www.samajalive.in
Saturday, December 13, 2025
21.1 C
Bhubaneswar

ଆତ୍ମଜ୍ଞାନ ହିଁ ଶ୍ରେଷ୍ଠ ଜ୍ଞାନ

ଭୁବନେଶ୍ଵର: ଶେଷ ଶଯ୍ୟାରେ ଶାୟିତ ତଥାଗତ ବୁଦ୍ଧ। ଅଶ୍ରୁପୂର୍ଣ୍ଣ ନୟନରେ ଆନନ୍ଦ ବୁଦ୍ଧଙ୍କୁ ପ୍ରଶ୍ନ କଲେ- ‘ହେ ମହାଭାଗ! ଆପଣଙ୍କ ଅବର୍ତ୍ତମାନରେ ଆମର ପଥପ୍ରଦର୍ଶକ କିଏ ହେବ?’ ଭଗବାନ୍‌ ବୁଦ୍ଧ କହିଲେ- ‘ଅପ୍ପଦୀପୋ ଭବ।’ ହେ ଆନନ୍ଦ! ନିଜେ ନିଜର ଆଲୋକ ହୋଇଯାଅ। ନିଜ ଭିତରେ ଆଲୋକର ପ୍ରକାଶ ପାଇଁ ସମସ୍ତ ବନ୍ଧନ ଦୂର କରିଦିଅ।’ ବାସ୍ତବରେ ଭଗବାନ୍‌ ବୁଦ୍ଧଙ୍କ ପ୍ରଦତ୍ତ ଉପରୋକ୍ତ ଦିବ୍ୟଜ୍ଞାନଟି ସବୁ ସମୟରେ କେତେ ପ୍ରାସଙ୍ଗିକ! ବର୍ତ୍ତମାନ ସବୁକଥା ଯେତେବେଳେ ଏତେ ଜଟିଳ ହୋଇପଡ଼ିଛି, ସତ୍ୟ ଯେତେବେଳେ ମିଥ୍ୟାର ପ୍ରହେଳିକା ଭିତରେ ଲୁଚି ଯାଉଛି, ସେତେବେଳେ ସତ୍ୟକୁ ବା ସତ୍ୟର ମାର୍ଗକୁ ବାଛିବାକୁ ଆମ ପାଖରେ ଏକମାତ୍ର ବିକଳ୍ପ ରହିଛି – ତାହା ହେଉଛି ‘ଆତ୍ମଜ୍ଞାନ’ର ପ୍ରକାଶ।

ଏ ସଂସାରରେ ସବୁଠାରୁ ବଳି ସାଂଘାତିକ ସତ୍ୟ ହେଉଛି ଏହା ଯେ, ସତ୍ୟ କ’ଣ, ଆମେ ତାକୁ ଠିକ୍‌ ରୂପେ ଜାଣୁନା। ସେଥିପାଇଁ କେହିଜଣେ ବିଦ୍ବାନ ଏକଦା କହିଥିଲେ- ‘ସତ୍ୟକୁ ଜାଣିବାଠାରୁ ବଡ଼ ଜ୍ଞାନ ଏ ସଂସାରରେ ଆଉ କିଛି ନାହିଁ ଓ କ୍ଷମାଠାରୁ ବଳି ବଡ଼ ଦାନ ଆଉ କିଛି ନାହିଁ।’ ମାତ୍ର ସତ୍ୟକୁ ଜାଣିବା ପୂର୍ବରୁ ନିଜକୁ ଜାଣିବା ନିହାତି ଆବଶ୍ୟକ। ଏଣୁ ଉପନିଷଦ ଉଦାତ୍ତ କଣ୍ଠରେ ଆହ୍ବାନ କରିଛି- ‘ନିଜକୁ ଜାଣ।’ ନିଜକୁ ନ ଜାଣିଲେ ସକଳ ବିଦ୍ୟା ବ୍ୟର୍ଥ, ସକଳ ଜ୍ଞାନ ମୂଲ୍ୟହୀନ। ସେଇଥିପାଇଁ ମଣିଷ ତା’ ଚେତନାର ଉଷାକାଳରୁ କେତେକ ମୌଳିକ ପ୍ରଶ୍ନର ଉତ୍ତର ଖୋଜିବାରେ ଲାଗିଛି। ଯଥା- ‘ମୁଁ କିଏ? ମୁଁ କେଉଁଠାରୁ ଆସିଛି? କ’ଣ ପାଇଁ ଆସିଛି? ଶେଷରେ ମୁଁ କେଉଁଠିକୁ ଫେରିଯିବି?’ ନିଜ ବାସ୍ତବ ଜୀବନର ସୁଖ ଦୁଃଖ, ଘାତ ପ୍ରତିଘାତରେ ମଣିଷ ଯେତେ ଜଡ଼ିତ ରହୁନା କାହିଁକି, ଏସବୁ ପ୍ରଶ୍ନର ତାଡ଼ନାରୁ ସେ ପୂରାପୂରି ମୁକ୍ତି ପାଇବା ଅସମ୍ଭବ। ଉତ୍ତର ସନ୍ତୋଷଜନକ ଭାବେ ନ ମିଳିବା ପର୍ଯ୍ୟନ୍ତ ସେ ଅତୃପ୍ତ ରହିବ। ପଶୁ ଭଳି କେବଳ ଜିଇ ରହିବାରେ ମଣିଷର ଚେତନା ସୀମାବଦ୍ଧ ନୁହେଁ। ସେ ଜିଞ୍ଜାସୁ, ନିଜ ଜ୍ଞାନର ପରିସର ବ୍ୟାପକତର କରିବା ସକାଶେ ସେ ସର୍ବଦା ବ୍ୟାକୁଳ। ତା’ର ଏହି ଅବ୍ୟାହତ ସନ୍ଧାନ ଫଳରେ ସେ ହୃଦୟଙ୍ଗମ କଲା ଯେ, ମନଦ୍ବାରା ଏ ସବୁ ପ୍ରଶ୍ନର ଉତ୍ତର ପାଇବା ସହଜସାଧ୍ୟ ନହେଲେ ମଧ୍ୟ ତା’ ସତ୍ତାର ଅଭ୍ୟନ୍ତରରେ ଏପରି ଏକ ଚେତନା ରହିଛି, ଯେଉଁଥିରେ ଲିପିବଦ୍ଧ ଏ ସମସ୍ତ ପ୍ରଶ୍ନର ଉତ୍ତର। ସେ ଚେତନାକୁ ଚିହ୍ନିବା ଦ୍ବାରା ସେ ଜୀବନର ସତ୍ୟକୁ ଜାଣିପାରିବ। ସେ ଚେତନାଟି କ’ଣ?

- Advertisement -

ଏକଦା ଋଷି ଯାଜ୍ଞବଳ୍‌କ୍ୟଙ୍କୁ ରାଜର୍ଷି ଜନକ ପ୍ରଶ୍ନ କଲେ- ‘ହେ ଋଷି! ଏ ସଂସାରରେ ମଣିଷ ପାଇଁ ଆଲୋକ କ’ଣ?’ ସକଳ ଶକ୍ତିର ଆଧାର ‘ସୂର୍ଯ୍ୟ’ ହିଁ  ମଣିଷ ପାଇଁ ଆଲୋକ’- କହିଲେ ଋଷିବର। ଜନକ ପୁନଶ୍ଚ ପ୍ରଶ୍ନ କଲେ- ‘କିନ୍ତୁ ହେ ଋଷି! ସୂର୍ଯ୍ୟ ଅସ୍ତଗଲେ ମଣିଷ ପାଇଁ ଆଲୋକ କ’ଣ?’ ‘ଚନ୍ଦ୍ର ହିଁ ତା’ର ଆଲୋକ।’ ଉତ୍ତର କଲେ ଯାଜ୍ଞାବଳ୍‌କ୍ୟ। ଯଥାର୍ଥ ଋଷି! କିନ୍ତୁ ଯେତେବେଳେ ସୂର୍ଯ୍ୟ ଅସ୍ତ, ଚନ୍ଦ୍ର ବି ଆକାଶରେ ନ ଥାନ୍ତି, ସେତେବେଳେ ମଣିଷ ପାଇଁ ଆଲୋକ କ’ଣ? ସେତେବେଳେ ‘ଅଗ୍ନି’ ହିଁ  ମଣିଷ ପାଇଁ ଆଲୋକ- ‘କହିଲେ ଋଷି, ଏଥର ଜନକ ପ୍ରଶ୍ନ କଲେ- ‘ହେ ଋଷି! ଯେତେବେଳେ  ସୂର୍ଯ୍ୟ ନଥାନ୍ତି କି ଚନ୍ଦ୍ର ନଥାନ୍ତି, ଅଗ୍ନି ମଧ୍ୟ ନିର୍ବାପିତ, ସେତେବେଳେ ମଣିଷ ପାଇଁ ଆଲୋକ କ’ଣ?’ ‘ବାକ୍‌ଶକ୍ତି ହିଁ ସେତେବେଳେ ମଣିଷର ଆଲୋକ’ ଉତ୍ତର କଲେ ଋଷି। ‘ହେ ଋଷିବର! କିନ୍ତୁ ଯେତେବେଳେ ସୂର୍ଯ୍ୟ ନଥାନ୍ତି କି ଚନ୍ଦ୍ର ନଥାନ୍ତି, ଅଗ୍ନି ନିର୍ବାପିତ, ବାକ୍‌ଶକ୍ତି ମଧ୍ୟ ନିରବ, ସେତେବେଳେ ମଣିଷ ପାଇଁ ଆଲୋକ କ’ଣ?’ ପଚାରିଲେ ଜନକ। ‘ହେ ରାଜନ୍‌! ସେତେବେଳେ ମଣିଷ ପାଇଁ ଆଲୋକ ତା’ର ଆତ୍ମା।’ ଉତ୍ତର ଦେଲେ ଋଷି ଯାଜ୍ଞବଳ୍‌କ୍ୟ। ହର୍ଷିତ ହେଲେ ରାଜର୍ଷି ଜନକ।

ପାଠକେ! ଆତ୍ମାର ବାଣୀ ଶୁଣିବାର ଶକ୍ତି ସମସ୍ତଙ୍କର ନଥାଏ। ଅନେକେ ଶୁଣିଲେ ମଧ୍ୟ ତାହା ହୃଦୟଙ୍ଗମ କରିପାରନ୍ତି ନାହିଁ। ‘ଆତ୍ମା’ ସମ୍ପର୍କରେ ଯିଏ କହିପାରେ, ସେ ମହାନ୍। ଯିଏ ଏ ସମ୍ପର୍କରେ ଜାଣିପାରେ ସେ ଧୀମାନ୍‌। କିନ୍ତୁ ଉପଯୁକ୍ତ ଗୁରୁଙ୍କ ଆନୁକୂଲ୍ୟରେ ଯିଏ ଏହା ଉପଲବ୍ଧି କରିପାରେ, ସେ ହିଁ ଭାଗ୍ୟବାନ୍‌। ଏକଦା ମଣିଷ ପାଇଁ ସର୍ବୋତ୍ତମ ଆହ୍ବାନ ଥିଲା, କିଏ ବନିବ ଆତ୍ମଜ୍ଞାନୀ। ଆହ୍ବାନ ଦେଉଥିଲେ ଔପନିଷଦକ ଗୁରୁ। ଆଜିର ଆହ୍ବାନ- କିଏ ବନିବ କରୋଡ଼ପତି। ଆହ୍ବାନ ଦେଉଛନ୍ତି ଗୁରୁଙ୍କଠୁ ବଳି, ଦେବତାର ସ୍ଥାନ ମାଡ଼ିବସିଥିବା ଚଳଚ୍ଚିତ୍ର ଅଭିନେତା। ଏକଦା ଏ ଦେଶର ଆଦର୍ଶ ଥିଲେ ଗୁଣୀ, ଜ୍ଞାନୀ, ତ୍ୟାଗୀ ଓ ତପସ୍ବୀ। ଆଜିର ଆଦର୍ଶ ବନିଛନ୍ତି ସିନେମା ଅଭିନେତା, କ୍ରିକେଟ୍‌ ତାରକା, ଅଜ୍ଞାନ ବା କପଟୀ ରାଜନୈତିକ ନେତା। ଜଣେ ସଫଳ ବ୍ୟବସାୟୀ ପିତା ତାଙ୍କର କିଶୋର ପୁତ୍ରକୁ ପଚାରିଲେ- ‘ବଡ଼ ହେଲେ ତୁ କ’ଣ ହେବୁ?’ ପୁଅ ଉତ୍ତର ଦେଲା- ‘ଭଲ ମଣିଷ।’ ବାପା ପଚାରିଲେ ‘ତୋର ଆଦର୍ଶ କିଏ?’ ପୁଅ ଅବିଳମ୍ବେ କହିଲା- ‘ନଚିକେତା।’ ବାପା ସାମାନ୍ୟ ଆଶ୍ଚର୍ଯ୍ୟ ହୋଇ ପଚାରିଲେ- କିଏ?’ ରାଜନୀତି, ବ୍ୟବସାୟ, ସିନେମା, କ୍ରିକେଟ୍‌ରେ ଏଭଳି ନାମଧାରୀ କୌଣସି ନାୟକଙ୍କର ନାମ ତ ଏମିତି ନାହିଁ। ପୁଅର ପ୍ରହେଳିକାମୟ ଉତ୍ତର ବାପାଙ୍କୁ ବିଚଳିତ କଲା। ବାପା ଚିନ୍ତିତ ହୋଇ ଭାବିଲେ- ପୁଅ ଅପଥରେ ଯାଉନି ତ? ଇଏ ହେଉଛି ଆମ ସମୟର ଘୋର ବିଡମ୍ବନା।

ଅଳ୍ପ ବୁଦ୍ଧି ସଂପନ୍ନ ଲୋକେ ପରମେଶ୍ବରଙ୍କୁ ଅନ୍ନ, ବସ୍ତ୍ର, ଭୂମି, ସୁନା, ରୁପା, ଗାଡ଼ି, ଘୋଡ଼ା ଆଦି ପାଇଁ ପ୍ରାର୍ଥନା କରନ୍ତି। ମଧ୍ୟମ ବୁଦ୍ଧି ସମ୍ପନ୍ନ ଲୋକେ ରୂପ, ରଂଗ, ସ୍ବାସ୍ଥ୍ୟ, ଭୋଗବିଳାସ, ଐଶ୍ବର୍ଯ୍ୟ ଆଦି ମାଗନ୍ତି। ସେହିପରି ଉଚ୍ଚବୁଦ୍ଧି ସମ୍ପନ୍ନ ମନୁଷ୍ୟମାନେ ଯଶ, କୀର୍ତ୍ତି, ମାନସମ୍ମାନ, ପଦପଦବୀ ଆଦି ପାଇଁ ପ୍ରାର୍ଥନା କରନ୍ତି। ଏ ସବୁ ମାଗିବା ହେଉଛି ଯେପରି କୌଣସି ଜଣେ ଅରବପତି ଶ୍ରୀମନ୍ତ ଦାନୀଙ୍କ ନିକଟକୁ ଯାଇ ଶହେ ଦୁଇଶହ ଟଙ୍କା ମାଗିବା ସଦୃଶ ଅଟେ। ତା’ ହେଲେ ପରମେଶ୍ବରଙ୍କୁ ମାଗିବା କ’ଣ? ବେଦମନ୍ତ୍ର କହେ- ‘ଓମ୍‌ ଧିୟୋ ୟୋନଃ ପ୍ରଚୋଦୟାତ୍‌’ ଅର୍ଥାତ୍‌ ହେ ପ୍ରଭୋ! ଆମକୁ ଉତ୍କୃଷ୍ଟ ମେଧା ବା ବୁଦ୍ଧି ପ୍ରଦାନ କରନ୍ତୁ। (ଯଜୁର୍ବେଦ – ୩୬,୩) ସେଇଥିପାଇଁ ସେଦିନ ଋଷିପୁତ୍ର ନଚିକେତା ମୃତ୍ୟୁଦେବ ଯମଙ୍କୁ କହିଥିଲେ- ‘ହେ ନାଥ! ସାରା ସଂସାରର ଧନସମ୍ପଦ ମୋତେ ମିଳିଗଲେ ବି ସେଥିରୁ କ’ଣ ମୋତେ ଆତ୍ମଜ୍ଞାନର ଉପଲବ୍ଧି ହୋଇପାରିବ? କ’ଣ ସେହି ଧନସମ୍ପଦକୁ ପାଇ ମୋତେ ଆତ୍ମାର ଅମରତାର ଜ୍ଞାନ ହୋଇପାରିବ? କ’ଣ ଧନସମ୍ପଦକୁ ପାଇ ମୁଁ ଅମର ହୋଇପାରିବି? ଯଦି ନୁହେଁ, ତା’ ହେଲେ ସେହି ଧନ ସମ୍ପଦକୁ ନେଇ ମୁଁ କ’ଣ କରିବି? ହେ ମୃତ୍ୟୁଦେବ! ଆତ୍ମାର ସ୍ବରୂପକୁ ଜାଣିବା ହିଁ ମୋର ଲକ୍ଷ୍ୟ। ଏଣୁ ମୋତେ ଆତ୍ମଜ୍ଞାନ ପ୍ରଦାନ କରନ୍ତୁ।’ଆତ୍ମଜ୍ଞାନର ମର୍ମକଥା ହେଲା, ନିଜ ଅନ୍ତଃସତ୍ତାକୁ ଜାଣିବା ଯାହାକି ଆମ ମନ, ପ୍ରାଣ ଏବଂ ଦେହଠୁଁ ଭିନ୍ନ। ସେ ସତ୍ତା ସହ ଏକ ହୋଇଯିବାର ଅଭୀପ୍‌ସା, ଏକ ଅସୀମ ଚେତନା, ଯାହାର ଅନ୍ତର୍ଭୁକ୍ତ ଏ ବିଶ୍ବମଣ୍ଡଳ, ତା’ ବିଷୟରେ ଚେତି ଉଠିବା, ତା’ ସ୍ପର୍ଶରେ ନିଜ ସୀମିତ ଚେତନାର ରୂପାନ୍ତର ସାଧନ ହିଁ ଆତ୍ମଜ୍ଞାନର ଲକ୍ଷ୍ୟ। ଆତ୍ମାର ଅନନ୍ତ ଶକ୍ତିକୁ ଜଡ଼ ଉପରେ ପ୍ରୟୋଗ କଲେ ଜାଗତିକ ଉନ୍ନତି ହୁଏ, ଚିନ୍ତା ଉପରେ ପ୍ରୟୋଗ କଲେ ବୌଦ୍ଧିକ ବିକାଶ ହୁଏ ଏବଂ ନିଜ ଉପରେ ପ୍ରୟୋଗ କଲେ ମଣିଷ ଦେବତା ହୋଇଯାଏ। ଅଳମତି ବିସ୍ତରେଣ।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories