mission shakti banner

ଆୟ ଓ ଆନନ୍ଦ ଦେଉଛି ମହୁ ଚାଷ

nua o banner

ଭଣ୍ଡାରିପୋଖରୀ: ପୂଜାବିଧି ହେଉ ଅବା ପର୍ବପର୍ବାଣୀ ଏପରିକି ସଂସ୍କାର ଓ ଔଷଧିୟ କାର୍ଯ୍ୟ ପାଇଁ ବ୍ୟବହୃତ ହୁଏ ମହୁ। ଆୟୁର୍ବେଦୀୟ ଔଷଧ ଭାବେ ମହୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ସ୍ୱାଦ ଓ ସ୍ୱାସ୍ଥ୍ୟ ପାଇଁ ଆବଶ୍ୟକ ମହୁର ଯଥେଷ୍ଟ ବଜାର ଚାହିଦା ରହିଛି। ତେଣୁ ମଞ୍ଜୁରୀରୋଡର ଦାମୋଦର ମିଶ୍ର ହୁଅନ୍ତୁ ଅବା ଭଣ୍ଡାରିପୋଖରୀର ବିପଦବନ୍ଧୁ ମହାପାତ୍ର, ବଟକୃଷ୍ଣ ସାହୁ, ନଗୁଆଁର ଶଶିକାନ୍ତ ଦତ୍ତ, ବୟାବନାପୁରର ମୁରଲିଧର ପଣ୍ଡାଙ୍କ ପରି ଅନେକ ମହୁ ଚାଷ କରି ପାଆନ୍ତି ଆନନ୍ଦ ଓ ଆୟ। ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଆବଶ୍ୟକୀୟ ଉତ୍ସାହ ଓ ସହଯୋଗ ମିଳିଲେ ମହୁ ଚାଷ ସ୍ଥାନୀୟ ଅଞ୍ଚଳରେ ଅଧିକ ପ୍ରସାର ହୋଇପାରନ୍ତା ବୋଲି ଚାଷୀ ମତବ୍ୟକ୍ତ କରିଛନ୍ତି।

ମହୁ ଚାଷ ପାଇଁ ବେଶୀ କିଛି ମୂଳଧନ ଆବଶ୍ୟକ ନାହିଁ। ଉପକରଣ ଭାବେ ଆବଶ୍ୟକ ଗୋଟିଏ ଷ୍ଟାଣ୍ଡ ଥିବା ଛୋଟିଆ ବାକ୍ସ ଓ ପ୍ରାୟ ଦଶଟି ଷ୍ଟାଣ୍ଡ ଥିବା ସାମାନ୍ୟ ବଡ଼ ବାକ୍ସ ଆଉ ମହୁମାଛି ଦଳ। ଏସବୁର ଦାମ ପ୍ରାୟ ପନ୍ଦର ହଜାର ଟଙ୍କା। ମୁଖ୍ୟତଃ ଦେଖାଯାଉଥିବା ଜଙ୍ଗଲି ମହୁମାଛି ଦଳ ଓ ଚାଷଯୋଗ୍ୟ ମହୁମାଛି ଦଳ ମଧ୍ୟରୁ ଚାଷଯୋଗ୍ୟ ଦଳ ଚାଷ ପାଇଁ ଆବଶ୍ୟକ। ମହୁ ବାକ୍ସଗୁଡ଼ିକ ବର୍ଷା ବା ଅନ୍ୟ ପାଣିରୁ ସୁରକ୍ଷିତ ହୋଇ ସୂର୍ଯ୍ୟକିରଣ ଓ ଆଲୋକ ଠାରୁ ଦୂରରେ ରହିବା ଆବଶ୍ୟକ। ଛୋଟ ବାକ୍ସରେ ମହୁମାଛି (ନିଉ କ୍ଲନିକ ଦଳ) ରଖାଯାଇ ବଂଶବୃଦ୍ଧି ପାଇଁ ପ୍ରଯତ୍ନ କରାଗଲା ପରେ ବଡ଼ ବାକ୍ସରେ ମହୁମାଛି ରଖାଯାଇ ଚାଷ ଆରମ୍ଭ କରାଯାଇପାରିବ। ଗୋଟିଏ ମହୁ ମାଛି ଦଳରେ ଗୋଟିଏ ରାଣୀମହୁମାଛି, ଅଳ୍ପ ସଂଖ୍ୟକ ଅଣ୍ଡିରା ମାଛି ଓ ଦୁଇରୁ ତିନି ହଜାର କର୍ମୀ ମାଛି ରହିଥାନ୍ତି। ପ୍ରକୃତିର ବିସ୍ମୟଭାବେ ମହୁମାଛି ନିଜ ଇଚ୍ଛା ଅନୁଯାୟୀ ଅଣ୍ଡା ଦିଅନ୍ତି, ଛୁଆ ଫୁଟାନ୍ତି ଓ ଏକାବେଳେକେ ଆଗକୁ, ପଛକୁ ଉଡ଼ିପାରିବା ସହ ସିଧା, ତେରଛା ଓ ପଛକୁ ଦେଖିପାରନ୍ତି। ରାଣୀ ମହୁମାଛି ସଂଗ୍ରହ କରିବା ଓ ଚାଷ ବାକ୍ସରେ ରଖିବା ହେଉଛି ମହୁ ଚାଷର ବିଶେଷତ୍ୱ। ମୁଖ୍ୟତଃ ନଭେମ୍ବର ମାସରୁ ମହୁ ଉତ୍ପାଦନ ଆରମ୍ଭ ହୋଇ ମେ ମାସ ଯାଏ ଚାଲିଥାଏ। କେବଳ ଫୁଲରୁ ହିଁ ମାଛି ମହୁ ସଂଗ୍ରହ କରିଥାନ୍ତି। ୟୁକାଲିପଟାସ ଗଛର ଫୁଲରୁ ସିଜିନ ଆରମ୍ଭ ହୁଏ। ଏହି ଫୁଲରୁ ସଂଗୃହିତ ମହୁ ସ୍ୱାଦିଷ୍ଟ, ଭିନ୍ନ ଓ ଔଷଧିୟ ଉପଯୋଗିତା ସର୍ବାଧିକ ବୋଲି କହନ୍ତି ଚାଷୀ ଶ୍ରୀ ସାହୁ। ପରେ ଆମ୍ବ, ତେନ୍ତୁଳି, କରଞ୍ଜ, ସୋରିସ, ଧନିଆ, ଅଳସୀ, ରାଶି ଆଦି ଫୁଲ ଆସିଯାଏ ପର୍ଯ୍ୟାୟ କ୍ରମେ ମହୁମାଛିଙ୍କ ପାଇଁ। କେଉଁ ଫୁଲରୁ ମହୁ ସଂଗ୍ରହ କରାଯାଇପାରିବ ଓ ସେଗୁଡ଼ିକ କେଉଁ ଦିଗରେ ଓ କେତେ ଦୂରରେ ଅଛି କର୍ମୀ ମାଛିମାନେ ତଥ୍ୟ ସଂଗ୍ରହ କରି ରାଣୀ ମହୁମାଛିକୁ ଜଣାଇବା ପରେ ନିର୍ଦେଶ ପାଇଁ କର୍ମୀ ମହୁମାଛି ମହୁ ସଂଗ୍ରହ କରି ମହୁ ଫେଣାରେ ଆଣି ସାଇତି ରଖନ୍ତି। ବର୍ଷା ଦିନେ ଯାହା କିଛି ମହୁ ସଂଗ୍ରହ ହୋଇଥାଏ ତାହା ବେକଳ ମାଛିଙ୍କ ବଞ୍ଚିବା ପାଇଁ ଓ ଫେଣାଗଢ଼ିବା ପାଇଁ ଉପଯୋଗ ହୋଇଥାଏ। ମହୁମାଛି ଏକରୁ ଦୁଇ କିଲୋମିଟର ବ୍ୟାସାର୍ଦ୍ଧ ପର୍ଯ୍ୟନ୍ତ ଦୂରତାକୁ ଯାଇ ମହୁ ସଂଗ୍ରହ କରିପାରନ୍ତି। ଏପରିକି ଖରାଦିନେ ଝଡ଼ତୋଫାନ ପୂର୍ବ ସୂଚନା ପାଇ ବୈଜ୍ଞାନିକ ଭାବେ ପରିଚିତ ମହୁମାଛି ଫେରିଆସନ୍ତି ବାକ୍ସ ଭିତରକୁ।

ମହୁଚାଷ ପାଇଁ ସରକାରୀ ଯୋଜନା ଅନୁଯାୟୀ; ଶତକଡା ୪୦ ଭାଗ ଅର୍ଥ ପ୍ରୋତ୍ସାହନ ରାଶିର ବ୍ୟବସ୍ଥା ରହିଛି। ଚଳିତ ବର୍ଷ ଭଣ୍ଡାରିପୋଖରୀ ବ୍ଲକରେ ୫୫ ମହୁଚାଷ ବାକ୍ସ କୃଷି ଉଦ୍ୟାନ ପକ୍ଷରୁ ଯୋଗାଇ ଦିଆଯାଇଥିବା ସ୍ଥାନୀୟ ଉଦ୍ୟାନ ଅଧିକାରୀ ବିଜୟ ମହାନ୍ତିଙ୍କ ସୂତ୍ରରୁ ପ୍ରକାଶ। ତେବେ ଚାଷୀଙ୍କୁ ମହୁ ଚାଷ ପ୍ରତି ଅଧିକ ଆକୃଷ୍ଟ କରିବା ପାଇଁ ବିଭାଗ ପକ୍ଷରୁ ଅଧିକ ତତ୍ପରତାର ଆବଶ୍ୟକତା ରହିଛି। ନଗୁଆଁ ବାଲିଗଡ଼ିଆ ଗ୍ରାମର ମହୁ ଚାଷୀ ଶଶିକାନ୍ତ ଦତ୍ତ ଏବେ ୧୦୦ଟି ବାକ୍ସ ବସାଇ ବାର୍ଷିକ ପ୍ରାୟ ଦେଢ଼ଲକ୍ଷ ଟଙ୍କା ଆୟ କରୁଥିବା କହିଛନ୍ତି। ୨୦୦୮ ମସିହାରେ ତାଲିମ ନେବା ପରେ ସେ ମହୁ ଚାଷ ପ୍ରତି ଆକୃଷ୍ଟ ହୋଇ ଏହାକୁ ନିଜ ଉପାର୍ଜ୍ଜନର ମାଧ୍ୟମ ଭାବେ ଆଦରି ନେଇଛନ୍ତି। ଏଥିରୁ ସେ ଆନନ୍ଦ ପାଉଥିବା କହିଛନ୍ତି।

Comments are closed.