www.samajalive.in
Wednesday, December 10, 2025
15.1 C
Bhubaneswar

ମହାବାତ୍ୟାକୁ ୨୧ ପୂରିଲା; ଭଙ୍ଗାଘରେ ବିତୁଛି ଜୀବନ

ଉତ୍ତରଭୁବନେଶ୍ୱର: ୧୯୯୯ ମହାବାତ୍ୟାକୁ ଇତିମଧ୍ୟରେ ୨୧ବର୍ଷ ପୂରିଛି। ସେହି ଦିନର କରାଳ ରୂପକୁ ଅଙ୍ଗେ ନିଭେଇଥିବା ବ୍ୟକ୍ତି ବାତ୍ୟା ନାଁ ଶୁଣିଲେ ଶିହରି ଉଠୁଛନ୍ତି। ଆଜି ସେହି ଅକ୍ଟୋବର ୨୯ ଗୁରୁବାର। ଗତ ମହାବାତ୍ୟାରେ ସର୍ବସ୍ୱ ହରାଇ ଜରିପାଲ ତଳେ ୨୦ ବର୍ଷ ଧରି ଜୀବନ କାଟୁଥିବା ଗରିବ ଏବଂ ଭୂମିହୀନଙ୍କ ଅବସ୍ଥା ଏବେବି ପୂର୍ବଭଳି ରହିଛି। ନା ସୁଧୁରିଛି ଆର୍ଥିକ ସ୍ଥିତି, ନା ବଦଳିଛି ଜରିପାଲ ବା ଆଜବେଷ୍ଟସ୍‍ ଘର। କେବଳ ଦୁଃଖରେ ବଞ୍ଚିବା ଏବଂ ସବୁକିଛି ଭଗବାନଙ୍କ ହାତରେ ଟେକିଦେଇଛନ୍ତି ଏମିତି କିଛି ଲୋକ । ଅଦ୍ୟାବଧି ଘର ଖଣ୍ଡେ କରିବାର ସାହସ ଜୁଟାଇ ନଥିବା ବେଳେ ସରକାରଙ୍କ ପ୍ରୋତ୍ସାହନ ଏମାନଙ୍କଠାରୁ ବହୁ ଦୂରରେ ବୋଲି ବିଏମ୍‌ସି ଅଧୀନ ୫ନଂ ୱାର୍ଡ ସମେଇଗଡ଼ିଆ ଶବର ସାହିରୁ ଏପରି ଅଭିଯୋଗ ହୋଇଛି। ସାହିର ୧୨୦ରୁ ଅଧିକ ପରିବାର ମହାବାତ୍ୟାଠାରୁ ଘର ହରାଇ ଜରିପାଲ ତଳେ ଜୀବନ କାଟୁଥିବା କହିଛନ୍ତି। ବାରମ୍ବାର ଦାବି ଅଭିଯୋଗ କରାଯାଇଥିଲେ ମଧ୍ୟ ରାଜୀବ ଆବାସ ଯୋଜନା କିମ୍ବା ଇନ୍ଦିରା ଆବାସ, ବିଜୁ ପକ୍କା ଗୃହ, ପ୍ରଧାନମନ୍ତ୍ରୀ ଆବାସ କିମ୍ବା ମୋ କୁଡ଼ିଆ ଏଠାରେ ସବୁ ଯେମିତି ଅପହଞ୍ଚ । ଏମାନଙ୍କ ଚଳିବା ପାଇଁ ଜାଗା ଖଣ୍ଡେ ନଥିବା ବେଳେ ମୂଲ ଲାଗି ଜୀବନ କାଟୁଛନ୍ତି। ହାତରେ ଝାଟିମାଟି ଘର ଖଣ୍ଡେ ମୁଣ୍ଡ ଗୁଞ୍ଜିବାକୁ ତିଆରି କରି ଜୀବନ କାଟୁଥିବା ବେଳେ ସରକାରଙ୍କ କୌଣସି ଯୋଜନା ଏମାନଙ୍କ ପାଖରେ ଏବେବି ପହଞ୍ଚି ନଥିବା ଗ୍ରାମର କୈଳାଶ ମାଝି, ନରି ନାୟକ, ପ୍ରସନ୍ନ ନାୟକ, କୃଷ୍ଣ ନାୟକ, ଶ୍ରୀନିବାସ ମାଝି, ଲକ୍ଷ୍ମୀଧର ଜେନା, ପ୍ରଭାତ ନାୟକ, ଚିନ୍ତା ନାୟକ, ଦେବ ନାୟକ, ମଞ୍ଜୁଲତା ଜେନା, ବିମଳୀ ନାୟକ, ସୁଷମା ସ୍ୱାଇଁ, କୁନି ବେହେରା, ବିଚିତ୍ର ନାୟକ ପ୍ରମୁଖ ଅଭିଯୋଗ କରିଛନ୍ତି। ୧୦ନଂ, ୧୮ନଂ, ୧୯ନଂ, ୧୨ନଂ, ୧୧ନଂ, ୨ନଂ ଏବଂ ୩୧ନଂ ୱାର୍ଡରେ ଥିବା ଏକାଧିକ ବସ୍ତି ବାସିନ୍ଦା ପୂର୍ବବତ୍‌ ବିଭିନ୍ନ ସମସ୍ୟା ସହ ଯୁଝୁଛନ୍ତି। ଏଠାରେ ଏବେ ସୁଦ୍ଧା ଝୁମ୍ପୁଡ଼ି ଘର ସେମାନଙ୍କ ମୁଣ୍ଡ ଗୁଞ୍ଜିବାର ମୁଖ୍ୟ ମାଧ୍ୟମ ହୋଇଛି। ତେଣୁ ବିଏମ୍‌ସି, ବିଡିଏ କର୍ତ୍ତୃପକ୍ଷ ଏବଂ ସରକାର ଏ ଦିଗରେ ଦୃଷ୍ଟିଦେବା ସହ ସାହିର ପ୍ରତ୍ୟେକ ପରିବାରକୁ ରାଜୀବ ଆବାସ ଯୋଜନାରେ ଗୃହ ଯୋଗାଇ ଦେବାକୁ ଦାବି ହୋଇଛି।ବିଏମ୍‌ସି ଅତିରିକ୍ତ କମିସନର ସୁରଥ ଚନ୍ଦ୍ର ମଲ୍ଲିକ କହିଛନ୍ତି, ସହରାଞ୍ଚଳ ଗୃହ ଯୋଗାଣ ଯୋଜନାରେ ବିଭିନ୍ନ ସାହି ଓ ବସ୍ତିକୁ ସାମିଲ୍‍ କରାଯାଇ ପର୍ଯ୍ୟାୟକ୍ରମେ ସମସ୍ୟା ସମାଧାନ କରାଯାଉଛି। ଏବେ ସୁଦ୍ଧା ଅନେକ ବସ୍ତିରେ ଆବାସ ଯୋଜନାରେ ଗୃହ ଓ ଜାଗା ଯୋଗାଇ ଦିଆ ଗଲାଣି।

ଦୁର୍ଦଶା ଦୂର ନୋହିଲା
୧୯୯୯ ଅକ୍ଟୋବର ୨୯ ମହାବାତ୍ୟାକୁ ୨୧ ବର୍ଷ ପୂରିଲା। ସେ ଦିନର ସେହି ଛାତିଥରା ମହାବାତ୍ୟାର ପ୍ରଳୟରେ ବାଲିପାଟଣା ଅଞ୍ଚଳ ଛାରଖାର ହୋଇଯାଇଥିଲା। ବି‌େ‌ଶଷ କରି ମହାବାତ୍ୟା ପ୍ରଚଣ୍ଡ ପବନରେ ଏହି ଅଞ୍ଚଳର ଅଧିକାଂଶ ବାସଗୃହ ନିଶ୍ଚିହ୍ନ ହୋଇଯାଇଥିଲା। ସେତେବେଳେ ସମସ୍ତ ବାସହରାଙ୍କୁ ଇନ୍ଦିରା ଆବାସ ଯୋଜନାରେ ପକ୍କା ଘର ଯୋଗାଇ ଦିଆଯିବ ବୋଲି ସରକାରୀ ପ୍ରତିଶ୍ରୁତି ମିଳିଥିଲା। ହେଲେ ଏବେବି ଏହି ଅଞ୍ଚଳର ଝୁମ୍ପୁଡ଼ିରେ ନିଜ ପରିବାର ସହ ଅତି ଦୟନୀୟ ଜୀବନ ବିତାଉଥିବା ୫ହଜାର ଗରିବ ଲୋକଙ୍କ ପାଖରେ ଯୋଜନା ପହଞ୍ଚି ପାରିନଥିବା ଗୁରୁତର ଅଭିଯୋଗ ହୋଇଛି। ପ୍ରତିବର୍ଷ ବାତ୍ୟା କିମ୍ବା ବନ୍ୟା ସମୟରେ ଏମାନେ ପ୍ରଶାସନର ମନେ ପଡ଼ନ୍ତି। ଏମାନଙ୍କୁ ଝୁମ୍ପୁଡ଼ି ଘରୁ ନିକଟବର୍ତ୍ତୀ ସ୍କୁଲ ଘର କିମ୍ବା ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଏ। ବାତ୍ୟା, ବନ୍ୟା ସରିଲେ ସେମାନେ ପୁନଶ୍ଚ ଉଜୁଡ଼ା ଝୁମ୍ପୁଡ଼ି ସଜାଡ଼ି ମୁଣ୍ଡ ଗୁଞ୍ଜନ୍ତି। ଏହି ଗରିବ ଅସହାୟ ଝୁମ୍ପୁଡ଼ି ବାସିନ୍ଦାଙ୍କ ଦୁର୍ଦଶା କେବେ ହଟିବ ତାହା ସମୟ କହିବ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories