ବେଗୁନିଆ : ବେଗୁନିଆ ବ୍ଲକ ଶିଶୁବିକାଶ ପ୍ରକଳ୍ପ ର ବିଭିନ୍ନ ସେକ୍ଟରରେ ଥିବା ବହୁ ଅଙ୍ଗନବାଡି କେନ୍ଦ୍ରର ନିଜସ୍ୱ ଗୃହ ନଥିବା ଯୋଗୁଁ କୋମଳମତି ଶିଶୁମାନେ ବିଦ୍ୟାଳୟ ବାରଣ୍ଡାରେ ବସି ପାଠ ପଢିବା ସହିତ ସେହି ବାରଣ୍ଡାରେ ପିଲାମାନେ ବସି ଖାଉଛନ୍ତି ।ଏପରିକି ଏହି ଶିଶୁମାନଙ୍କ ପାଇଁ ସରକାର ପ୍ରଣୟନ କରୁଥିବା ବିଭିନ୍ନ ତାଲିମ କାର୍ୟ୍ୟକ୍ରମ ଠାରୁ ଆରମ୍ଭ କରି ସଭା ସମିତି ମଧ୍ୟ ସେହି ବାରଣ୍ଡାରେ ଅନୁଷ୍ଠିତ ହେଉଛି ।ଫଳରେ ଏହାର କୁପ୍ରଭାଵ କୋମଳମତି ଶିଶୁମାନଙ୍କ ଉପରେ ପଡୁଛି ।ଏମିତିବି ଅନେକ ଅଙ୍ଗନବାଡିକେନ୍ଦ୍ରର ନୂତନ ଗୃହ ନିର୍ମାଣ କରାଯାଇ ବର୍ଷ ବର୍ଷ ଧରି ପ୍ରଶାସନିକ ଅବହେଳା ଯୋଗୁଁ ସେଗୁଡିକ ବ୍ୟବହାର ନହୋଇ ଅସମ୍ପୂର୍ଣ୍ଣ ଅବସ୍ଥାରେ ପଡି ରହିଛି ବୋଲି ଅଭିଯୋଗ ହୋଇଛି। ଦେଉଳି ପଞ୍ଚାୟତ ଅନ୍ତର୍ଗତ ସାମନ୍ତରାପୁର ଗ୍ରାମରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ ଡଙ୍ଗରପଡ଼ା ,ସାମନ୍ତରାପୁର ପରିସର ମଧ୍ୟରେ କାର୍ୟ୍ୟକରୁଥିବା ସାମନ୍ତରାପୁର ଅଙ୍ଗନବାଡି କେନ୍ଦ୍ର ପାଇଁ ଦୀର୍ଘ ୫ ବର୍ଷ ତଳେ ଅଙ୍ଗନବାଡି ଗୃହ ନିର୍ମାଣ କରିବା ପାଇଁ ୫ ଲକ୍ଷ ଟଙ୍କାର ଅନୁଦାନ ଆସିଥିଲା ।ଗୃହଟି ନିମଟାଲ ପତନ କରାଯାଇ ଦୀର୍ଘ ବର୍ଷ ପଡିବା ପରେ ସେଠାରେ ଗଛଲଟା ମାଡି ଜଙ୍ଗଲ ସୃଷ୍ଟି ହୋଇଥିଲା ।ପରେ ଉଚ୍ଚ କର୍ତ୍ତୃପକ୍ଷ ଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଗୃହଟିର ନିର୍ମାଣ କାର୍ୟ୍ୟ ଆରମ୍ଭ ହୋଇ ଗତ ୬ ମାସ ତଳେ ଶେଷ ହୋଇଛି ।ଉକ୍ତ ଗୃହ କାର୍ୟ୍ୟ ସମ୍ପୂର୍ଣ୍ଣ ହୋଇଥିଲେ ମଧ୍ୟ ପାଇଖାନା ଏବଂ ପାଣି ଟାଙ୍କି ନିର୍ମାଣ କରାଯାଇନାହିଁ । ପାଣି ଟାଙ୍କି ନିର୍ମାଣ ହୋଇନଥିବା ବେଳେ ବିଦ୍ୟୁତ ସଂଯୋଗ ମଧ୍ୟ ହୋଇନାହିଁ । ଘରଟି ସମ୍ପୂର୍ଣ କାର୍ୟ୍ୟ କରି ହସ୍ତାନ୍ତର କରାଯାଉ ନାହିଁ ।ଫଳରେ କୋମଳମତି ଶିଶୁମାନେ ସରକାର ଯୋଗାଇ ଦେଉଥିବା ସମସ୍ତ ସୁବିଧା ସୁଯୋଗରୁ ବଞ୍ଚିତ ହୋଇ ବାରଣ୍ଡାରେ ସମସ୍ତ କାର୍ୟ୍ୟ କରୁଛନ୍ତି ।
Popular Categories



