ନିର୍ବାଚନ ପୂର୍ବରୁ ଅପରାଧୀଙ୍କ ଉପରେ କଡା ନଜର ରଖିଛି ପୁଲିସ୍
ଛତ୍ରପୁର : ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପୁଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଦାଗୀ ଅପରାଧି ସହ ବିଭିନ୍ନ ଅପରାଧିମାନଙ୍କ ଉପରେ ସ୍ୱତନ୍ତ୍ର ଦୃଷ୍ଟିପାଇଁ ସମସ୍ତ ଥାନା ଅଧିକାରୀମାନଙ୍କୁ ଗଞ୍ଜାମ ଏସପି ଜଗମୋହନ ମୀନା ନିର୍ଦ୍ଦେଶ ଦେଇଛନ୍ତି । ଆଗକୁ ନିର୍ବାଚନ ଆସୁଥିବାରୁ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ରାଜନୈତିକ ବାତାବରଣ ବେଶ୍ ସରଗରମ ହୋଇଉଠିଛି । ତେବେ ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା ଓ ଅବାଧ ନିର୍ବାଚନ ଗଞ୍ଜାମ ପୁଲିସ ପାଇଁ ଏବେ ବଡ ଚ୍ୟାଲେଞ୍ଜ୍ ବୋଲି ଗଞ୍ଜାମ ଏସ୍.ପି. ଜଗମୋହନ ମିନା କହିଛନ୍ତି । ଜାନୁଆରୀ ମାସରୁ ଏବେ ସୁଦ୍ଧା ଜିଲ୍ଲାର ୩୧୯୪ ଜଣ ବିଶୃଙ୍ଖଳକାରୀଙ୍କୁ ଚିହ୍ନଟ କରାଯାଇଛି । ଆଗୁଆ ପଦକ୍ଷେପ ଗ୍ରହଣ ସ୍ୱରୂପ, ସେମାନଙ୍କୁ ବିଭିନ୍ନ ଥାନା ଅଧିକାରୀଙ୍କ ତରଫରୁ ୧୦୭ ଓ ୧୧୦ ସିଆରପିସି ନୋଟିସ୍ ଜାରି କରାଯାଇଛି । ଯଦି ସେମାନେ କୈାଣସି ବିଶୃଙ୍ଖଳା ସୃଷ୍ଟି କରିବେ ସେମାନଙ୍କ ଉପରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ଲାଇସେନ୍ସ୍ ବନ୍ଧୁକ ରଖିଥିବା ବ୍ୟକ୍ତିମାନଙ୍କୁ ସେମାନଙ୍କ ବନ୍ଧୁକ ଜମା କରିବା ପାଇଁ କୁହାଯିବ । ଗଞ୍ଜାମ ପୁଲିସ ଜିଲାର ୩ ଜଣ ପେଶାଦାର ଅପରାଧି ଉପରେ ଜାତୀୟ ସୁରକ୍ଷା ଆଇନ ଲଗାଇଛି। ସେମାନେ ହେଲେ ଆସିକା ଥାନା ଅଧିନ ନୂଆଗାଁ ଗ୍ରାମର ସୁନିଲ ନାୟକ , ପୋଲସରା ଥାନା ଅଧିନ ପାଟଣାପଦର ସାହିର ଯଜ୍ଞ ପ୍ରଧାନ ଓ ବରଗଡ ଥାନା ଅଧିନ ଗଙ୍ଗାପୁର ଗାଁର ଗୁରୁ ପ୍ରସାଦ ସ୍ୱାଇଁ । ସୁନିଲ ଓ ଯଜ୍ଞ ନାଁରେ ବିଭିନ୍ନ ଥାନା ଅଞ୍ଚଳରେ ୮ଟି ଅପରାଧିକ ମାମଲା ଥିବାବେଳେ ଗୁରୁ ନାଁରେ ୩ଟି ଅପରାଧିକ ମାମଲା ରହିଛି ସୂଚନା ମିଳିଛି।
Comments are closed.