ମୁଖ୍ୟମନ୍ତ୍ରୀ ମଞ୍ଜୁର କଲେ ୧୧୯୫ ପ୍ରକଳ୍ପ
ଭୁବନେଶ୍ବର :ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶନିବାର ୫ଟି ଜିଲାର ୬ଟି ବ୍ଲକ ପାଇଁ ୧୧୯୫ଟି ପ୍ରକଳ୍ପ ମଞ୍ଜୁର କରିଛନ୍ତି। ସୁନ୍ଦରଗଡ଼ ଜିଲାର ଗୁରୁଣ୍ଡିଆ ଓ କୁଆଁରମୁଣ୍ଡା, ବଲାଙ୍ଗୀର ଜିଲାର ବଙ୍ଗମୁଣ୍ଡା, ଗଞ୍ଜାମ ଜିଲାର ଭଞ୍ଜନଗର, କଟକ ଜିଲାର ଡମପଡ଼ା ଓ କୋରାପୁଟ ଜିଲାର ପଟାଙ୍ଗୀ ବ୍ଲକର ୧୧୨ଟି ପଞ୍ଚାୟତରେଏହି ସମସ୍ତ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ। ଏଥିପାଇଁ ୨୪.୨୫କୋଟି ଟଙ୍କା ବ୍ୟୟ ହେବ।
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଗୁରୁଣ୍ଡିଆ ବ୍ଲକର ୧୩ଟି ପଞ୍ଚାୟତ ପାଇଁ ୨.୫୦ କୋଟି ଟଙ୍କାର ୮୫ଟି ପ୍ରକଳ୍ପ, କୁଆଁରମୁଣ୍ଡା ବ୍ଲକର ୨୦ଟି ପଞ୍ଚାୟତ ପାଇଁ ୪.୫୦ କୋଟି ଟଙ୍କାର ୧୫୪ଟି, ବଙ୍ଗମୁଣ୍ଡା ବ୍ଲକର ୨୬ଟି ପଞ୍ଚାୟତ ପାଇଁ ୪.୫୦କୋଟି ଟଙ୍କାର ୩୧୦ଟି, ଭଞ୍ଜନଗର ବ୍ଲକର ୨୨ଟି ପଞ୍ଚାୟତ ପାଇଁ ୫.୬୦କୋଟି ଟଙ୍କାର ୧୯୮ଟି, ଡମପଡ଼ା ବ୍ଲକର ୧୭ଟି ପଞ୍ଚାୟତ ପାଇଁ ୪.୧୫କୋଟି ଟଙ୍କାର ୨୮୫ଟି ଓ ପଟାଙ୍ଗୀ ବ୍ଲକର ୧୪ଟି ପଞ୍ଚାୟତ ପାଇଁ ୩କୋଟି ଟଙ୍କାର ୧୬୩ଟି ପ୍ରକଳ୍ପକୁ ମଞ୍ଜୁରି ଦେଇଛନ୍ତି।
କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଥିଲେ, ଏ ଟଙ୍କା ଆପଣମାନଙ୍କର। ଯେଉଁସବୁ ପ୍ରକଳ୍ପ ମଞ୍ଜୁର କରାଯାଉଛି ସେଗୁଡ଼ିକୁ ଭଲ ଭାବରେ ଓ ଶୀଘ୍ର କରିବା ପାଇଁ ସେ ପରାମର୍ଶ ଦେଇଥିଲେ। ପ୍ରକଳ୍ପଗୁଡ଼ିକ ପାଇଁ ଜନସାଧାରଣ ଓ ପଞ୍ଚାୟତ ପ୍ରତିନିଧିମାନେ ଖୁସିବ୍ୟକ୍ତ କରି ମୁଖ୍ୟମନ୍ତ୍ରୀଙ୍କୁୁ ଧନ୍ୟବାଦ ଜଣାଇଥିଲେ।
ଏହି କାର୍ଯ୍ୟକ୍ରମରେ ମନ୍ତ୍ରିପରିଷଦର ସଦସ୍ୟ, ବିଧାୟକ, ଉନ୍ନୟନ କମିଶନର, ପଞ୍ଚାୟତିରାଜ ବିଭାଗ ପ୍ରମୁଖ ସଚିବ, ଜିଲାପାଳ ଓ ସଂପୃକ୍ତ ପଞ୍ଚାୟତ ପ୍ରତିନିଧିମାନେ ଉପସ୍ଥିତ ଥିଲେ।