ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ପିଜି କାଉନସିଲ ପକ୍ଷରୁ ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ବସନ୍ତ କୁମାର ମଲ୍ଲିକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। କାର୍ଯ୍ୟକ୍ରମରେ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଥିଲେ , ଅବସର ଗ୍ରହଣ ପରେ ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟସୂଚୀ ପ୍ରସ୍ତୁତ ସହ ସେହି ଅନୁଯାୟୀ ନିଜେ କାର୍ଯ୍ୟ କରିବା ଦରକାର। ସେମାନଙ୍କ ଅଭିଜ୍ଞତା ଓ ଦକ୍ଷତା ସମାଜର ହିତରେ ବ୍ୟବହାର କରାଯାଇପାରିବ। ତେଣୁ ସେବାନିବୃତ କର୍ମଚାରୀମାନେ ସମାଜରେ ମାର୍ଗଦର୍ଶକ ଭାବେ କାର୍ଯ୍ୟ କରିବା ଆବଶ୍ୟକ ବୋଲି କୁଳପତି ପ୍ରଫେସର ଆଚାର୍ଯ୍ୟ ପ୍ରକାଶ କରିଥିଲେ।
ଏହି ଅବସରରେ ପିଜି କାଉନସିଲର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ମଲ୍ଲିକଙ୍କୁ ବିଦାୟକାଳନୀ ସମ୍ବର୍ଦ୍ଧନା ଦିଆଯାଇଥିବାବେଳେ ନୂତନ ଅଧ୍ୟକ୍ଷ ପ୍ରଫେସର ଦୁର୍ଗାଶଙ୍କର ପଟ୍ଟନାୟକଙ୍କୁ ସ୍ୱାଗତ କରାଯାଇଛି। ନୂତନ ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ଦୁର୍ଗାଶଙ୍କର ପଟ୍ଟନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିତ୍ତ ନିୟନ୍ତ୍ରକ ସୁରେନ୍ଦ୍ର କୁମାର ସାହୁ ଓ ପରୀକ୍ଷା ନିୟନ୍ତ୍ରକ ଶରତ କୁମାର ମାଝୀ ଅତିଥି ଭାବେ ଯୋଗଦେଇ ପ୍ରଫେସର ମଲ୍ଲିକଙ୍କ ବହୁମୁଖୀ ପ୍ରତିଭା ଉପରେ ଆଲୋକପାତ କରିବା ସହିତ ତାଙ୍କର ଦୀର୍ଘମୟ ଜୀବନର ଉନ୍ନତି କାମନା କରିଥିଲେ। କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀ ଏବଂ ଛାତ୍ରଛାତ୍ରୀମାନେ ଯୋଗଦେଇ ପ୍ରଫେସର ମଲ୍ଲିକଙ୍କୁ ଜଣେ ଛାତ୍ର ବତ୍ସଳ ଶିକ୍ଷକ ଭାବେ ବର୍ଣ୍ଣନା କରିଥିଲେ।
ସେହିପରି ପ୍ରଫେସର ମଲ୍ଲିକ ଏହି ଅବସରରେ କହିଥିଲେ , ବିଶ୍ୱବିଦ୍ୟାଳୟ ଯେତେବେଳେ ଯେଉଁ ଦାୟିତ୍ୱ ଦେଇଛି ତାହା ସଫଳତାର ସହ ସମ୍ପାଦନ କରିଛି। ବିଶ୍ୱବିଦ୍ୟାଳୟର ବିକାଶରେ ଯଦି ମୋର ଦକ୍ଷତା ଓ ଅଭିଜ୍ଞତା କାର୍ଯ୍ୟରେ ଲାଗି ପାରିବ ତାହେଲେ ମୋର ଜୀବନ ଧନ୍ୟ ହୋଇଯିବ ବୋଲି ପ୍ରକାଶ କରିଥିଲେ। ଶେଷରେ ପିଜି କାଉନସିଲ ପ୍ରଶାସନିକ ଅଧିକାରୀ ବିଶ୍ୱନାଥ ବରାଳ ଧନ୍ୟବାଦ ଅର୍ପଣ କରିଥିଲେ।



