ଭୁବନେଶ୍ଵର: ଧର୍ମ କହିଲେ କେବଳ ଆସ୍ତିକତାକୁ ବୁଝାଏ ନାହିଁ, ଏହା ନାସ୍ତିକତାକୁ ମଧ୍ୟ ବୁଝାଏ। ନାସ୍ତିକତା ମଧ୍ୟ ଏକ ପ୍ରକାରର ଧର୍ମ। ଧର୍ମ କହିଲେ ସେହି ସାମାଜିକ ବ୍ୟବସ୍ଥା ଓ ଏଥିରୁ ନିସୃତ ହେଉଥିବା ସେହି ସାମାଜିକ ଚିନ୍ତନକୁ ବୁଝାଏ ଯାହା ମନୁଷ୍ୟକୁ ଶାନ୍ତିଶୃଙ୍ଖଳାର ସହିତ ଗୋଟିଏ ସୂତ୍ରରେ ବାନ୍ଧି ରଖେ। ସଂକ୍ଷେପରେ ଯିଏ ଧରିରଖେ ତାହା ହିଁ ଧର୍ମ। ଏଥିପାଇଁ କିଛି ନୀତି ନିୟମର ଆବଶ୍ୟକତା ପଡେ। ଯାହା ପରସ୍ପର ମଧ୍ୟରେ ଶାନ୍ତିପୂର୍ଣ୍ଣ ସହାବସ୍ଥାନକୁ ନିଶ୍ଚିତ କରେ। ଧର୍ମର ଲକ୍ଷ୍ୟ ମାନବିକତାର ବିକାଶ। ମାନବିକତାର ଅର୍ଥ ପରସ୍ପରକୁ ଭଲ ପାଇବା, ଦରଦୀହେବା, ସମସ୍ତଙ୍କ ମଙ୍ଗଳ କାମନା କରିବା, ଏପରି କି ସମଗ୍ର ଜୀବଜଗତ ପ୍ରତି ସଦୟଭାବ ପ୍ରଦର୍ଶନ କରିବା। ମାନବିକତାର ସଂସ୍ଥାପନ ପାଇଁ ଧର୍ମ ମଧ୍ୟରେ କିଛି ନୈତିକ ନିୟମର ଆବଶ୍ୟକତା ପଡେ। ଏହି ନୈତିକ ନିୟମଗୁଡ଼ିକର ପ୍ରବର୍ତ୍ତନ ସମ୍ପୃକ୍ତ ସମାଜକୁ ଐକ୍ୟବଦ୍ଧ କରେ ଓ ଆଗକୁ ବଢ଼ିବାର ବାଟ କଢ଼ାଏ। ପ୍ରକୃତପକ୍ଷେ ମାନବିକତା ଓ ନୈତିକତା ହେଉଛି ପ୍ରତ୍ୟେକ ଧର୍ମର କେନ୍ଦ୍ରୀୟ ବିଷୟ। ମନୁଷ୍ୟ ସମାଜର ସ୍ଥିତି ଓ ପ୍ରଗତି ଏହି ଦୁଇଟି ବିଷୟ ଉପରେ ନିର୍ଭରଶୀଳ। ଅନ୍ୟଥା ସମାଜରେ ଅରାଜକତା ଓ ସ୍ୱେଚ୍ଛାଚାରିତା ବଢ଼ିଯାନ୍ତା। ସମାଜ ଧ୍ବଂସାଭିମୁଖୀ ହୁଅନ୍ତା।
ଧର୍ମ ପାଇଁ ଈଶ୍ୱର, ଭଗବାନ ବା କୌଣସି ଚମତ୍କାର ସୃଷ୍ଟିକାରୀ ଅଦୃଶ୍ୟ ଶକ୍ତିର ଆବଶ୍ୟକତା ବାଧ୍ୟତାମୂଳକ ନୁହେଁ। କାରଣ ଅନେକ ଧର୍ମ ରହିଛି ଯେଉଁଥିରେ ଈଶ୍ୱର ବା ଭାଗବାନ ବିଶ୍ବାସ ନାହିଁ। ଏବେ ବିଶ୍ୱରେ ଅନେକ ପ୍ରକାରର ଧର୍ମ ରହିଛି। ଯେଉଁମାନେ ଈଶ୍ୱର ବା ଭଗବାନଙ୍କ ସ୍ଥିତିରେ ବିଶ୍ବାସ କରନ୍ତି ତାଙ୍କୁ ଆସ୍ତିକ କୁହାଯାଏ। ଯେଉଁମାନେ ବିଶ୍ବାସ କରନ୍ତି ନାହିଁ ତାଙ୍କୁ ନାସ୍ତିକ ବା ନିରୀଶ୍ୱରବାଦୀ କୁହାଯାଏ। ଆସ୍ତିକମାନେ କହନ୍ତି ମାନବିକତା ଓ ନୈତିକତା ଈଶ୍ୱର ବିଶ୍ବାସରୁ ଜାତ ହୁଏ। ଈଶ୍ୱର ଭୟ ତାକୁ ଉଚିତ ମାର୍ଗରେ ପରିଚାଳିତ ହେବାକୁ ବାଧ୍ୟ କରେ। ନାସ୍ତିକମାନେ କହନ୍ତି ଏହି ଗୁଣଗୁଡିକ ମନୁଷ୍ୟର ସହଜାତ। ଏଗୁଡିକ ତା’ର ବୁଦ୍ଧିମତ୍ତାର ଅଂଶବିଶେଷ। ଏଗୁଡ଼ିକ ସୁପ୍ତ ଭାବେ ଥାଏ। ଅଭ୍ୟାସ ମାଧ୍ୟମରେ ଜାଗ୍ରତ କରାଯାଏ। ନିଜର ଅନ୍ତର୍ନିହିତ ଚେତନା ଓ ବିବେକର ଉଜାଗର ଜରିଆରେ ଏହି ଗୁଣଗୁଡିକୁ ଶାଣିତ କରାଯାଇ ପାରେ।
ଭାରତୀୟ ଧର୍ମବିଶ୍ବାସ ଓ ସଂସ୍କୃତିରେ ନାସ୍ତିକବାଦକୁ ସ୍ୱୀକାର କରାଯାଇଛି। ନାସ୍ତିକତା ଧର୍ମର ସ୍ୱୀକୃତି ପାଇଛି। ପ୍ରାଚୀନ ଧାର୍ମିକ ପରମ୍ପରାରେ ନିରୀଶ୍ୱରବାଦର ପ୍ରଭାବ ଅଧିକ ଦେଖିବାକୁ ମିଳେ। ଭାରତୀୟ ଦର୍ଶନ ଧର୍ମଭିତ୍ତିକ। ଆମ ଦେଶରେ ବିଭିନ୍ନ ଧର୍ମର ବିଚାରକୁ ଦର୍ଶନ ଆଖ୍ୟା ଦିଆଯାଇଛି। ପ୍ରାଚୀନ ବିଚାରଗୁଡିକ ମଧ୍ୟରୁ ଅନ୍ୟତମ ହେଉଛି ‘ଚାର୍ବାକ୍ ଦର୍ଶନ’। ଏହା ଦିନେ ଧର୍ମର ମର୍ଯ୍ୟାଦା ପାଇଥିଲା ନିଶ୍ଚୟ। ଲୋକମାନେ ବହୁଳ ଭାବରେ ଏହାର ଅନୁଗାମୀ ଥିଲେ। ବିଭିନ୍ନ ଧର୍ମରେ ଚାର୍ବାକ୍ ଦର୍ଶନ ସମ୍ବନ୍ଧରେ ବର୍ଣ୍ଣନା ରହିଛି। ଚାର୍ବାକମାନେ ନାସ୍ତିକ ଭାବେ ପରିଚିତ। ଏମାନେ ଭଗବାନ ବା ଈଶ୍ୱରରେ ବିଶ୍ବାସ କରୁନଥିଲେ। ସେ ସମୟରେ ଏହା ଏକ ସାମାଜିକ ବିଚାରଧାରାର ରୂପ ନେଇଥିଲା। ଏମାନେ ଯଦି ମାନବିକତା ଓ ନୈତିକ ମୂଲ୍ୟବୋଧ ଉପରେ ଗୁରୁତ୍ବ ଦେଇନଥାନ୍ତେ ତେବେ ଏହା ସାମାଜିକ ଭାବନାର ରୂପ ନେଇନଥାନ୍ତା ଓ ପରବର୍ତ୍ତୀ ଧାର୍ମିକ ଶୃଙ୍ଖଳାରେ ଏହାର ଏତେ ଆଲୋଚନା ହୋଇନଥାନ୍ତା। ଅନ୍ୟତମ ପ୍ରାଚୀନ ଦର୍ଶନ ହେଉଛି ଜୈନଧର୍ମ। ଏହା ମଧ୍ୟ ନିରୀଶ୍ୱରବାଦୀ ଅଟେ। ଜୈନମାନେ ଈଶ୍ୱର ବିଶ୍ବାସୀ ନୁହନ୍ତି। ଈଶ୍ୱରଙ୍କ ଅସ୍ତିତ୍ୱକୁ ଏମାନେ ଅସ୍ୱୀକାର କରନ୍ତି। ଈଶ୍ବର ବଦଳରେ ଏମାନେ ନୈତିକ କର୍ମରେ ବିଶ୍ବାସ କରନ୍ତି। ଏହି କର୍ମ ସମ୍ପାଦନକୁ ସେମାନେ ଧର୍ମ ବୋଲି କହନ୍ତି। ଜୈନମାନେ ପାଞ୍ଚଟି ନୈତିକ କର୍ମ ଉପରେ ଗୁରୁତ୍ୱ ଦିଅନ୍ତି। ଏଗୁଡିକୁ ପଞ୍ଚବ୍ରତ ବୋଲି କୁହଯାଏ। ସତ୍ୟ, ଅହିଂସା, ଆସ୍ତେୟ (ଚୋରି ନ କରିବା), ଇନ୍ଦ୍ରିୟ ସଂଯମତା ଓ ଅପରିଗ୍ରହ (ପରିତ୍ୟାଗ)। ଏହି ପାଞ୍ଚଟି କର୍ମ ସମ୍ପାଦନ ଜୈନଧର୍ମର ମୁଖ୍ୟ ବିଷୟବସ୍ତୁ। ବୌଦ୍ଧଧର୍ମ (ବୌଦ୍ଧଧମ୍ମ) ମଧ୍ୟ ନିରୀଶ୍ୱରବାଦୀ। ଏମାନେ ଭାଗବାନଙ୍କ ଅସ୍ତିତ୍ବରେ ବିଶ୍ବାସ କରନ୍ତି ନାହିଁ। ଜୈନମାନଙ୍କ ତୁଲ୍ୟ ବୌଦ୍ଧମାନେ ଆଠଟି ନୈତିକ କର୍ମରେ ବିଶ୍ବାସ କରନ୍ତି। ଏଗୁଡିକ ହେଉଛି ଠିକ୍ ଦୃଷ୍ଟିଭଙ୍ଗି, ଠିକ୍ ସଂକଳ୍ପ, ଠିକ୍ କଥନ (ସତ୍ୟ ବଚନ), ଠିକ୍ କର୍ମ (ଅହିଂସା), ଠିକ୍ ଜୀବିକା ଗ୍ରହଣ, ଠିକ୍ ଉଦ୍ୟମ, ଠିକ୍ ସ୍ମୃତି ଓ ଠିକ୍ ଏକାଗ୍ରତା। ଏହି ଆଠଟି କର୍ମ ଉପରେ ବୌଦ୍ଧମାନେ ଗୁରୁତ୍ବ ଦିଅନ୍ତି। ଈଶ୍ୱର ବିଶ୍ବାସ ବିନା ଏହି ନୈତିକ କର୍ମ ସମ୍ପାଦନ ମାଧ୍ୟମରେ ସମାଜର ସ୍ଥିତି ଓ ପ୍ରଗତି ସମ୍ଭବପର ବୋଲି ଏମାନଙ୍କ ମତ।
ସାଂଖ୍ୟ ଓ ଯୋଗ ଦର୍ଶନ ସମାନ ତତ୍ତ୍ବରେ ବିଶ୍ବାସ କରନ୍ତି। ଏହା ମଧ୍ୟ ବହୁ ପ୍ରାଚୀନ ବିଚାର। ଦିନେ ଏଗୁଡିକ ମଧ୍ୟ ଧର୍ମର ମାନ୍ୟତା ପାଇଥିଲେ। ଉଭୟ ଦର୍ଶନ ଦୁଇଟି ସତ୍ୟତାରେ ବିଶ୍ବାସ କରନ୍ତି, ପ୍ରକୃତି ଓ ପୁରୁଷ। ଯୋଗର ଆଠଟି ସୋପାନ ଅଛି। ଏଗୁଡିକୁ ଅଷ୍ଟାଙ୍ଗ ଯୋଗ କୁହାଯାଏ। ଏହି ଆଠଟି ମାର୍ଗର ଠିକ୍ ସମ୍ପାଦନ ହିଁ ଧର୍ମ। ଏଗୁଡିକ ହେଉଛି ଯମ, ନିୟମ, ଆସନ, ପ୍ରାଣାୟାମ, ପ୍ରତ୍ୟାହାର, ଧାରଣା, ଧ୍ୟାନ ଓ ସମାଧି। ଏବେ ଲୋକମାନେ ଯୋଗ କହିଲେ ଆସନକୁ ବୁଝୁଛନ୍ତି। ଏ ଉଭୟ ଦର୍ଶନ ଚମତ୍କାରୀ ଈଶ୍ୱରରେ ବିଶ୍ବାସ କରନ୍ତି ନାହିଁ। ଏମାନେ ଉଚ୍ଚତର ପୁରୁଷରେ ବିଶ୍ବାସ କରନ୍ତି। ଯେଉଁ ପୁରୁଷ ସୃଷ୍ଟିକର୍ତ୍ତା, ପାଳନକର୍ତ୍ତା ଓ ସଂହାରକ ନୁହେଁ। ପରବର୍ତ୍ତୀ ସମୟରେ ହିନ୍ଦୁଧର୍ମ ଏଗୁଡିକୁ ନିଜ ସହିତ ସାମିଲ କରିନେଇଛି। ବୈଶେଷିକ ଦର୍ଶନ ଅନେକ ସତ୍ୟତାର ବିଶ୍ବାସ କରେ। ଏହା ମଧ୍ୟ ଏକ ସର୍ବଶକ୍ତିମାନ ଈଶ୍ୱରରେ ବିଶ୍ବାସ କରେନାହିଁ, ଏହି ଦର୍ଶନ ମଧ୍ୟ ନୈତିକ କର୍ମ ଉପରେ ଗୁରୁତ୍ବ ଦିଏ। ଏତାଦୃଶ ଅନେକ ନିରୀଶ୍ୱରବାଦୀ ଦର୍ଶନ ଥିଲା ଯେଉଁମାନେ ନୈତିକ କର୍ମ ଉପରେ ଗୁରୁତ୍ବ ଦେଉଥିଲେ। ଶୂନ୍ୟବାଦୀଙ୍କ ମତରେ ଏ ବିଶ୍ବ ଶୂନ୍ୟରୁ ସୃଷ୍ଟି ହୋଇଛି। ଏହାକୁ ଭଗବାନ ସୃଷ୍ଟି କରିନାହାନ୍ତି। ଏମାନେ ବି ନାସ୍ତିକ ଅଟନ୍ତି, କିନ୍ତୁ ନୈତିକତାର ବିଶ୍ବାସୀ। ବସ୍ତୁବାଦୀମାନେ ଜଗତ ସୃଷ୍ଟିର ମୂଳକାରଣ ବସ୍ତୁ ବୋଲି କହନ୍ତି। ତେଣୁ ଏମାନେ ଈଶ୍ୱରଙ୍କ ସ୍ଥିତିକୁ ଅସ୍ୱୀକାର କରନ୍ତି। ତେବେ ବସ୍ତୁବାଦ ନୈତିକତାକୁ ସ୍ୱୀକାର କରେ।
ବିଂଶ ଶତାବ୍ଦୀରେ ବିଶ୍ବ ସ୍ତରରେ ‘ବାହାଇ’ ଧର୍ମର ଆବିର୍ଭାବ ହୋଇଛି। ଏହା ଏକ ନାସ୍ତିକ ଧର୍ମ। ଏମାନେ ବିଜ୍ଞାନରେ ବିଶ୍ବାସ କରନ୍ତି। ଏମାନେ ଈଶ୍ୱରରେ ବିଶ୍ବାସ କରନ୍ତି ନାହିଁ। ବିଜ୍ଞାନ ଯାହାକୁ ସତ୍ୟ କହେ ତାକୁ ହିଁ ଏମାନେ ସତ୍ୟ ବୋଲି ମାନନ୍ତି। ବିଶ୍ୱରେ କ୍ରମେ ନାସ୍ତିକମାନଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ଏମାନେ ଈଶ୍ବର ସ୍ଥାନରେ ନୈତିକତାକୁ ଗ୍ରହଣ କରୁଛନ୍ତି। ଏମାନଙ୍କ ଯୁକ୍ତି ଯେ ଧର୍ମ ସମାଜରେ ବିଭେଦ ସୃଷ୍ଟି କରୁଛି। ଧର୍ମକୁ ନେଇ ଅନେକ ରକ୍ତପାତ ହୋଇଛି ଓ ଏବେ ମଧ୍ୟ ହେଉଛି। ଧର୍ମ ଆଉ ସମାଜକୁ ଶାନ୍ତିରେ ରଖାଇ ଦେଉନାହିଁ। ଈଶ୍ୱର ରକ୍ଷା କରିପାରୁ ନାହାନ୍ତି। ଧାର୍ମିକ ବିବାଦରୁ ମୁକ୍ତି ପାଇବା ପାଇଁ ନାସ୍ତିକ ହୋଇଯିବା ଶ୍ରେୟସ୍କର ବୋଲି ଏମାନଙ୍କ ଯୁକ୍ତି। ପୁଣି ସମାଜରେ ଶାନ୍ତିର ସହିତ ବସବାସ କରିବାକୁ ହେଲେ ମାନବିକତା ଓ ନୈତିକ କର୍ମର ଆବଶ୍ୟକତା ରହିଛି। ଅନେକ କ୍ଷେତ୍ରରେ ଧର୍ମ ଏଗୁଡ଼ିକ ଉପରେ ଗୁରୁତ୍ବ ନ ଦେଇ କର୍ମକାଣ୍ଡ ଉପରେ ଗୁରୁତ୍ବ ଦେଉଛି।
ନାସ୍ତିକ ହେବା ଅର୍ଥ ସ୍ୱେଚ୍ଛାଚାରିତା ନୁହେଁ। ଦେଖାଯାଇଛି ନାସ୍ତିକବାଦୀମାନେ କଠୋର ଭାବେ ମାନବିକତା ଓ ନୈତିକତାକୁ ଗୁରୁତ୍ବ ଦିଅନ୍ତି। ନାସ୍ତିକମାନଙ୍କ ପାଇଁ ଦିଅଁ-ଦେବତା, ପୂଜା-ଆରାଧନା, ହୋମ-ଯଜ୍ଞ, ଦାନ-ଦକ୍ଷିଣା, ଭେଟି-ଉପହାର, ପୂଜକ-ଯାଜକ ପ୍ରଭୃତିର ଆବଶ୍ୟକତା ପଡେନାହିଁ। ଏମାନଙ୍କ ପାଇଁ ନୈତିକ କର୍ମ ହିଁ ଜୀବନଧାରଣ ଓ ସାମାଜିକ ଶାନ୍ତିର ଏକମାତ୍ର ଆୟୁଧ। ଭାରତୀୟ ସଂସ୍କୃତି ଉଭୟ ଆସ୍ତିକ ଓ ନାସ୍ତିକ ବିଚାରର ସମାହାର। ଯିଏ ନାସ୍ତିକ ସେ ବି ଧାର୍ମିକ, ଯେହେତୁ ସେ ବି ଗୋଟିଏ ବିଚାରଧାରାର ଅନୁସରଣ କରେ। ଏହା ଛଡା ଯେଉଁମାନେ ନାସ୍ତିକ ଧର୍ମର ସମର୍ଥକ ସେମାନେ ଭାରତୀୟ ସଂସ୍କୃତିର ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବେ ପରିଗଣିତ ହୋଇ ଆସିଛନ୍ତି। ହିନ୍ଦୁଧର୍ମ ସମସ୍ତ ବିଚାରକୁ ନିଜ ସହିତ ସାମିଲ କରିନେବାର ପ୍ରୟାସ କରିଛି। ଏହା ହୋଇନଥିଲେ ଗୌତମବୁଦ୍ଧ ଯେ କି ଭଗବାନରେ ବିଶ୍ବାସ କରୁନଥିଲେ, ଯିଏ ନାସ୍ତିକ, ତାଙ୍କୁ ହିନ୍ଦୁଧର୍ମର ଦଶ ଅବତାର ମଧ୍ୟରୁ ଗୋଟିଏ ଅବତାର ଭାବେ ଗ୍ରହଣ କରାଯାଇ ନଥାନ୍ତା। ବର୍ତ୍ତମାନର ପରିପ୍ରେକ୍ଷୀରେ ଆସ୍ତିକ ହୁଅନ୍ତୁ କି ନାସ୍ତିକ ହୁଅନ୍ତୁ ମାନବିକତା ଓ ନୈତିକ କର୍ମ ଉପରେ ଗୁରୁତ୍ବ ଦେବା ସମୟର ଆବଶ୍ୟକତା ଅଟେ।



