www.samajalive.in
Tuesday, December 9, 2025
15.1 C
Bhubaneswar

ମହୁମାଛିର କୌଶଳ : ନବନିର୍ମାଣରେ ସମର୍ପିତ ଭାବନା ଅପରିହାର୍ଯ୍ୟ

ପ୍ରେରଣାଦାୟକ ଓ ଶିକ୍ଷଣୀୟ ଅନେକ ଉଦାହରଣ/ଲଘୁକଥା ମଧ୍ୟରୁ ମହୁମାଛିର ଧୈର୍ଯ୍ୟ ଓ ତ୍ୟାଗ ସମ୍ବନ୍ଧୀୟ କାହାଣୀଟି ଏହିପରି – ଥରେ କେହି ଜଣେ ଏକ ମହୁମାଛିକୁ ପଚାରିଲେ, ‘ତୁମେ ଏତେ କଷ୍ଟ କରି ମହୁ ସଂଗ୍ରହ କରୁଛ, ଅଥଚ ମଣିଷମାନେ ତାହା ଆତ୍ମସାତ୍‍ କରି ନେଉଛନ୍ତି। ଏହା ନିରନ୍ତର ଘଟି ଚାଲିଛି। ତୁମେ ଯାହା ସଞ୍ଚିବାକୁ ଯାଉଛ ତାହା ଆଗାମୀ କାଲି ମଣିଷ ପୁଣି ନେଇଯିବ – ଏହା ଜାଣି ମଧ୍ୟ ତୁମେ କ୍ଷାନ୍ତ ହେଉ ନାହିଁ କାହିଁକି?’ ମହୁମାଛିର ଉତ୍ତର ଥିଲା, ‘ଆମେ ସଂଗ୍ରହ ଓ ସଞ୍ଚୟ କରୁଥିବା ମହୁ ମଣିଷ ନେଇଯାଇପାରେ, କିନ୍ତୁ ମହୁ ସଂଗ୍ରହର କୌଶଳ ଆମଠାରୁ କଦାପି ନେଇପାରିବ ନାହିଁ। ଏହା ହିଁ ଆମକୁ ମଣିଷଠାରୁ ଭିନ୍ନ ଓ ଶ୍ରେଷ୍ଠ କରି ଗଢ଼ିଛି ଏବଂ ଆମକୁ ପ୍ରତି ମୁହୂର୍ତ୍ତରେ ଆମ କର୍ମ ପାଇଁ ପ୍ରେରଣା ଦେଇ ଚାଲିଛି।’ ଜଗତୀକରଣ ଓ ଦ୍ରୁତ ଶିଳ୍ପାୟନ ଏବଂ ସେଥିରେ ଚୀନର ଭୂମିକାକୁ ବିଶ୍ଲେଷଣ କଲେ ଉପରୋକ୍ତ ଉଦାହରଣ ପ୍ରାସଙ୍ଗିକ ମନେ ହୁଏ।

କୋଭିଡ୍‍ – ୧୯ ମହାମାରୀ ପରବର୍ତ୍ତୀ ସମୟରେ ଚୀନ୍‍ରୁ ମୁହଁ ଫେରାଇ ନେଉଥିବା ଶିଳ୍ପପତି, ବ୍ୟବସାୟୀ ଓ ନିବେଶକଙ୍କୁ ଆକୃଷ୍ଟ କରିବା ଲାଗି ବିଭିନ୍ନ ଦେଶ ଉଦ୍ୟମ ଆରମ୍ଭ କରିଛନ୍ତି। ଆଉ ଦୁଇ ପାଦ ଆଗକୁ ଯାଇ ଚୀନ୍‍ ଫେରନ୍ତା ଶିଳ୍ପପତିମାନଙ୍କୁ ଅନ୍ୟ ଦେଶରୁ ଛଡ଼ାଇ ଆଣିବା ଲାଗି ଆମେରିକା ସ୍ୱତନ୍ତ୍ର ନୀତି ଘୋଷଣା କରିସାରିଛି। ସୁଯୋଗର ସଦୁପଯୋଗ ପାଇଁ ଭାରତ ସରକାରଙ୍କ ପକ୍ଷରୁ ମଧ୍ୟ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇସାରିଛି। କେତେକ ରାଜ୍ୟ ଶିଳ୍ପ ଯୋଜନାକୁ ପୁନର୍ଗଠିତ ଓ ଲକ୍ଷ୍ୟକୁ ପରିବର୍ଦ୍ଧିତ କରି ତଦନୁଯାୟୀ ଲ୍ୟାଣ୍ଡ ବ୍ୟାଙ୍କ, ଆନୁଷଙ୍ଗିକ ଭିତ୍ତିଭୂମି, ଆର୍ଥିକ ସହାୟତା ଓ ଅନ୍ୟାନ୍ୟ ସୁବିଧାସୁଯୋଗ ପ୍ରକ୍ରିୟା ତ୍ୱରାନ୍ୱିତ କରିଛନ୍ତି। ଏପରିକି କେତେକ ରାଜ୍ୟ ଚୀନ୍‍ ଅନୁରୂପ ଶ୍ରମ ନୀତିକୁ କୋହଳ ଓ ଉଚ୍ଛେଦ ଘୋଷଣା କରିଛନ୍ତି। କେନ୍ଦ୍ର ସରକାରଙ୍କ ସଦ୍ୟ ଘୋଷିତ ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍‍ ମଧ୍ୟ ଏ ଦିଗରେ ଅନୁପ୍ରେରିତ ବୋଲି ବୁଝାପଡ଼ୁଛି।
ଏ ସବୁ ସତ୍ତ୍ବେ ଭାରତରେ ଶିଳ୍ପାୟନ ଦିଗରେ ମୁଖ୍ୟ ପ୍ରତିବନ୍ଧକ ହେଉଛି ପ୍ରଶାସନିକ ଓ ବ୍ୟବସ୍ଥାଗତ ପ୍ରତିବନ୍ଧକ। ଜମି ଅଧିଗ୍ରହଣ ସମସ୍ୟା ହେତୁ ପୋସ୍କୋ, ଆର୍ସେଲର ମିତ୍ତଲ ଭଳି ବହୁ ବିଦେଶୀ କମ୍ପାନୀ ଭାରତ ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି। ସେହିପରି ବୁଲେଟ୍‍ ଟ୍ରେନ୍‍ ପ୍ରକଳ୍ପର ସମାନ୍ତରାଳ ଭାବେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ‘ଟ୍ରେନ୍‍ ୧୮’ର ଭାଗ୍ୟ ଓ ଫଳାଫଳକୁ ଆମର ଅସୁରକ୍ଷିତ ମାନସିକତାର ଉଦାହରଣ ରୂପେ ନିଆଯାଇପାରେ। ଏହି ପ୍ରକଳ୍ପକୁ ‘ମେକ୍‍ ଇନ୍‍ ଇଣ୍ଡିଆ’ର ଏକ ସାର୍ଥକ ଓ ସଫଳ ଅଭିଯାନ ରୂପେ ଅଭିହିତ କରାଯାଇଥିଲା, କିନ୍ତୁ ତା’ ପରେପରେ ଆମ ଗତାନୁଗତିକ ପ୍ରଶାସନିକ ବିଧିବ୍ୟବସ୍ଥାରେ ଖାପ୍‍ ଖାଇ ନ ପାରିବାରୁ ପ୍ରକଳ୍ପର ବାକି ପର୍ଯ୍ୟାୟକୁ ଅଧାରୁ ବାତିଲ୍‍ କରି ବିଶ୍ୱସ୍ତରୀୟ ଟେଣ୍ଡର ଆହ୍ୱାନ କରିବାକୁ ନିଷ୍ପତ୍ତି ନିଆଗଲା। ଭାରତୀୟଙ୍କ ଦକ୍ଷତାକୁ ଉପହାସର ଏହାଠାରୁ ବଡ଼ ଉଦାହରଣ ଆଉ କ’ଣ ହୋଇପାରେ ? ଏଭଳି ଉଦାହରଣ ଅନେକ ରହିଛି। ବ୍ୟବସ୍ଥାଗତ ପ୍ରତିବନ୍ଧକ ନ ହଟିବା ଓ ରୂଢ଼ିବାଦୀ ମାନସିକତା ଦୂର ନ ହେବା ପର୍ଯ୍ୟନ୍ତ ଭାରତକୁ ଶିଳ୍ପ ପେଣ୍ଠ କରିବାର ଲକ୍ଷ୍ୟ ପୂରଣ ହେବା ସମ୍ଭାବନା ବହୁତ କମ୍‍।

- Advertisement -

ଏହା ଅସ୍ୱୀକାର କରାଯାଇପାରିବ ନାହିଁ ଯେ ଭାରତ ଏକ ବିଶାଳ ଯୁବଶକ୍ତିର ଦେଶ। ସେମାନଙ୍କ ନିକଟରେ ବିଶ୍ୱକୁ ପରିବର୍ତ୍ତନ କରିବାର ଦକ୍ଷତା ଅଛି। ଏଥିସହିତ ଏହା ମଧ୍ୟ ସ୍ୱୀକାର କରିବାକୁ ପଡ଼ୁଛି ଯେ ଏତେ ଦକ୍ଷତା ସତ୍ତ୍ବେ ସେମାନଙ୍କ ପାଖରେ ଗତାନୁଗତିକ ଧାରାର ପରିବର୍ତ୍ତନ ଓ ନବସୃଜନ ମାନସିକତାର ଘୋର ଅଭାବ ପରିଲକ୍ଷିତ ହେଉଛି। ଅପରପକ୍ଷରେ ଦକ୍ଷତା, କର୍ମକୁଶଳତା ଓ ଶ୍ରମ ସହିତ ସମର୍ପିତ ଭାବନା ଓ ଅଗ୍ରଣୀ ହେବାର ଚେତନା ହିଁ ଚୀନବାସୀଙ୍କୁ ବିଶ୍ୱରେ ଅନନ୍ୟ ପରିଚୟ ପ୍ରଦାନ କରିଛି। ବିଶ୍ୱବାସୀ କୌଣସି ବିଷୟରେ ଚିନ୍ତା କରିବା ପୂର୍ବରୁ ଚୀନ୍‍ବାସୀ ତାହା କାର୍ଯ୍ୟରେ ପରିଣତ କରିପାରୁଛନ୍ତି। ଭାରତକୁ ବିଶ୍ୱର ଶିଳ୍ପ ଓ ବ୍ୟାବସାୟିକ ପେଣ୍ଠରେ ପରିଣତ କରିବାକୁ ହେଲେ ଚୀନ୍‍ବାସୀଙ୍କଠାରୁ ମହୁମାଛିର ସେହି କୌଶଳ ହାସଲ କରିବାକୁ ପଡ଼ିବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories