ବେଗୁନିଆ : ବେଗୁନିଆ ବ୍ଲକର ସିକୋ ,ଶଗଡ଼ଭଙ୍ଗା,ହୀରାପୁର ଏବଂ ହଜ ପଞ୍ଚାୟତର ବିଭିନ୍ନ ଅଂଚଳରେ ଧାନ ବିଲରେ ଚକଡ଼ା ପୋକ ଲାଗି ଏକର ଏକର ଧାନ ଫସଲ ନଷ୍ଟ ହେଉଛି । ଅମଳ ପୂର୍ବରୁ ଚକଡ଼ା ଏବେ ଚାଷୀମାନଙ୍କ ପାଇଁ ଚଡକ ସାଜିଛି । ଧାନ ବିଲରେ ଧାନ ଗଛର କେଉଁଠି ମଥା ନଇଁଲାଣି ତ କେଉଁଠି କ୍ଷୀର ଢ଼ୋକିବା ଅବସ୍ଥାରେ । ଏହି ସମୟରେ ଚକଡ଼ା ପୋକ ଲାଗିବାରୁ ଧାନ ଗୁଡିକ ଅଗାଡ଼ି ହୋଇଯାଉଛି । ଗୋଟିଏ ଜମିରୁ ଆଉ ଗୋଟିଏ ଜମିକୁ ଏହି ପୋକ ବ୍ୟାପିବାରେ ଲାଗିଛନ୍ତି । ଚାଷୀମାନେ ଚଳିତ ବର୍ଷ ବର୍ଷା ଅଭାବରୁ ବହୁ କଷ୍ଟରେ ଧାର କରଜ କରି ଚାଷ କରିଥିଲେ ।
ଏବେ ଚକଡ଼ା ପୋକ ଦାଉ ସାଧିବାରୁ ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛି । ଚାଷୀମାନେ କୃଷି କର୍ମଚାରୀଙ୍କ ଅନୁପସ୍ଥିତିରେ ଆବଶ୍ୟକୀୟ ପରାମର୍ଶ ପାଇ ପାରୁନାହାନ୍ତି । ଗତ ୯ ତାରିଖ ସମାଜରେ ଏ ସଂକ୍ରାନ୍ତରେ ଚକଡ଼ା ପୋକ ଯୋଗୁ ଚିନ୍ତାରେ ଚାଷୀ ଖବର ପ୍ରକାଶ ପାଇବା ପରେ ଆଜି ବେଗୁନିଆ ବ୍ଲକ କୃଷି ଅଧିକାରୀ ଗଣେଶ୍ୱର ରଥ ,ଓଭରସିୟର ଶ୍ୟାମସୁନ୍ଦର ବେହେରା ,ଗ୍ରାମ୍ୟ କୃଷି କର୍ମଚାରୀ ଇଶାନ ଚନ୍ଦ୍ର ନାୟକ ଏବଂ କୃଷକ ସାଥି ଦାଶରଥୀ ନରେନ୍ଦ୍ର ପ୍ରମୁଖ ଚକଡ଼ା ପୋକ ଲାଗିଥିବା ବିଭିନ୍ନ କ୍ଷେତ୍ର ପରିଦର୍ଶନ କରି କୃଷକମାନଙ୍କୁ କ୍ଷେତରେ କୁକୁଡ଼ା ଖତ ୟୁରିଆ ସାର ବ୍ୟବହାର ନକରିବା ପାଇଁ ବାରଣ କରିଥିଲେ ।ଜମିର ଧାନ ଗଛ ଗୁଡିକ ଦୁଇ ଫୁଟରେ କନ୍ଦି କରିବା ସହିତ ଆବଶ୍ୟକୀୟ ଔଷଧ ପ୍ରୟୋଗ କରିବା ପାଇଁ ପରାମର୍ଶ ଦେବା ସହିତ ଏ ସଂକ୍ରାନ୍ତରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ଚାଷୀ ମାନଙ୍କୁ କହିଥିଲେ ।
ଚକଡ଼ା ପୋକ ଯୋଗୁଁ ଚାଷୀ ମୁଣ୍ଡରେ ଚଡକ
Popular Categories



