ଆର.ଟି.ଆଇରେ ତଥ୍ୟ ଦେବାକୁ ମନାକରୁଛନ୍ତି ସମ୍ପାଦକ
ବେଗୁନିଆ: ବେଗୁନିଆ ବ୍ଲକ ଅନ୍ତର୍ଗତ ବାଘମାରୀ ସେବା ସମବାୟ ସମିତିରେ ବିଭିନ୍ନ ସମୟରେ ହେଉଥିବା ଅନିୟମିତତା ସମ୍ପର୍କରେ ଗ୍ରାମର ସାମାଜିକ କର୍ମୀ ରଘୁନାଥ ବେହେରା ସମ୍ପାଦକ ,ଡି ଆର.ସି.ଏସ ଖୋର୍ଦ୍ଧାଙ୍କୁ ତଥ୍ୟ ମାଗି ନିରାଶ ହେବା ପରେ ରାଜ୍ୟସମବାୟ ନିର୍ବାଚନ ଆୟୋଗଙ୍କୁ ତଥ୍ୟ ମାଗିଥିଲେ । କିନ୍ତୁ ଆୟୋଗ ଆର.ସି.ଏସ ଭୁବନେଶ୍ୱରଙ୍କୁ ଚିଠି କରିବା ପରେ ମଧ୍ୟ ଆଜି ପର୍ଯ୍ୟନ୍ତ ତଥ୍ୟ ପାଇନଥିବାର ସେ ଅଭିଯୋଗ କରିଛନ୍ତି । ବାଘମାରୀ ସେବା ସମବାୟ ସମିତି ଅଧୀନରେ ବାଘମାରୀରେ ଖୋଲିଥିବା ମଣ୍ଡିରେ ଅନିୟମିତତା ହୋଇଥିବାର ଅନୁଭବ କରି ଶ୍ରୀ ବେହେରା ଗତ ୧୫.୨.୨୨ରେ ବାଘମାରୀ ସମ୍ପାଦକଙ୍କୁ ତଥ୍ୟ ମାଗି ନିରାଶ ହେବା ପରେ ୨୧.୨.୨୨ରେ ଡି.ଆର.ସି.ଏସ ଖୋର୍ଦ୍ଧାଙ୍କୁ ତଥ୍ୟ ମାଗିଥିଲେ । ସେଠାରୁ ନିରାଶ ହୋଇ ୨୫.୪.୨୨ରେ ରାଜ୍ୟ ସମବାୟ ନିର୍ବାଚନ ଆୟୋଗ ଭୁବନେଶ୍ୱରଙ୍କୁ ତଥ୍ୟ ମାଗିଥିଲେ ।
ଆୟୋଗ ୨୮.୪.୨୨ରେ ତାଙ୍କର ଚିଠି ନଂ୯୯୩ରେ ଆର ସି ଏସ ପି ଆଇ ଓ ଭୁବନେଶ୍ୱରଙ୍କୁ ଶ୍ରୀ ବେହେରାଙ୍କ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଆୟୋଗଙ୍କୁ ଜଣାଇବା ପାଇଁ ଲେଖିଥିଲେ। ଇତିମଧ୍ୟରେ ଡି ଆର ସି ଏସ ୨.୩.୨୨ରେ ତାଙ୍କର ଚିଠି ନଂ୨୪୬ ରେ ବାଘମାରୀ ସମ୍ପାଦକଙ୍କୁ ଚିଠି କରି କାର୍ଯ୍ୟାନୁଷ୍ଠାନ ପାଇଁ ଲେଖି ଜଣାଇବା ସହିତ ଶ୍ରୀ ବେହେରାଙ୍କୁ ମଧ୍ୟ ଚିଠି କରିଥିଲେ । କିନ୍ତୁ ସମ୍ପାଦକ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶକୁ ବେଖାତିର କରି ୧୫.୪.୨୨ରେ ଚିଠି ନଂ ୯ରେ ଅପରେଟିଭ ସୋସାଇଟି ଉପରେ କେରଳ ହାଇକୋର୍ଟ ଦେଇଥିବା ରାୟର ଏକ ନକଲ ଆର.ଟି.ଆଇ ଉତ୍ତରରେ ସଂଲଗ୍ନ କରି ଆର.ଟି.ଆଇ ଆକ୍ଟ ୨୦୦୫ରେ ସେବା ସମବାୟ ସମିତି ଗୁଡିକ ଆସୁନାହିଁ । ତେଣୁ ଆମେ ତଥ୍ୟ ଦେବା ପାଇଁ ଅସମର୍ଥ ବୋଲି ଶ୍ରୀ ବେହେରାଙ୍କୁ ଜଣାଇଛନ୍ତି । ଯାହାକି ଓଡିଶା ଆର.ଟି.ଆଇ ଆକ୍ଟକୁ ସମ୍ପୂର୍ଣ୍ଣ ଉଲ୍ଲଂଘନ କରୁଛି ବୋଲି ଜଣାପଡିଛି ।
ସରକାର ସ୍ୱଚ୍ଛତା ବଜାୟ ରଖିବା ପାଇଁ ଏବଂ ଜନସାଧାରଣ ସମସ୍ତ ବିଷୟରେ ଅବଗତ ହେବା ପାଇଁ ସରକାରୀ ଅନୁଷ୍ଠାନ ଗୁଡିକୁ ଆର.ଟି.ଆଇ ପରିସରଭୁକ୍ତ କରିଥିବା ବେଳେ ସେବା ସମବାୟ ସମିତି କଣ ରାଜ୍ୟ ସରକାରଙ୍କର ନିୟନ୍ତ୍ରଣ ବାହାରେ ରହୁଛି କି ବୋଲି ପ୍ରଶ୍ନ ହେଉଛି । ସେବା ସମବାୟ ସମିତି ଗୋଟିଏ ସରକାରୀ ସଂସ୍ଥା । ସମ୍ପାଦକ ତଥ୍ୟ ଦେବା ପାଇଁ ଭୟ କରୁଛନ୍ତି କାହିଁକି ତାହା ତଦନ୍ତ ସାପେକ୍ଷ । ଶ୍ରୀ ବେହେରା ସବୁଆଡୁ ହତାଶ ହେବା ପରେ ଏବେ ୨୧.୪.୨୨ରେ ଡି ଆର ସି ଏସ ଖୋର୍ଦ୍ଧାଙ୍କ ନିକଟରେ ଅପିଲ କରି ତଥ୍ୟ ପାଇବା ପାଇଁ ଚାହିଁ ବସିଛନ୍ତି । କିଛି ନ୍ୟସ୍ତସ୍ୱାର୍ଥ ସରକାରୀ କର୍ମଚାରୀଙ୍କ ଯୋଗୁଁ ସରକାର କରୁଥିବା ବହୁ ଯୋଜନାର ସୁଫଳ ଜନସାଧାରଣ ପାଇପାରୁନଥିବା ବେଳେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯିବା ଅତ୍ୟନ୍ତ ପରିତାପର ବିଷୟ ।
Comments are closed.