଇଠି କୁଆଡେ ଯାଇଥିବେ ବୋଲି କହୁଛନ୍ତି । କିନ୍ତୁ ଷ୍ଟେସନକୁ ଯେତେବେଳେ ଯୋଉ ସମୟରେ ଗଲେ କର୍ମଚାରୀମାନଙ୍କର ଅନୁପସ୍ଥିତି ଦେଖିବାକୁ ମିଳୁଛି।

kalyan agarbati

Comments are closed.