www.samajalive.in
Monday, December 15, 2025
16.1 C
Bhubaneswar

ମୁଖ୍ୟ ରାସ୍ତା ମରଣଯନ୍ତା: ଏପଟେ ସୁରକ୍ଷା ଅଭିଯାନ, ସେପଟେ ଅସୁରକ୍ଷିତ ଜୀବନ

ଉତ୍ତରଭୁବନେଶ୍ୱର : ଏବେ ଚାଲିଛି ସଡ଼କ ସୁରକ୍ଷା ସଚେତନତା ଅଭିଯାନ। ଏହା ମାସେ ଧରି ଚାଲିବାକୁ ଥିବା ବେଳେ ବିଭିନ୍ନ ସ୍ଥାନରେ ସଭା ଓ ସଚେତନତା କରାଯାଉଛି। ପ୍ରତିବର୍ଷ ଏମିତି ସଡ଼କ ସୁରକ୍ଷା ଅଭିଯାନ ଚାଲି ଆସୁଥିବା ବେଳେ ଜୀବନ କିନ୍ତୁ ଅସୁରକ୍ଷିତ ହେଉଛି। ଭିତ୍ତିଭୂମି ଅସଜଡ଼ା ଥିବାବେଳେ ସଡ଼କ ସୁରକ୍ଷା କଥା କେତେ ପ୍ରଯୋଜ୍ୟ ତାହାହିଁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଅଭିଯୋଗ ଅନୁସାରେ କଟକ-ଭୁବନେଶ୍ୱର ୧୬ନଂ ଜାତୀୟ ରାଜପଥର ପଳାଶୁଣିରୁ ରସୁଲଗଡ଼ ଛକ ପର୍ୟ୍ୟନ୍ତ ରାସ୍ତା ଶୋଚନୀୟ ହୋଇ ପଡ଼ିଛି। ଏହି ସର୍ଭିସ୍‌ ରାସ୍ତାଟି ବିଗତ ୫ବର୍ଷ ତଳୁ ନିର୍ମାଣ ହେବା କଥା, କିନ୍ତୁ ହୋଇ ପାରିନଥିବା ଅଭିଯୋଗ ହୋଇଛି। ବିଶେଷକରି ଏହି ରାସ୍ତାରେ ଖାଲଖମା, ବାଲି ଜମା, ଅଣଓସାରିଆ ଏବଂ ଡେନ୍‍ ପାଣି ରାସ୍ତା ଉପରକୁ ଆସିବା ଲୋକଙ୍କୁ ଯନ୍ତ୍ରଣା ଦେଉଛି। ଲୋକଙ୍କ କହିବା ଅନୁସାରେ ରାସ୍ତା ତିଆରି ପାଇଁ ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ଗତ ୬ବର୍ଷ ତଳେ ଜମି ଅଧିଗ୍ରହଣ କରାଯାଇ ଫ୍ଲାଏ ଓଭରବ୍ରିଜ୍‍ ନିର୍ମାଣ ହୋଇଥିଲା। ଗତ ୩ବର୍ଷ ତଳୁ ବ୍ରିଜ୍‍ କାର୍ୟ୍ୟକ୍ଷମ ହୋଇଥିବା ବେଳେ ଏବେ ସୁଦ୍ଧା ସର୍ଭିସ ରୋଡ଼ ହୋଇ ପାରିନାହିଁ। ଖାଲ ଖମାରେ ଲୋକେ ପଡ଼ି ଦୁର୍ଘଟଣାଗ୍ରସ୍ତ ହେଉଥିବାବେଳେ ଧନଜୀବନ ହାନି ହେଉଛି। ବିଗତ ବର୍ଷକର ଇତିହାସ ଦେଖିଲେ ଫ୍ଲାଏ ଓଭରବ୍ରିଜ୍‍ ଆରମ୍ଭ ସ୍ଥଳ ତଥା ବ୍ୟାଙ୍କ ସମ୍ମୁଖରେ ରାସ୍ତା ସଙ୍କୁଚିତ, ଖାଲଖମା ପୂର୍ଣ୍ଣ ଏବଂ ବାଲି ଜମିଥିବାରୁ ୨ଟି ମୁଣ୍ଡ ଯାଇଛି।

 

- Advertisement -

ଏ ସବୁ ସତ୍ତ୍ବେ ବିଭାଗ ଚେତୁନାହିଁ। ଏହି ସର୍ଭିସ୍‌ ରାସ୍ତା ପାଇଁ ପୂର୍ବରୁ ଏକାଧିକ ବାର ରାସ୍ତାକୁ ବନ୍ଦ କରି ସ୍ଥାନୀୟ ଲୋକେ ଆନ୍ଦୋଳନ ବି କରିଛନ୍ତି ତଥାପି ଏହା ନିର୍ମାଣ ହେଉନାହିଁ। ଅଧିକ ଦାବି ହେଲେ କେତେବେଳେ କେମିତି ଖାଲରେ ମାଟି କିମ୍ବା ଗୋଡ଼ି ପକାଇ ସମାନ କରି ଦିଆଯାଉଛି। ତେବେ ସଡ଼କ ସୁରକ୍ଷା ଅଭିଯାନ ଚାଲିଥିବା ବେଳେ ଅସୁରକ୍ଷିତ ଜୀବନ ପ୍ରତି ବିଭାଗ ଆଖି ବୁଜି ଦେଇଥିବା କୁହାଯାଉଛି।
ପ୍ରତାପ କୁମାର ରାଉତରାୟ(ପୂର୍ବତନ କର୍ପୋରେଟର): ଜାତୀୟ ରାଜପଥ ପ୍ରାଧିକରଣ ରାସ୍ତା ପ୍ରଶସ୍ତୀକରଣ କାର୍ୟ୍ୟ ୫ବର୍ଷ ତଳେ ଆରମ୍ଭ କରିଥିବା ବେଳେ ଏବେ ସୁଦ୍ଧା ସର୍ଭିସ ରୋଡ଼ ହୋଇ ପାରିନାହିଁ। ରାଜଧାନୀର ପ୍ରବେଶ ପଥରେ ପଳାଶୁଣି ଏବଂ ରସୁଲଗଡ଼ ମୁଖ୍ୟ ରାସ୍ତା ନିର୍ମାଣ ନହେବା ଦୁଃଖର ବିଷୟ।
ଆଶୁତୋଷ ସାମନ୍ତରାୟ(ସମାଜସେବୀ): ବିଭିନ୍ନ ସମୟରେ ଦୁର୍ଘଟଣା ଘଟି ଏହି ରାସ୍ତାରେ ଧନ ଜୀବନ ଯାଉଥିବା ବେଳେ ଏନ୍‌ଏଚ୍‌ଏଆଇ ପକ୍ଷରୁ କୌଣସି ଗୁରୁତ୍ୱ ଦିଆଯାଉନି। ରସୁଲଗଡ଼ ଫ୍ଲାଏ ଓଭରବ୍ରିଜ୍‍ ଆରମ୍ଭ ସ୍ଥଳରେ ରାସ୍ତା ଅଣ ଓସାରିଆ ଏବଂ ଅଧା ରାସ୍ତା ବାଲିରେ ଘୋଡ଼େଇ ହୋଇ ରହିଛି। ସେଠାରେ ଗୋଟିଏ ଅଟୋ ଯିବା ମଧ୍ୟ ସମ୍ଭବ ହେଉନି।
ପ୍ରଭୁଜିତ୍‍ ବେଉରା(ସ୍ଥାନୀୟ ବାସିନ୍ଦା): ରାସ୍ତା ନିର୍ମାଣ ପାଇଁ ଆବଶ୍ୟକ ଜାଗା ରାଜପଥ ପାଇଥିବା​‌େ​‌ବଳେ କାର୍ୟ୍ୟ ନକରି ବେଖାତିର୍‍ ଭାବେ ଦିନ ଗଡ଼ାଇ ଚାଲିଛି। ରାସ୍ତା ଏବଂ ଡ୍ରେନ୍‍ ଦାୟିତ୍ୱ ରାଜପଥ କର୍ତ୍ତୃପକ୍ଷଙ୍କର ହୋଇଥିବାରୁ ବିଏମ୍‌ସି କର୍ଣ୍ଣପାତ କରୁନି।
ଡ. ରାମପ୍ରସାଦ ପଣ୍ଡା(ସିଜିଏମ୍‌, ଏନ୍‌ଏଚ୍‌ଏଆଇ): ଜାଗା ସମସ୍ୟା ଥିବାରୁ କାମ ଆଗେଇ ପାରିନାହିଁ। ତେବେ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବ। କାର୍ୟ୍ୟ ଦାୟିତ୍ୱରେ ଥିବା ଠିକା ସଂସ୍ଥାକୁ ପରାମର୍ଶ ଦିଆଯାଇ କାର୍ୟ୍ୟ କିପରି ହୋଇପାରିବ ସେ ଦିଗରେ ଚେଷ୍ଟା କରାଯିବ।

Hot this week

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

Related Articles

Popular Categories